ଶିମିଳିପାଳ ପାଦଦେଶରେ ଚାଲିଥିବା ୧୬ଟି କ୍ରସର ବନ୍ଦ ପାଇଁ ସୁପାରିଶ

ବଡ଼ସାହି: ଶିମିଳିପାଳ ପାଦଦେଶର ଥିବା ବେଆଇନ ଖାଦାନରେ ୧୪୪ଧାରା ଜାରି ପରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ୧୬ଟି ଘରୋଇ ଷ୍ଟୋନ କ୍ରସର ବନ୍ଦ ପାଇଁ ସୁପାରିଶ କରାଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ ମଲ୍ଲିକ ଏହି କ୍ରସର ଗୁଡିକର ଯୁଗ୍ମ ତଦନ୍ତ ରିପୋର୍ଟକୁ ଭିତ୍ତି କରି ସେପ୍ଟେମ୍ବର ୫ତାରିଖ ପତ୍ର ସଂଖ୍ୟା ନଂ ୫୭୪୩ କ୍ରମେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଏହି ସୁପାରିଶ କରିଛନ୍ତି। ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ବନବିଭାଗ, ରାଜସ୍ୱ ବିଭାଗ ଓ ରାଜ୍ୟ ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ସମନ୍ୱୟ ବୈଠକର ପ୍ରସ୍ତାବ ଅନୁଯାୟୀ ବନଖଣ୍ଡ ଅଧିକାରୀ ଏହା ଜଣାଇଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଡୁକୁରା ରେଞ୍ଜ ଅଧୀନ ବଡ଼ସାହି, ଶାମଖୁଣ୍ଟା ଓ ଖୁଣ୍ଟା ତହସିଲ ଏବଂ ବାଙ୍ଗିରିପୋଷୀ ରେଞ୍ଜ ତଥା ତହସିଲ ଅଞ୍ଚଳରେ ଶିମିଳିପାଳ ପାଦଦେଶର ୧୦କିମି ପରିସୀମା ଭିତରେ ଏହି କ୍ରସର ୟୁନିଟ ଗୁଡ଼ିକ ରହିଛି।

ବଡ଼ସାହି ତହସିଲ ଅଧୀନରେ ଥିବା ୩ଟି କ୍ରସର ଗୁଡ଼ିକ ହେଲା ଏମ/ଏସ୍‍ ପଦ୍ମିନୀ ଷ୍ଟୋନ କ୍ରସର(୭.୮୫କିମି), ପ୍ରହଲ୍ଲାଦ ଏଣ୍ଟରପ୍ରାଇଜେସ(୪.୪୩କିମି) ଓ କମଳେନ୍ଦୁ ଷ୍ଟୋନ କ୍ରସର(୪.୯୩କିମି)। ଶାମାଖୁଣ୍ଟା ତହସିଲ ଅଧୀନରେ ବାବା ମହାବୀର ଷ୍ଟୋନ କ୍ରସର(୨.୬୭କିମି), ମା’ କିଚକେଶ୍ୱରୀ ଷ୍ଟୋନ କ୍ରସର(୨.୦୨କିମି), ଶ୍ରୀଦୁର୍ଗା ଷ୍ଟୋନ କ୍ରସର(୩.୫୮କିମି), ଶ୍ରୀଦୁର୍ଗା ଷ୍ଟୋନ ଆଣ୍ଡ ଷ୍ଟୋନ ୱାର୍କ୍ସ (୩.୩୭କିମି), କ୍ରସର(୩.୫୮କିମି) ଆଦି ୪ଟି ୟୁନିଟ ଥିଲା ବେଳେ ଖୁଣ୍ଟା ତହସିଲ ଅଧୀନରେ ମା’ ଦାଣ୍ଡକାଳୀ ଷ୍ଟୋନ କ୍ରସର(୨.୪୧କିମି), ଓମ୍‍ ଲୀସା ଷ୍ଟୋନ ପ୍ରଡ଼କ୍ଟସ୍‍(୨.୫୩କିମି), ଓମ୍‍ ଲୀସା ଷ୍ଟୋନ କ୍ରସର(୧.୬୩କିମି), ନଳିନୀ ଷ୍ଟୋନ କ୍ରସର(୯.୨୨କିମି), ପରମ ବୈଷ୍ଣବୀ ପ୍ରଡ଼କ୍ଟସ୍‍(୨.୯୨କିମି), ଇସ୍ପାତ ପ୍ରଡ଼କ୍ଟସ୍‍(୨.୪୩କିମି), ଚକ୍ର ମିନେରାଲ୍ସ(୨.୩୩କିମି) ଓ ଏମ୍‍/ଏସ୍‍ ଅମ୍ବିକା ଷ୍ଟୋନ କ୍ରସର(୨.୬୬କିମି) ଆଦି ୮ଟି ୟୂନିଟ ରହିଛି। ବାଙ୍ଗିରିପୋଷି ତହସିଲ ଅଧୀନରେ ଥିବା ଗୋଟିଏ କ୍ରସର ୟୂନିଟ ଥିବା ବେଳେ ଶିମିଳିପାଳ ଠାରୁ ୪.୧କି.ମି ଦୂରତ୍ୱରେ ଅବସ୍ଥିତ।

ଏହି ୧୬ଟି କ୍ରସର ଶିମିଳିପାଳ ସାଙ୍କଚୁୟାରୀର ଚିହ୍ନଟ ସ୍ଥାନ ଠାରୁ ୧୦କିମି ପରିସୀମା ମଧ୍ୟରେ ଅର୍ଥାତ ଇକୋ-ସେନ୍‍ସିଟିଭ୍‍ ଜୋନ ମଧ୍ୟରେ ଥିବା ରିପୋର୍ଟରେ ଦର୍ଶାଇଯାଇଛି। ଅଧିକାଂଶ କ୍ରସରରେ ନୂତନ ପ୍ରଦୁଷଣ ନୀତି ଉଲଘଂନ କରାଯାଉଥିବା ବେଳେ ଡ଼ଷ୍ଟଗୁଣ୍ଡ ପ୍ରତିରୋଧ ପାଇଁ ଗ୍ରୀନ ଥିକ ବେଲ୍ଟ କ୍ରସର ୟୂନିଟ ପରିସୀମାରେ ଲଗାଯାଇନାହିଁ। କ୍ରସରରେ ବ୍ୟବହୃତ ହେଉଥିବା କଞ୍ଚାମାଲର ସଠିକ ପ୍ରମାଣପତ୍ର ମଧ୍ୟ କେତେକ ମାଲିକ ଦାଖଲ କରିନାହାନ୍ତି। ସେହିପରି ଅନେକ କ୍ରସର ମାଲିକ ବେଆଇନ ଖାଦାନ ସୀମାକୁ ଲାଗି ଥିବାରୁ ବେଆଇନ ଭାବେ ଅଧିକୃତ ଏରିଆ ଦଖଲ କରିଛନ୍ତି, ଯାହାକୁ ଦଖଲମୁକ୍ତ କରାଯାଇ ପାରୁନାହିିଁ। ୮ଟି ୟୂନିଟରେ ଥିବା ମାଲିକଙ୍କ ଯାନବାହାନ ବେଆଇନ ଲଘୁ ଖଣିଜ ପଦାର୍ଥ/ପଥର ପରିବହନରେ ଲାଗିଥିବା ଧରା ମଧ୍ୟ ପଡ଼ିଥିବା ଦର୍ଶାଯାଇଛି। ଏଣୁ ଯୁଗ୍ମ ତଦନ୍ତ ରିପୋର୍ଟକୁ ଭିତ୍ତି କରି ପୁନଃ ସମୀକ୍ଷା କରାଯାଇ ସେଗୁଡ଼ିକୁ ବାରଣ କରାଗଲେ ଶିମିଳିପାଳର ଇକୋ-ସେନ୍‍ସିଟିଭ୍‍ ଜୋନ ସୁରକ୍ଷିତ ରହିପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଅପରପକ୍ଷରେ କ୍ରସର ମାଲିକ ସଂଘ ପକ୍ଷରୁ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରାଯିବା ସହିତ ଏପରି ନିଷ୍ପତ୍ତିର ବିରୋଧ କରାଯାଇଛି। ପୂର୍ବରୁ କ୍ରସର ସ୍ଥାପନ ସମୟରେ ପ୍ରଶାସନ ସମସ୍ତ ତଦନ୍ତ କରିବା ପରେ ମଞ୍ଜୁରୀ ମିଳିଥିଲା। ସେବେ ଠାରୁ ସମସ୍ତ କାର୍ଯ୍ୟ ଆଇନ ସମ୍ମତ ଚାଲିଥିବାର ଦର୍ଶାଯାଇଛି। ସମସ୍ତ ରେକର୍ଡ଼ ପତ୍ରର ନକଲ ପୂର୍ବରୁ ଜିଲାପାଳଙ୍କୁ ଦିଆଯାଇଥିବା ବେଳେ ଶନିବାର ସଭାପତି ପ୍ରକାଶ ଚନ୍ଦ୍ର କରମହାପାତ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ବନଖଣ୍ଡ ଅଧିକାରୀ ଓ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୧୯୮୬ ମସିହାର ନିୟମ ସ୍ୱତ୍ତେ କଟକଣା ସୀମା ପରିସରରେ ରାଜସ୍ୱ ବିଭାଗ ଖାଦାନ ଗୁଡ଼ିକ ନିଲାମ ଦେବାରୁ ପରବର୍ତ୍ତୀ ସମୟରେ ପ୍ରଶାସନ ନିୟମ ଲାଘବ କରି କ୍ରସର ସ୍ଥାପନର ସମସ୍ତ ସର୍ତ୍ତାବଳୀ ଯାଞ୍ଚ ପୂର୍ବକ ଅନୁମତି ଦେଇଥିଲା। ୧୦କିମି ସୀମା କଟକଣା କପିଳାସରେ ୫୬୦ମିଟରକୁ କମିଥିବା ବେଳେ ଭିତରକନିକାରେ ୫୦୦ମିଟର, ଚନ୍ଦକା ଓ ହଦଗଡ଼ରେ ଶୂନ ମିଟର, କୁଲଡ଼ିହାରେ ୫୦୦ମିଟରରୁ ରୁ ୨କିମି ମଧ୍ୟରେ ଅନୁମତି ଦିଆଯାଇଛି। ଏପରିସ୍ଥଳେ ଶିମିଳିପାଳ ପାଇଁ ୧୦କିମି ପରିସୀମା କରାଯିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସୁପାରିଶର ପୁର୍ନବିଚାର ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

Comments are closed.