ପୌରାଣିକ ମତାନୁଯାୟୀ ‘ରଜ’ ପର୍ବର କାରଣ ଓ ମହତ୍ତ୍ବ

କିମ୍ବଦନ୍ତୀରେ ରଜ ମହୋତ୍ସବକୁ ନେଇ ଉଭୟ ପୌରାଣିକ ଓ ସାମାଜିକ ପୃଷ୍ଠଭୂମି ରହିଛି । ପୌରାଣିକ ମତ ଅନୁଯାୟୀ, ମହା ପ୍ରତାପୀ ରାଜା ରାବଣ ଯେତେବେଳେ ଲଙ୍କାରେ ରାଜୁତି କରୁଥିଲେ ସେହି ସମୟରେ ଅନ୍ୟ ରାଜ୍ୟର ରାଜା ଥିଲେ ମୟଦାନବ । ଉଭୟ ରାକ୍ଷସମାନଙ୍କର ରାଜା ହୋଇଥିବାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଖୁବ ନିବିଡ଼ ଥିଲା । ଅନେକ ସମୟରେ ରାବଣ ମୟଦାନବଙ୍କ ଦରବାରକୁ ଯିବା ଆସିବା କରୁଥିଲା । ରାଜା ମୟଦାନବଙ୍କର ଏକ ସୁନ୍ଦରୀ କନ୍ୟାଟିଏ ଥିଲା। ସେ ହେଉଛନ୍ତି ମନ୍ଦୋଦରୀ । ରାବଣ ସୁନ୍ଦର, ପ୍ରତିଭାବାନ ଓ ବୀର ଥିବାରୁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ପରେ ମନ୍ଦୋଦରୀଙ୍କଠାରୁ ଏକ ସୁନ୍ଦର ଶିଶୁକନ୍ୟା ଜନ୍ମ ହୋଇଥିଲେ । ଯାହା ପିତା-ମାତାଙ୍କ ପାଇଁ ବଦନାମର କାରଣ ଥିଲା ।

ବିଳମ୍ବିତ ରାତ୍ରିରେ ରାଜା ମୟଦାନବ ଉକ୍ତ ଶିଶୁ କନ୍ୟାକୁ ମିଥିଳା ନଗରକୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବାରୁ ସେଠାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି କରିବାକୁ ଲାଗିଲେ । ମିଥିଳା ରାଜ୍ୟର ଜଣେ ପ୍ରଜାବତ୍ସଳ ରାଜା ଥିଲେ ଜନକ । ପ୍ରଜାଙ୍କର ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ଜନକ ଜ୍ୟୋତିଷଙ୍କ ପରାମର୍ଶ ଗ୍ରହଣ କଲେ । ଜ୍ୟୋତିଷ ପରାମର୍ଶ ଦେଇଥିଲେ ଯେ, ରାଜା ନିଜେ ହଳ ଯୋଚିଲେ ଅକାଳ ଦୂର ହେବ । ‘ର’ ଅର୍ଥ ସଂସାର ଓ ‘ଜ’ ଅର୍ଥ ଯୋଚିବା । ସଂସାରର ହିତ ପାଇଁ ରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା କରାଇଥିଲେ । ମିଥିଳାବାସୀଙ୍କ ମଧ୍ୟରେ  ଆନନ୍ଦ ଓ ଉଲ୍ଲାସ ଖେଳି ଯାଇଥିଲେ । ପୌରାଣିକ ମତାନୁଯାୟୀ ସେହି ଦିନରୁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।