ଅଜବ ଗଜବ ନିତିରେ ଚାଲିଛି ଜିଲା ମୁଖ୍ୟ ଚିକିତ୍ସାଳୟ : ୩ ଦିନ ଦୌଡିବା ପରେ ପିଡିତାଙ୍କ ଡାକ୍ତରୀ ମାଇନା

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଳାତ୍କାରର ଶିକାର ହୋଇଥିବା ଜଣେ ପିଡିତାଙ୍କର ଡାକ୍ତରୀ ମାଇନା ପାଇଁ ଉଭୟ ପିଡିତା ଓ ପୁଲିସକୁ ତିନି ଧରି ଦୌଡିବାର ଏକ ଆର୍ଶ୍ଚଯ୍ୟଜନକ ମାମଲା ସମ୍ମୁଖକୁ ଆସିଛି। ପ୍ରାପ୍ତ ସୂଚନାନୁଯାୟୀ, ଗତ ଶନିବାର ଦିନ ରାତ୍ର ସମୟରେ ଟାଉନ ଥାନା ଅର୍ନ୍ତଗତ ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଥାନାରେ ଅଭିଯୋଗ ହୋଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ମାମଲା ନଂ ୪୯୨/୨୦୧୯ ରୁଜୁ କରି ତୁରନ୍ତ ରାତ୍ର ପ୍ରାୟ ୧୦ ଟା ସମୟରେ ପିଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ରାତ୍ରି ହୋଇଯାଇଥିବାରୁ ୨୪ ତାରିଖ ପୂର୍ବାହ୍ନ ୯ଟାରେ ଡାକ୍ତରୀ ମାଇନା କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଫେରାଇ ଦେଇଥିଲେ। ୨୪ ତାରିଖ ରବିବାର ପୂର୍ବାହ୍ନରେ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପିଡିତାଙ୍କୁ ନେଇ ପୁଲିସ ଡାକ୍ତରଖାନା ନେଇ ଯାଇଥିବା ବେଳେ ସେହିଦିନ ମଧ୍ୟ ଡାକ୍ତରୀ ମାଇନା ନ କରାଯାଇ ପୁର୍ନବାର ୨୫ ତାରିଖ ସୋମବାର ଦିନ ଆସିବା ପାଇଁ ଅର୍ଡର କପିର ପୁରୁଣା ତାରିଖକୁ କାଟି ଦେଇ ନୂତନ ତାରିଖ ଦେଇଥିଲେ। ଏହା ପରେ ପୁର୍ନବାର ସୋମବାର ଦିନ ପିଡିତାଙ୍କୁ ନେଇ ପୁଲିସ ଡାକ୍ତରଖାନା ଯିବା ପରେ ଯାଇ ତାଙ୍କର ଡାକ୍ତରୀ ମାଇନା କରାଯାଇଥିବାର ଜଣାପଡିଛି। ଏ ସର୍ମ୍ପକରେ ଜିଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡା. ଅଶୋକ ଦାସ ଙ୍କୁ ପଚରାଯିବାରୁ ସେ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବରେ ନେଇ କହିଥିଲେ ଯେ, ଶନିବାର ଦିନ ରାତ୍ରି ହୋଇଯାଇଥିବାରୁ ପିଡିତାଙ୍କୁ ଫେରାଇ ଦିଆଯାଇଥିଲା। ରାତ୍ରି ସମୟରେ ପୋଷ୍ଟମଟମ ଯେଭଳି କରାଯାଇ ନ ଥାଏ, ସେହିଭଳି ଡାକ୍ତରୀ ମାଇନା ମଧ୍ୟ କରାଯାଇ ନ ଥାଏ। ତାର ପରଦିନ ରବିବାର ଥିବାରୁ ଛୁଟି ଦିନ ଯୋଗୁଁ ଡାକ୍ତରୀ ମାଇନା କରାଯାଇ ନ ଥିଲା। ତେବେ ଆଜି ତାଙ୍କର ଡାକ୍ତରୀ ମାଇନା କରାଯାଇଛି ବୋଲି ଏଡିଏମଓ ଡା. ଦାସ କହିଛନ୍ତି। ଏ ସର୍ମ୍ପକରେ ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଗତ ଶନିବାର ରାତ୍ର ସମୟରେ ବଳାତ୍କାରର ମାମଲା ରୁଜୁ ହେବା ପରେ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା। କିନ୍ତୁ କୌଣସି କାରଣ ରୁ ଶନିବାର ଓ ରବିବାର ଦିନ ଡାକ୍ତରଖାନା କତ୍ତୃପକ୍ଷ ପିଡିତାଙ୍କୁ ଫେରାଇବା ପରେ ଆଜି ଡାକ୍ତରୀ ମାଇନା ହୋଇଛି ବୋଲି ଥାନାଧିକାରୀ ଦୋରା କହିଛନ୍ତି। ଏଥିରେ ଧ୍ୟାନ ଦେବା ଯୋଗ୍ୟ ଯେ, ଜଣେ ପିଡିତା ପୂର୍ବରୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଭୋଗି ଭାଙ୍ଗି ପଡିଥିବା ବେଳେ ପୁଣି ଥରେ ଜିଲା ମୁଖ୍ୟ ଚିକିତ୍ସାଳୟର କତ୍ତୃପକ୍ଷଙ୍କ ହେୟଜ୍ଞାନ ମନୋବୃତ୍ତି ଯୋଗୁଁ ବାରମ୍ବାର ଦୌଡିବା ଘଟଣା କିଭଳି ଭାବରେ ଡାକ୍ତରଖାନାରେ ସେବା ଯୋଗାଇ ଦିଆଯାଉଛି ତାହା ସହଜେ ଅନୁମେୟ। ଗୋଟିଏ ପଟରେ ରାଜ୍ୟ ସରକାର ୫ଟିର ଦ୍ୱାହି ଦେଉଥିବା ବେଳେ ଅନ୍ୟ ପଟରେ ୫ଟି ସଚିବ ସମ୍ବଲପୁର ଗସ୍ତରେ ଆସି ଏଠାରେ ଯୋଗାଇ ଦିଆଯାଉଥିବା ସେବାରେ ସନ୍ତୋଷ ବ୍ୟକ୍ତ କରିଥିଲେ। କିନ୍ତୁ ୫ଟି ସଚିବ ଙ୍କ ଗସ୍ତ ପରେ ଇତି ମଧ୍ୟରେ ଦୁଇ ଦୁଇ ଥର ଡାକ୍ତରଖାନା ପରିସର ସଫେଇରେ କୁଢ଼ କୁଢ଼ ମଇଳା ବାହାରିବା, ପିଡିତା ଡାକ୍ତରୀ ମାଇନା ପାଇଁ ବାରମ୍ବାର ଦୌଡିବା, ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଡ୍ରେସିଂ ଭଳି ବହୁ ଅଭାବନୀୟ ଘଟଣା ମାନ ଘଟିଚାଲିଛି। ସୁପ୍ରିମକୋର୍ଟ ଓ ସିଆପିସିର ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଏକ ବଳାତ୍କାରର ପିଡିତାଙ୍କର ତୁରନ୍ତ ଡାକ୍ତରୀ ମାଇନା କରାଯିବା ଜରୁରୀ ଅଟେ। ସ୍ୱାସ୍ଥ୍ୟ ସେବା ଏକ ଜରୁରୀକାଳୀନ ସେବା ହୋଇଥିବାରୁ ସରକାରୀ ଡାକ୍ତରଖାନାରେ ଛୁଟି ଦିନ ନ ଥାଏ ଏବଂ ସବୁ ସମୟରେ ଡାକ୍ତର ଉପଲବ୍ଧ ରହିଥାନ୍ତି। ତେବେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ମୁଖାକୁ ଖୋଲି ଦେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କର ୫ଟି ନିତିକୁ ଖୋଲାଖୋଲି ଭାବରେ ଜଳାଞ୍ଜଳି ଦିଆଯାଉଥିବା ବେଳେ ଡାକ୍ତରଖାନାର ଅଧିକାଂଶ ଡାକ୍ତର ବେସରକାରୀ କ୍ଲିନିକ ଓ ଘରୋଇ ନର୍ସିଂହୋମ ମାନଙ୍କରେ ଅଧିକାଂଶ ସମୟ ଦେଉଥିବାରୁ ଜାଣିଶୁଣି ଚିକିତ୍ସାଳୟର ଏଭଳି ଅବସ୍ଥା ଜାଣିଶୁଣି କରି ଦିଆଯାଇଛି ବୋଲି ସହରବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

Comments are closed.