ନୃପେନ୍ଦ୍ର ମିଶ୍ର, ପିକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ: ନୃପେନ୍ଦ୍ର ମିଶ୍ର ଓ ପିକେ ମିଶ୍ରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ପିକେ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟକାଳ ବୃଦ୍ଧି ସହିତ ଏହି ଦୁଇ ଅଧିକାରୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ମାନ୍ୟତା ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟିର ନିଷ୍ପତ୍ତି ଅନୁଯାୟୀ ମେ ୩୧ ତାରିଖରୁ ଏମାନଙ୍କ କାର୍ଯ୍ୟ ଅବଧି କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ସହିତ ଏହି ଦୁଇ ଅଧିକାରୀଙ୍କ କାର୍ଯ୍ୟ ଅବଧି ଅନୁରୂପ ଭାବେ ବୃଦ୍ଧି ପାଇବ ବୋଲି କାର୍ମିକ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିବା ସହିତ କ୍ୟାବିନେଟ୍ ମନ୍ତ୍ରୀ ମାନ୍ୟତା ପ୍ରଦାନ କରିଥିଲେ। କ୍ୟାବିନେଟ ସଚିବ ପିକେ ସିହ୍ନାଙ୍କ କାର୍ଯ୍ୟକାଳକୁ ସରକାର ଆଉ ତିନିମାସ ବୃଦ୍ଧି କରିଛନ୍ତି। ସିହ୍ନାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସରକାର ୬୦ବର୍ଷର ପୁରୁଣା ନିୟମକୁ ପରିବର୍ତ୍ତନ କରିଥିଲେ। ଏହାଦ୍ବାରା ସିହ୍ନା ଦେଶର ସର୍ବାଧିକ ସମୟ କାର୍ଯ୍ୟ କରିଥିବା ଅମଲାତନ୍ତ୍ର ଅଧିକାରୀ ଭାବେ ରେକର୍ଡ କରିଛନ୍ତି। ତୃତୀୟ ଥର ପାଇଁ ସିହ୍ନାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ସିହ୍ନାଙ୍କ କାର୍ଯ୍ୟକାଳ ଏକବର୍ଷ ଲେଖାଏଁ ବୃଦ୍ଧି କରାଯାଇଥିଲା।

Comments are closed.