ଓଜସ୍ୱିନୀ ଓଡ଼ିଶା: ବରିଷ୍ଠରେ ବୌଦ୍ଧ ଓ କନିଷ୍ଠରେ ରାଉରକେଲା ବିଜୟୀ

କଟକ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବ୍ୟବହିତ ପୂର୍ବରୁ ସୋମବାର ଆୟୋଜିତ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡ଼ିଶା’ରେ ବରିଷ୍ଠ ବିଭାଗରେ ବୌଦ୍ଧ ଓ କନିଷ୍ଠ ବିଭାଗରେ ରାଉରକେଲାର ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରୁ ୩୨ ଜଣ ଲେଖାଏଁ ପ୍ରତିଯୋଗୀ ମନୋନୀତ ହୋଇଥିଲେ। ଉଭୟ ବିଭାଗରେ ତିନି ଜଣ ଲେଖାଏଁ ପ୍ରତିଯୋଗୀ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ବରିଷ୍ଠ ବିଭାଗରେ ପଞ୍ଚାୟତ କଲେଜ, ବୌଦ୍ଧର ଛାତ୍ର ସାରଦା ପ୍ରସନ୍ନ ବୋଷ ପ୍ରଥମ, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକର ଛାତ୍ରୀ ପ୍ରେରଣା ଜେନା ଦ୍ଵିତୀୟ ଓ ନୀଳକଣ୍ଠନଗର ସରସ୍ଵତୀ ବିଦ୍ୟାମନ୍ଦିର, ଗଞ୍ଜାମର ଛାତ୍ର ସୌମ୍ୟ ରଞ୍ଜନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି କନିଷ୍ଠ ବିଭାଗରେ ଚିନ୍ମୟୀ ଇଂରାଜୀ ମାଧ୍ୟମିକ ସ୍କୁଲ, ରାଉରକେଲାର ଛାତ୍ରୀ ପ୍ରୀଶା ପ୍ରିୟଦର୍ଶିନୀ ପ୍ରଥମ, ଦାଶରଥି ବାଳିକା ହାଇସ୍କୁଲ, ଖୋର୍ଦ୍ଧାର ଛାତ୍ରୀ ଅନନ୍ୟା ରାୟ ଦ୍ଵିତୀୟ ଏବଂ ଯାଜପୁର ଜିଲ୍ଲା ସ୍କୁଲର ଛାତ୍ର ରିତେଶ କୁମାର ମହାରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଏହି ରାଜ୍ୟସ୍ତରୀୟ ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ୱିନୀ ଓଡ଼ିଶା’ ଅନୁଷ୍ଠିତ ହୋଇଥିଲା।

Comments are closed.