ଦିନିକିଆ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି, ବୁମରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଜାରି ଦିନିକିଆ ବ୍ୟାଟସମ୍ୟାନ୍ ମାନ୍ୟତାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବୋଲର ମାନ୍ୟତାରେ ଯଶପ୍ରୀତ୍‌ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଆଇସିସି ତରଫରୁ ଜାରି ମାନ୍ୟତାରେ କୋହଲି ୮୯୫ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରୋହିତ ଚଳିତ ସିଜିନ୍‌ରେ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ରେ ଚମତ୍କାର ଫର୍ମରେ ଅଛନ୍ତି।
ବୋଲର ମାନ୍ୟତାରେ ପ୍ରମୁଖ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ୭୯୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ମାନ୍ୟତାରେ ଏକମାତ୍ର ଭାରତୀୟ ଭାବେ ହାର୍ଦିକ ପାଣ୍ଡ୍ୟା ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ତାଙ୍କ ନିକଟରେ ୨୪୬ ପଏଣ୍ଟ ରହିଛି। ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ୩୧୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନର ମହମ୍ମଦ ନବି ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ସୂଚନାଥାଉକି ଭ୍ରମଣକାରୀ ବାଂଲାଦେଶକୁ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ରେ ପରାସ୍ତ କରିଥିଲା ଭାରତୀୟ କ୍ରିକେଟ୍‌ ଦଳ। ଏହାପରେ ଉଭୟ ଦେଶ ମଧ୍ୟରେ ଦୁଇମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟ୍ବେଣ୍ଟି୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳିବ ଭାରତୀୟ କ୍ରିକେଟ୍‌ ଦଳ।

Comments are closed.