ପେସା ପୁଲିସ ; ନିଶା ଚାଷ

ନିରାକାରପୁର(ରାମନାରାୟଣ ଦାଶ) : ମଣିଷର ମୌଳିକ ଆବଶ୍ୟକତା ଖାଦ୍ୟ। ସାମାଜିକ ଆବଶ୍ୟକତା ଶାନ୍ତି। ମୌଳିକ ଆବଶ୍ୟକତା (ଖାଦ୍ୟ) ପୂରଣ କରିବା ଯାହାର ଦାୟିତ୍ବ, ସେ କୃଷକ ଏବଂ ସାମାଜିକ ସ୍ୱଚ୍ଛନ୍ଦତା ପ୍ରଦାନ ତଥା ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ପୁଲିସ ବା ସୁରକ୍ଷାକର୍ମୀର। ଏହି ଉଭୟ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିପାରୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଓଳସିଂହ ପଂଚାୟତ ଅନ୍ତର୍ଗତ ଡମଣଭୂମି ଗ୍ରାମର ଦିବାକର ପାଲଟାସିଂହ। ସେ ଏଥିପାଇଁ ସୃଷ୍ଟି କରିଛନ୍ତି ନିଜର ନିଆରା ପରିଚୟ।
ଦିବାକରଙ୍କ ପେସା ଓଡିଶା ପୁଲିସ ଗାଡ଼ିଚାଳକ, କିନ୍ତୁ ନିଶା ତାଙ୍କର ଚାଷ। ଚାକିରିର ଗୁରୁ ଦାୟିତ୍ୱ ନିର୍ବାହ କରିବା ସହ ଚାଷ କରିବାକୁ ସେ ବେଶ୍ ଭଲ ପାଆନ୍ତି। ସମୟକୁ ଅପଚୟ ନକରି ଚାକିରି ସମୟ ବାଦ୍‌ ଅବସର ସମୟକୁ ସେ ଖାଦ୍ୟ ଉତ୍ପାଦନରେ ବିନିଯୋଗ କରନ୍ତି। ଅର୍ଥ ରୋଜଗାର ପାଇଁ ନୁହେଁ, ବରଂ ସମାଜ ନିମନ୍ତେ ଖାଦ୍ୟ ସଂଗ୍ରହ ପାଇଁ ସେ ଚାଷ କରି ବେଶ ଖୁସି ଅନୁଭବ କରନ୍ତି ବୋଲି କହନ୍ତି। ଏକ କୃଷକ ପରିବାରରେ ଜନ୍ମ ନେଇଥିବା ଦିବାକର ସ୍ନାତକ ପାସ୍ କରିଛନ୍ତି। ପିଲାବେଳୁ ଚାଷ ପ୍ରତି ରୁଚି ରଖିଥିଲେ ମଧ୍ୟ ଘରର ଆର୍ଥିକ ଅବସ୍ଥା ଦେଖି ଚାକିରି କରିବାକୁ ବାଧ୍ୟ ହୋଇଥିଲେ। ଓଡିଶା ସରକାରଙ୍କ ପୁଲିସ ବିଭାଗର ଗାଡ଼ିଚାଳକ ଭାବେ ନିଯୁକ୍ତି ପାଇଥିଲେ ୧୯୯୭ ମସିହାରେ। ଛାତ୍ର ଜୀବନରୁ କୃଷିକୁ ଆଦରିଥିବା ଦିବାକର ଚାକିରି କଲାପରେ ମଧ୍ୟ ଚାଷକୁ ଛାଡ଼ିନାହାନ୍ତି। ଚାକିରି ଜୀବନରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଗାଡି ଚଳାଇବା ତାଙ୍କ ବୃତ୍ତିଗତ କାର୍ଯ୍ୟ ଥିଲା। ସେଥିରୁ ସମୟ ବାହାର କରି ଚାଷ କରୁଥିଲେ; କିନ୍ତୁ କୃଷି ଶ୍ରମିକଙ୍କ ମଜୁରି ବୃଦ୍ଧି ଯୋଗୁଁ ସେ ତିନିବର୍ଷ ହେଲା ଆପଣେଇଛନ୍ତି ଆଧୁନିକ ଯାନ୍ତ୍ରିକ ପ୍ରଣାଳୀକୁ। ଭାଇ ସୁଧାକର ଓ ହୋମଗାର୍ଡରେ ଥିବା ପୁତୁରା ବିକାଶଙ୍କ ସହ ଆବଶ୍ୟକ ସ୍ଥଳେ କେତେବେଳେ ଜଣେ ଦୁଇଜଣ ଲୋକଙ୍କୁ ନେଇ ସେ ୧୩ ଏକର ଜମିରେ କରିଛନ୍ତି ଧାନଚାଷ। ଧାନ ବିହନ ତଳି ପକାଇବାଠାରୁ ଆରମ୍ଭ କରି ଧାନ ଚୁରି ଚାଉଳ କଲା ପର୍ଯ୍ୟନ୍ତ ସବୁ କରନ୍ତି ନିଜ ବ୍ୟବସ୍ଥାରେ। ଧାନଚାଷ ପାଇଁ ଉତ୍କୃଷ୍ଟ ବିହନ(ବିଡରସିଡ) ଓୟୁଏଟିରୁ ଉଚ୍ଚ ମୂଲ୍ୟଦେଇ ସେ କିଣନ୍ତି। ଜମି କାଦୁଅ କରିବା ପାଇଁ ରଖିଛନ୍ତି ଉଚ୍ଚକ୍ଷମତା ସମ୍ପନ୍ନ ୫୫ ଏଚ୍‌ପିର କୁବୁଟା ଟ୍ରାକ୍ଟର, ଯାହାକୁ ସେ ନିଜେ ଚଲାନ୍ତି। ଏଥିରେ ଘଣ୍ଟାକୁ ୧୦ ମାଣ ଶୁଖିଲା ଜମି ଚଷିପାରୁଥିବା ବେଳେ ୫-୬ ମାଣ ଜମି କାଦୁଅ କରାଯାଇପାରେ। ଦୁବ ଘାସ ଗୁଣ୍ଡ କରିବାକୁ ରୋଟାଭେଟର, ୧୦ଏଚ.ପି ଅଟୋମେଟିକ ଧାନରୁଆ ଯନ୍ତ୍ର, ଘାସ ବଛା , କଟା ଯନ୍ତ୍ର, ଅଟୋମେଟିକ କୀଟନାଶକ ସ୍ପ୍ରେ ମେସିନ, ପାଣି ପମ୍ପ, ଧାନକଟା ଯନ୍ତ୍ର (ରିପୋର), ଧାନ ବେଙ୍ଗଳା ମେସିନ, ଚାଉଳ ପାଇଁ ଧାନଚୁରା ମିନି ସେଲର, ହଲର ଇତ୍ୟାଦି ବ୍ୟବହାର କରନ୍ତି। ତଳିଘରା ସେ ଟ୍ରେ’ରେ କରନ୍ତି। ସେଥିପାଇଁ ରଖିଛନ୍ତି ୧୨ଶହ ଟ୍ରେ।
ଡମଣଭୂମିରେ ହାତୀ ଉପଦ୍ରବ ଅଧିକ; କିନ୍ତୁ ହାତୀ କାଁଭାଁ କ୍ଷତି କରନ୍ତି ତାଙ୍କ ଫସଲ। ହାତୀଙ୍କୁ ଘଉଡାଇବା ପାଇଁ କେତେବେଳେ କେମିତି ବାଣ ବ୍ୟବହାର କରୁଛନ୍ତି, କିନ୍ତୁ ରଖିଛନ୍ତି ସାତ ଆଠଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଜ୍ଜଳ ଆଲୋକ ଦେଉଥିବା ବଡବଡ ଟର୍ଚ୍ଚ। ସେଗୁଡ଼ିକୁ ସେ ହାତୀଙ୍କ ନିୟନ୍ତ୍ରଣ ପାଇଁ ବ୍ୟବହାର କରିଥାନ୍ତି। ଆଧୁନିକ ଯାନ୍ତ୍ରିକ ପ୍ରଣାଳୀରେ ଚାଷ କଲେ ବି ବିଲକୁ ଶଗଡରେ ଆସିବାକୁ ଭଲ ପାଅାନ୍ତି ଦିବାକର। ଜୈବିକ ଗୋବର ଖତ ପାଇଁ ବଳଦ ଓ ୪ଟା ଗାଈ ରଖିଛନ୍ତି। ଗତବର୍ଷ ସେ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିବାବେଳେ ୨୫-୩୦ କୁଇଣ୍ଟାଲ ଘର ଓ ବନ୍ଧୁବାନ୍ଧବ ଲୋକଙ୍କ ପାଇଁ ରହିଥିଲା ବୋଲି ସେ କହନ୍ତି। ଚାଷପାଇଁ ସବୁ ସୁବିଧା ଥାଇ ମଧ୍ୟ ଜଳସେଚନ ସୁବିଧା ନଥିବାରୁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡୁଛି। ୫ଜଣ ଚାଷୀ ଗୋଟିଏ କ୍ଲଷ୍ଟର ହିସାବରେ ୪ଟି କ୍ଲଷ୍ଟର କରି ବୋର​‌େ​‌ୱଲ ମାଧ୍ୟମରେ ଚାଷକୁ ପାଣି ଯୋଗାଇବା ପାଇଁ ତାଙ୍କ ସହିତ ୨୦ଜଣ ଚାଷୀ ଆଗ୍ରହୀ ଅଛନ୍ତି। ୨୦୧୭ରୁ ୨୦ ହଜାର ଟଙ୍କା ଜମା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ହୋଇନପାରିବା ବିଡମ୍ବନାର ବିଷୟ ବୋଲି ସେ କହନ୍ତି। ଚାଷ ସହ ଆଖପାଖ ଅଂଚଳର ଯୁବକମାନେ କିପରି ପୁଲିସ ଓ ସୈନ୍ୟବାହିନୀରେ ଚାକିରି କରିବେ ସେଥିପାଇଁ ସେ ଉଦ୍ୟମ ଜାରିରଖିଛନ୍ତି। ଗାଁରେ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଆଖପାଖ ଅଂଚଳର ପିଲାମାନେ ସକାଳୁ ଆସି ଶାରୀରିକ ବ୍ୟାୟାମ ଓ ଖେଳକୁଦ କରୁଛନ୍ତି। ଅଭାବୀ ପିଲାଙ୍କୁ ଲିଖିତ ପରୀକ୍ଷାପାଇଁ ବହି, ଦୌଡିବା ପାଇଁ ଜୋତା ଆଦି ସେ ଯୋଗାଇ ଦେଉଛନ୍ତି।

Comments are closed.