କୁଲି ନମ୍ବର ୱାନ୍‌‌‌ ରିମେକ୍‌‌ରେ ବରୁଣ-ସାରା

ମୁମ୍ବଇ : ୧୯୯୫ରେ ଡେଭିଡ୍ ଧୱନ୍‌ ନିର୍ଦେଶିତ ‘କୁଲି ନମ୍ବର ୱାନ୍’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ମୁଖ୍ୟ ଭୂମିକାରେ ସ୍ବର୍ଗୀୟ କାଦର ଖାନ୍, ଗୋବିନ୍ଦା, କରିସ୍ମା କପୁର ଅଭିନୟ କରିଥିଲେ। ମାତ୍ର ୩କୋଟି ବଜେଟ୍‌ରେ ତିଆରି ହୋଇଥିବା ଏଇ ଚଳଚ୍ଚିତ୍ର ସେତେବେଳେ ୨୫କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା। ସେ ସମୟରେ ଗୋବିନ୍ଦା-କରିସ୍ମାଙ୍କୁ ମଧ୍ୟ ସୁପରହିଟ୍ ଯୋଡ଼ି ଭାବେ ଗଣାଯାଉଥିଲା। ୯୦ ଦଶକର ଏଇ ସୁପରହିଟ୍‌ ଚଳଚ୍ଚିତ୍ରର ରିମେକ୍ କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ମିଳିଥିବା ଖବର ଅନୁସାରେ, ବରୁଣଙ୍କ ଜନ୍ମଦିନ ଏପ୍ରିଲ୍‌ ୨୪ରେ ତାଙ୍କ ବାପା ଡେଭିଡ୍ ଧୱନ୍ ଏ ବାବଦରେ ଘୋଷଣା କରିବେ। ଘୋଷଣା ସମୟରେ ଗୋବିନ୍ଦା, କରିସ୍ମା କପୁର ଉପସ୍ଥିତ ରହିପାରନ୍ତି ବୋଲି ଶୁଣାଯାଉଛି। ୨୪ ବର୍ଷ ପରେ ନିର୍ମିତ ହେଉଥିବା ଏଇ ରିମେକ୍‌ରେ ମୁଖ୍ୟ ଭୂମିକାରେ ବରୁଣ ଓ ସାରା ଅଲୀ ଖାନ୍ କାମ କରିବେ। ନିକଟରେ ‘କଳଙ୍କ’ ଚଳଚ୍ଚିତ୍ରର ପ୍ରଚାର କରୁଥିବା ଅବସରରେ ବରୁଣ କହିଛନ୍ତି, ବାପାଙ୍କ ଏଇ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇ ସେ ଖୁବ୍ ଖୁସି। ସେ ଏହା ମଧ୍ୟ ନିଶ୍ଚିତ ଯେ ଗୋବିନ୍ଦାଙ୍କ ପରି ଦକ୍ଷ କଳାକାରଙ୍କୁ ନକଲ କରିବା ଏତେ ସହଜ ନୁହେଁ। ତେବେ ସେ ନିଶ୍ଚୟ ଚେଷ୍ଟା କରିବେ ବୋଲି କହିଛନ୍ତି।

Comments are closed.