ନଅ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ବର : ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ନିର୍ବାଚନମଣ୍ଡଳୀର ୯ଟି ବୁଥରେ ସାନି ନିର୍ବାଚନ ହେବ। ଏଥିପାଇଁ ଭାରତର ନିର୍ବାଚନ କମିଶନଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପାରିସ କରାଯାଇଛି। ଦାୟିତ୍ବରେ ଥିବା କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୮ଟି ସ୍ଥାନରେ ଏବଂ ପ୍ରାର୍ଥୀ ଇଭିଏମ ଭାଙ୍ଗିବା ଘଟଣାରେ ସୋରଡ଼ାର ଗୋଟିଏ ବୁଥରେ ଏହିପରି ୯ଟି ସ୍ଥାନରେ ସାନି ଭୋଟ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦେଶ ଆସିଲେ ଏହିସବୁ ବୁଥରେ କେଉଁଦିନ ଭୋଟ ଗ୍ରହଣ କରାଯିବ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ଦିନେ ଦୁଇଦିନ ମଧ୍ୟରେ ଏ ସମ୍ପର୍କରେ ଜଣାପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି।
ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବଣେଇଁର ୧୨୯ ନମ୍ବର ଉପରପଡ଼ା, ୨୧୩ ନମ୍ବର ରଙ୍ଗଢ଼ିପ, କନ୍ଧମାଳ ଲୋକସଭା ଅନ୍ତର୍ଗତ ୨୧୦ ନମ୍ବର ବାହାଡ଼ାଝୋଲା-୧, ୨୨୨ ନମ୍ବର ବେତନଟୀ, ବରଗଡ଼ ଲୋକସଭାର ୬୮ ନମ୍ବର ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟ ଏବଂ ୧୬ ନମ୍ବର ଡଭା, ବ୍ରଜରାଜନଗରର ୨୫୪ ନମ୍ବର ବୁଥ ଏବଂ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ୧୮୨ ନମ୍ବର ରେଣ୍ଟି ବୁଥରେ ସାନି ମତଦାନ କରାଯିବ।
ଇଭିଏମ, ଭିଭିପାଟ ଓ କଂଟ୍ରୋଲ ୟୁନିଟ ସଂଯୋଗରେ ତ୍ରୁଟି ପାଇଁ ୮ଟି ବୁଥରେ ନିର୍ବାଚନ ବାତିଲ କରାଯାଇଥିଲା। ଏଥିପାଇଁ ନିର୍ବାଚନ ଦାୟିତ୍ବରେ ଥିବା ୧୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Comments are closed.