ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ଶୋ : ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ

ଗାନ୍ଧୀନଗର : ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ଦିଗ୍‌ଗଜ ନେତା ମତଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗାନ୍ଧୀନଗର ଅନ୍ତର୍ଗତ ରାନିପଠାରେ ଏକ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ। ମତଦାନ ପରେ ମୋଦୀ କହିଥିଲେ ବିସ୍ଫୋରକ ଦ୍ରବ୍ୟ ଆଇଇଡି ଆତଙ୍କବାଦୀଙ୍କ ଅସ୍ତ୍ର। କିନ୍ତୁ ଭୋଟର ପରିଚୟ ପତ୍ର (ଆଇଡି) ଗଣତନ୍ତ୍ରକୁ ସୁଦୃଢ କରେ। ଭୋଟର ଆଇଡି ବାସ୍ତବରେ ଆଇଇଡିଠାରୁ ଖୁବ ଅଧିକ ଶକ୍ତିଶାଳୀ। ଏଣୁ ଭୋଟର ଆଇଡିର ଶକ୍ତିକୁ ବୁଝିବାକୁ ହେବ। ମତଦାନ ପରେ ପବିତ୍ର କୁମ୍ଭମେଳାରେ ସ୍ନାନ କରିବା ଭଳି ଆନନ୍ଦ ଅନୁଭବ ହେଉଛି ବୋଲି ସେ କହିଥିଲେ। ଚଳିତଥର ଯେଉଁମାନେ ପ୍ରଥମକରି ଭୋଟ ଦେଉଛନ୍ତି ବାସ୍ତବରେ ଏହି ଶତାବ୍ଦୀ ହେଉଛି ସେହିମାନଙ୍କର। ଏଣୁ ନୂତନ ​‌େ​‌ଭାଟର ଶତପ୍ରତିଶତ ମତଦାନ କରିବାକୁ ସେ ନିବେଦନ କରିଥିଲେ।
ଭୋଟ ଦେବା ଲାଗି ମୋଦୀ ଏକ ଖୋଲା ଜିପ୍‌ରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଦଳୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ଶାହାଙ୍କ ସହିତ କିଛି ବାଟ ଚାଲିଚାଲି ଯାଇଥିଲେ। ମତଦାନ ପୂର୍ବରୁ ମୋଦୀଙ୍କର ଏହି ମିନି ରୋଡ ଶୋ’କୁ ନେଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନର ଅଭିଯୋଗ ଆସିଛି। ଅଭିଯୋଗ ଆଧାରରେ ନିର୍ବାଚନ ଆୟୋଗ (ଇସି) ରିପୋର୍ଟ ମାଗିଛନ୍ତି। ଗୁଜରାଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବା ଲାଗି ଇସି ନିର୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଶୋଭାଯାତ୍ରା ଓ ଭାଷଣ ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁଛି। ଦଳ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ଦୁଇଥର ଅଭିଯୋଗ ଆସିଛି। ଇସି ଏହିସବୁ ଅଭିଯୋଗ ଉପରେ ତଦନ୍ତ କରୁଛନ୍ତି। ୨୦୧୪ରେ ମତଦାନ ପରେ ମୋଦୀ ବୁଥ ବାହାରେ ନିଜର ସ୍ୟାହି ଚିହ୍ନ ସମ୍ବଳିତ ଅଙ୍ଗୁଳି ଓ ବିଜେପିର ନିର୍ବାଚନ ଚିହ୍ନ ପଦ୍ମଫୁଲର ବ୍ୟାଜ ସହିତ ଏକ ସେଲଫି ନେଇଥିଲେ। ତାହାକୁ ଟ୍ବିଟରରେ ପୋଷ୍ଟ କରିବା ସହିତ ଲେଖିଥିଲେ ଯେ ସେଲଫି ଆସିଯାଇଛି, ଆପଣ ମଧ୍ୟ ନିଜର ସେଲଫି ଟ୍ବିଟ କରନ୍ତୁ ଓ ଦେଖନ୍ତୁ କ’ଣ ହେଉଛି। ମୋଦୀଙ୍କ ଏହି ସେଲଫିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏପରିକି ନିର୍ବାଚନ ଆୟୁକ୍ତ ଏହି ମାମଲାରେ ଏକ ଏଫଆଇଆର ମଧ୍ୟ ରୁଜୁ କରିଥିଲେ।
ଆଜିର ମତଦାନ ପୂର୍ବରୁ ମୋଦୀ ଘରକୁ ଯାଇ ମା’ ହୀରାବେନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ମା’ ତାଙ୍କୁ ମିଠା ଖୁଆଇବା ସହିତ ଆଶୀର୍ବାଦ ସ୍ବରୂପ ଏକ ଶାଲ୍‌ ଓ ନଡିଆ ପ୍ରଦାନ କରିଥିଲେ। ମା’ ଓ ଭାଇ ପଙ୍କଜ ମୋଦୀ ତଥା ତାଙ୍କ ପରିବାର ଲୋକଙ୍କ ସହିତ ପ୍ରାୟ ୨୦ ମିନିଟ ଅତିବାହିତ କରିବା ପରେ ସ୍ଥାନୀୟ ବାସିନ୍ଦା ସହିତ କଥାବାର୍ତ୍ତା କରିଥିଲେ। ସେ ସେଠାକାର କିଛି ପିଲାଙ୍କ ସହିତ ସେଲଫି ନେଇଥିଲେ।

Comments are closed.