ଜାତୀୟ ନାଗରିକ ପଞ୍ଜିକା ; ଚୂଡ଼ାନ୍ତ ତାଲିକା ଲାଗି ସମୟ ଲୋଡ଼ିଲେ ସରକାର

ନୂଆଦିଲ୍ଲୀ : ଚୂଡାନ୍ତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରକାଶ କରିବା ଲାଗି କେନ୍ଦ୍ର ଓ ଆସାମ ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି। ଏ ନେଇ ସର୍ବୋଚ୍ଚ ଅଦାଲତ ଧାର୍ଯ୍ୟ କରିଥିବା ସମୟସୀମା ଆଉ ଏକ ମାସ ବୃଦ୍ଧି କରିବାକୁ ଉଭୟ ପକ୍ଷ ନିବେଦନ କରିଛନ୍ତି। ଆଞ୍ଚଳିକ ସମସ୍ୟା ତଥା ସଦ୍ୟ ବନ୍ୟା ପରିସ୍ଥିତି ଆଢୁଆଳରେ ବହୁ ଲୋକଙ୍କୁ ବେଆଇନ ଭାବେ ଏହି ପଞ୍ଜିକାରେ ସାମିଲ କରାଯାଇଥିବା ଆଶଙ୍କା ରହିଛି। ଏଣୁ ଏହାକୁ ପୁନଃଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି କେନ୍ଦ୍ର ସରକାର ବେଆଇନ ପ୍ରବାସୀ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତିବଦ୍ଧ। ଭାରତକୁ ବିଶ୍ବର ଶରଣାର୍ଥୀଙ୍କ ରାଜଧାନୀରେ ପରିଣତ ହେବାକୁ ଦିଆଯାଇପାରିବ ନାହିଁ। ଏଣୁ ବେଆଇନ ଭାବେ ତାଲିକାରେ ସାମିଲ କରାଯାଇଥିବା ଲୋକଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମେହଟ୍ଟା ଦର୍ଶାଇଛନ୍ତି।
ବାଂଲାଦେଶ ସୀମାକୁ ଲାଗି ରହିଥିବା ଆସାମର ଜିଲାଗୁଡିକରେ ଏନଆରସି ତାଲିକାଭୁକ୍ତ ୨୦% ଲୋକଙ୍କର ଭାରତୀୟ ନାଗରିକତା ସମ୍ବନ୍ଧୀୟ ତଥ୍ୟ ପରୀକ୍ଷାମୂଳକ ଭାବେ ପୁନଃଯାଞ୍ଚ କରିବାକୁ କେନ୍ଦ୍ର ଓ ଆସାମ ସରକାର କୋର୍ଟଙ୍କ ଅନୁମତି ଲୋଡିଥିଲେ। ଆସାମ ଏନଆରସି ସଂଯୋଜକ ପ୍ରତୀକ ହାଜେଲା କହିଛନ୍ତି ଅତିରିକ୍ତ ଲୋକଙ୍କ ସମ୍ପୃକ୍ତୀକରଣ ଏବଂ ବାଦ ପଡିଥିବା ଲୋକଙ୍କ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ; କିନ୍ତୁ ଚୂଡାନ୍ତ ଏନଆରସି ପ୍ରକାଶ ପାଇଁ ଅଧିକ ଏକ ମାସ ସମୟ ଦରକାର। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ମାମଲାର ଶୁଣାଣି କରି କହିଛନ୍ତି ଆସାମ ଏନଆରସି କୋଅର୍ଡିନେଟରଙ୍କ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁସାରେ ପ୍ରାୟ ୮୦ ଲକ୍ଷ ଲୋକଙ୍କ ତଥ୍ୟାବଳୀ ପୁନଃ ଯାଞ୍ଚ ସରିଛି। ଏହି ରିପୋର୍ଟର ଏକ ନକଲ କେନ୍ଦ୍ରକୁ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ ହାଜେଲାଙ୍କୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୩ରେ ହେବ।

Comments are closed.