ଅଯୋଧ୍ୟା ପାଇଁ ବଡ଼ ଯୋଜନା

ଫୈଜାବାଦ : ଅଯୋଧ୍ୟା ମନ୍ଦିର-ମସ୍‌ଜିଦ ବିବାଦର ଅନ୍ତ ଘଟିବା ପରେ ଏହି ଐତିହାସିକ ନଗରୀକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ରାମ ମନ୍ଦିର ନିର୍ମାଣ ସହ ସମଗ୍ର ନଗରୀକୁ ଅତ୍ୟାଧୁନିକ ରୂପରେ ସଜାଇବା ପାଇଁ ସ୍ଥାନୀୟ ମେୟର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରସିଦ୍ଧ ସରଯୂ ନଦୀ କୂଳରେ ଭଗବାନ ରାମଙ୍କର ୧୫୧ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ସହ ସ୍ଥାନୀୟ ରେଳ ଷ୍ଟେସନ୍‌କୁ ପ୍ରସ୍ତାବିତ ରାମ ମନ୍ଦିର ଶୈଳୀରେ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି। ମେୟର ଋଶିକେଷ ଉପାଧ୍ୟାୟଙ୍କ ସୂଚନାନୁଯାୟୀ, ଏହି ପୁରାତନ ମନ୍ଦିର ନଗରୀକୁ ଅତ୍ୟାଧୁନିକ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳାଯିବା ଯୋଜନା ରହିଛି। ଏହାକୁ ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀ ଭାବେ ଆକର୍ଷଣୀୟ କରାଯିବ। ଏଥିପାଇଁ ଅଯୋଧ୍ୟା ତୀର୍ଥାଟନ ଉନ୍ନୟନ ପରିଷଦ ଗଠନ କରାଯିବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୀଘ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରାଯିବ। ଅଯୋଧ୍ୟାର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନେତୃତ୍ବରେ ପଦକ୍ଷେପ ନିଆଯିବ। ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ରାମ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏତଦ୍‌ବ୍ୟତୀତ ରାମଙ୍କ ଜନ୍ମଭୂମି ଓ ରାମ ମନ୍ଦିରକୁ ନେଇ ସମଗ୍ର ନଗରୀକୁ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରାଯିବ। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋଚନା କରିବେ ବୋଲି ଉପାଧ୍ୟାୟ କହିଛନ୍ତି।
ଏହି ଯୋଜନାନୁଯାୟୀ, ନଗରୀରରେ ଭଗବାନ ରାମଙ୍କ ପାଇଁ ଉତ୍ସର୍ଗୀକୃତ ୧୦ଟି ଫାଟକ ନିର୍ମାଣ ହେବ। ଏଠାରେ ଏକ ବିମାନବନ୍ଦର ନିର୍ମାଣ ହେବ। ଏଠାରୁ ୨୦୨୦ ମେ’ସୁଦ୍ଧା ପ୍ରଥମ ବିମାନ ଉଡ଼ାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ। ଅତ୍ୟାଧୁନିକ ଆନ୍ତର୍ଜାତିକସ୍ତରର ବସ୍‌ ଷ୍ଟାଣ୍ଡ ଓ ବିଶ୍ବସ୍ତରୀୟ ରେଳଷ୍ଟେସନ୍‌ ନିର୍ମାଣ ହେବ। ଷ୍ଟେସନ ପାଇଁ ୧୦୦କୋଟି ଟଙ୍କା ବିନିଯୋଗ ହେବ। ନଗରୀରେ ୫ଟି ପଞ୍ଚତାରକା ହୋଟେଲ ଓ ୫ଟି ବଡ଼ ରିସର୍ଟ ନିର୍ମାଣ କରାଯିବ। ସମଗ୍ର ନଗରୀରରେ ଭୂ-ତଳ ​‌େ​‌କବୁଲ ବିଛାଯିବ। ଦଶ ହଜାର ଲୋକ ରହିବା ପାଇଁ ଆବାସସ୍ଥଳୀ ‘ରାଏନ ବସେରା’ ନିର୍ମାଣ ହେବ। ଅଯୋଧ୍ୟାରୁ ଫୈଜାବାଦ ମଧ୍ୟରେ ୫କିମି ଦୀର୍ଘ ଫ୍ଲାଏ ଓଭର ନିର୍ମାଣ ହେବ। ନଗରୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଖେଳ ଓ ଆମୋଦପ୍ରମୋଦ ପାଇଁ ପର୍ଯ୍ୟାପ୍ତ ପଡ଼ିଆ ତଥା ପାର୍କ ନିର୍ମାଣ ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ଭଗବାନ ରାମଙ୍କ ସହ ସମ୍ପୃକ୍ତ କ୍ଷେତ୍ରଗୁଡ଼ିକର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ। ଅଯୋଧ୍ୟାକୁ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ‘ରାମାୟଣ ସର୍କିଟ୍‌’ ସହିତ ସଂଯୁକ୍ତ କରାଯିବ। ଏଥିପାଇଁ ଅଯୋଧ୍ୟା ଓ ଚିତ୍ରକୂଟକୁ ସଂଯୋଗ ପାଇଁ ୪ ଲେନ୍‌ ବିଶିଷ୍ଟ ରାଜପଥ ନିର୍ମାଣ ହେବ।

Comments are closed.