ଦେଶକୁ ନେତା ନୁହେଁ; ନୀତି ଆବଶ୍ୟକ : ୟେଚୁରୀ

0

ଭୁବନେଶ୍ୱର  : କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାସୀନ ହେବା ପରେ ଦେଶର ଅଖଣ୍ଡତା ପ୍ରତି ବିପଦ ଦେଖାଦେଇଛି। ସାମ୍ପ୍ରଦାୟିକ ଶକ୍ତି ଦେଶରେ ସାମାଜିକ ଏବଂ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି। ନୋଟ୍‌ବନ୍ଦୀ, ଜିଏସ୍‌ଟି ଏବଂ ଖାଉଟି ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶବାସୀ ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଦେଶରେ ନୀତିଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ତେଣୁ ନବୀନ ପଟ୍ଟନାୟକ ତୃତୀୟ ସାମ୍ମୁଖ୍ୟରେ ସାମିଲ୍‌ ହେବାକୁ ଆହ୍ୱାନ ଦେଇଛନ୍ତି ସିପିଆଇ (ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ଏପରିକି ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦୁର୍ଯ୍ୟୋଧନ ଓ ଦୁଃଶାସନ ବୋଲି କଟାକ୍ଷ କରିଥିଲେ। ଆଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ଅନୁଷ୍ଠିତ ‘ସାମ୍ପ୍ରତିକ ଜାତୀୟ ପରିସ୍ଥିତି ଓ ବାମଦଳର ଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେବା ଅବସରରେ ଶ୍ରୀ ୟେଚୁରୀ କହିଥିଲେ ଯେ ଭାରତ ଭଳି ଦେଶରେ ସାମ୍ପ୍ରଦାୟିକ ଶକ୍ତିର ଉତ୍‌ଥାନ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ। ତେଣୁ ଏହା ବିରୋଧରେ ସମସ୍ତ ଧର୍ମନିରପେକ୍ଷ ଶକ୍ତିଙ୍କୁ ଛିଡ଼ା ହେବାକୁ ପଡିବ। ଓଡ଼ିଶାରେ ୧୮ ବର୍ଷ ଧରି ଶାସନ କରି ଆସୁଥିବା ବିଜୁ ଜନତା ଦଳ (ବିଜେଡି) ତୃତୀୟ ସାମ୍ମୁଖ୍ୟରେ ସାମିଲ୍‌ ହେବା ଜରୁରୀ। ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଭାବେ ବିଜେଡିର ସମର୍ଥନ ଆମ ପାଇଁ ଜରୁରୀ। ତେଣୁ ନବୀନ ପଟ୍ଟନାୟକ ଆମ ପ୍ରସ୍ତାବକୁ ସ୍ୱୀକାର କରିବା ସହ ସମସ୍ତ ଧର୍ମନିରପେକ୍ଷ ଦଳର ନେତୃତ୍ୱ ନିଅନ୍ତୁ ବୋଲି ସେ କହିଥିଲେ। ପ୍ରଶ୍ନର ଉତ୍ତରରେ ଶ୍ରୀ ୟେଚୁରୀ କହିଥିଲେ, ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ବିଭିନ୍ନ ଦଳ ସହିତ ଆଲୋଚନା ଚାଲିଛି। ଅନୁରୂପ ଭାବେ ବିଜେଡିକୁ ମଧ୍ୟ ଏଥିରେ ସାମିଲ କରିବା ପ୍ରୟାସ ଜାରି ରହିଛି। ସମ୍ପ୍ରତି ରାଷ୍ଟ୍ରୀୟ ସ୍ତରରେ ସାଧାରଣ ନିର୍ବାଚନ ପରେ ହିଁ ମେଣ୍ଟ ହୋଇଥାଏ; କିନ୍ତୁ ରାଜ୍ୟସ୍ତରରେ ଏହା ନିର୍ବାଚନ ପୂର୍ବରୁ ସମ୍ଭବ ହୋଇପାରେ। ତେଣୁ ଆମ ବିଶ୍ୱାସ ଯେ ବିଜେଡି ଦେଶର ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମ ସହ ଛିଡ଼ା ହେବ। ସେ କହିଥିଲେ, କ୍ଷମତାକୁ ଆସିବା ପରେ ଏନ୍‌ଡିଏ ସରକାର ଦେଶବାସୀଙ୍କୁ ବିଭ୍ରାନ୍ତ କରି ଚାଲିଛି। କର୍ମନିଯୁକ୍ତି, ଦାରିଦ୍ର୍ୟ ଦୂରୀକରଣ, ମୂଲ୍ୟବୃଦ୍ଧି ନିୟନ୍ତ୍ରଣ, ଚାଷୀ ଆତ୍ମହତ୍ୟା ବନ୍ଦ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଛି। ଅନ୍ୟପଟେ ୯.୬ କୋଟି ଲୋକଙ୍କ ଚାକିରି ଯାଇଥିବାବେଳେ ଏ ବର୍ଷ ୭୬ ହଜାର କର୍ମଚାରୀଙ୍କ ଛଟେଇ ପାଇଁ ଆଇଟି କମ୍ପାନୀ ଘୋଷଣା କରିଛନ୍ତି। ବିଦେଶୀ ବ୍ୟାବସାୟିକ ସଂସ୍ଥା ଦେଶରେ ନିଜ ପ୍ରଭାବ ବିସ୍ତାର କରୁଥିବା ବେଳେ ଛୋଟ ବ୍ୟବସାୟୀ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ସରକାରଙ୍କର କେବଳ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁଁ ଏଭଳି ଅସ୍ଥିରତା ସୃଷ୍ଟି ହୋଇଛି। ତେଣୁ ଦେଶରେ ବିକଳ୍ପ ନୀତିର ଆବଶ୍ୟକତା ରହିଛି। ଦେଶକୁ ନେତା ନୁହେଁ, ନୀତିର ଆବଶ୍ୟକତା ରହିଛି। ଯଦି ଆମେ ଆମ ଯୁବ ସମାଜକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ କର୍ମନିଯୁକ୍ତି ଦେଇ ପାରିବା ତେବେ ସେହିମାନେ ହିଁ ଏକ ନୂଆ ଭାରତ ବର୍ଷ ନିର୍ମାଣ କରିପାରିବେ ବୋଲି ୟେଚୁରୀ କହିଥିଲେ। ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ବକ୍ତବ୍ୟ ରଖିଥିଲେ। ଶେଷରେ ଦଳର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply