ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପୁଣି ଜୋର ଧରିଲା ଆନ୍ଦୋଳନ, ୩ ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଓକିଲମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗୁରୁବାରଠାରୁ ୩ ଦିନିଆ ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବରେ ଆଜି ସମସ୍ତ ସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ୍ ଓ କୋର୍ଟ କଚେରୀ ଆଦି ବନ୍ଦ ରହିଛି। ମାତ୍ର ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ଖୋଲା ରହିଛି। ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯିବ।
ଦୀର୍ଘ ଦିନରୁ ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରାଯାଉଥିଲେ ମଧ୍ୟ ଏଯାଏଁ ଏନେଇ କୌଣସି ସୁଫଳ ମିଳି ନାହିଁ। ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଅନ୍ତଃ ବିଭାଗୀୟ କମିଟିକୁ କ୍ରିୟାଶୀଳ କରାଯାଇ ନ ଥିବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉଦ୍ବେଗ ପ୍ରକାଶ କରିଛି। ସରକାର ଦାବି ପୂରଣ ପାଇଁ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.