ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ଜିଲାସ୍ତରୀୟ ତର୍କ ପ୍ରତିଯୋଗିତା ; ଭାଗନେଲେ ଦୁଇ ହଜାରରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

0

କଟକ :  ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ରବିବାର ସାରା ରାଜ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନିଷ୍ଠ ଓ ବରିଷ୍ଠ ବିଭାଗରେ ରାଜ୍ୟରେ ମୋଟ ୨୦୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଇଥିଲେ।


ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପ୍ରତି କେନ୍ଦ୍ରରେ ସକାଳୁସକାଳୁ ପ୍ରତିଯୋଗୀମାନେ ଗହଳି ଲଗାଇଥିଲେ। ତରୁଣ ପିଢି ବିଦ୍ୟାର୍ଥୀଙ୍କ ଚିନ୍ତା ଓ ଚେତନାର ଅନନ୍ୟ ଉଦ୍‍ଗିରଣ ପାଇଁ ‘ଓଜସ୍ୱିନୀ ଓଡିଶା’ ନାମରେ ହେଉଥିବା ଏହି ପ୍ରତିଯୋଗିତା ରାଜ୍ୟର ୩୦ଟି ଜିଲା ମୁଖ୍ୟାଳୟ ସମେତ ଭୁବନେଶ୍ୱରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କନିଷ୍ଠ ଏବଂ +୨ ଓ +୩ର ଛାତ୍ରଛାତ୍ରୀଙ୍କ ପାଇଁ ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କନିଷ୍ଠ ବିଭାଗର ବିଷୟବସ୍ତୁ ‘ଗୋପବନ୍ଧୁ, ପ୍ରାଚୀନତା ଓ ଆଧୁନିକତାର ଅପୂର୍ବ ସମନ୍ୱୟ’ ଏବଂ ବରିଷ୍ଠ ବିଭାଗରେ ‘ଗାନ୍ଧିବାଦରେ ଗଣତନ୍ତ୍ରର ସ୍ୱରୂପ’ ଉପରେ ପ୍ରତିଯୋଗୀମାନେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ। ଜିଲାସ୍ତରରେ ଆୟୋଜିତ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ ଥିବା
ପ୍ରତିଯୋଗୀଙ୍କୁ ୫,୦୦୦ଟଙ୍କା, ଦ୍ୱିତୀୟ ୩୦୦୦ ଟଙ୍କା ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୨୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ଆସନ୍ତା ୧୨ତାରିଖରେ ଗୋପବନ୍ଧୁ ଭବନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୩ତାରିଖ ନେତ୍ରୋତ୍ସବରେ ବିଜୁ ପଟ୍ଟନାୟକଛକ ସାରଳା ଭବନରେ ପାଳନ ହେବାକୁ ଥିବା
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୦,୦୦୦, ଦ୍ୱିତୀୟ ୧୫,୦୦୦ ଏବଂ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

Leave A Reply