ତିସ୍‌ ହଜାରି ହିଂସା: ଆନ୍ଦୋଳନରୁ ଓହରିଲେ ଓକିଲ

ନୂଆଦିଲ୍ଲୀ : ତିସ ହଜାରି କୋର୍ଟ ବାହାରେ ହିଂସାକୁ ନେଇ ଚାଲିଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓକିଲମାନେ ଓହରିଛନ୍ତି। ଡିସେମ୍ବର ୨୩ ପର୍ଯ୍ୟନ୍ତ ଓକିଲମାନେ ସାମୟିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଥିବା ଜିଲା କୋର୍ଟ ବାର ଆସୋସିଏସନ୍‌ ସମନ୍ବୟ କମିଟି ଅଧ୍ୟକ୍ଷ ମହାବୀର ଶର୍ମା ଶୁକ୍ରବାର କହିଛନ୍ତି। ପୁଲିସ ସହିତ ଓକିଲଙ୍କ ସଂଘର୍ଷ ମାମଲାର ସମାଧାନ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଶର୍ମା କହିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ଆମେ ସମସ୍ତେ ଶନିବାରଠାରୁ କାର୍ଯ୍ୟରେ ଯୋଗଦେବୁ ବୋଲି ସେ କହିଛନ୍ତି। ପୁଲିସ ସହିତ ଲଢେଇରେ ସମର୍ଥନ ପାଇଁ ସେ ସମସ୍ତ ଓକିଲ ସଂଘର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ହିଂସା ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ୨ ଜଣ ପୁଲିସ କର୍ମଚାରୀମାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏମାନଙ୍କ ବିରୋଧରେ ଡିସେମ୍ବର ୨୩ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଦିଲ୍ଲୀ ପୁଲିସ ଦ୍ବାରା ଏହି ମାମଲାରେ ଦାଖଲ ଆବେଦନ ଉପରେ ନିଜର ଜବାବ ଦାଖଲ କରିବା ଲାଗି ବିଭିନ୍ନ ଓକିଲ ସଙ୍ଘକୁ କୋର୍ଟ ନୋଟିସ ଜାରି କରିଛନ୍ତି। ଏଏସଆଇ ପୱନ କୁମାର ଏବଂ କାମତା ପ୍ରସାଦଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ପୁଲିସ ପକ୍ଷରୁ ୨ଟି ଆବେଦନ ଦାଖଲ କରାଯାଇଥିଲା। ସେହିଭଳି ଏସିଏମଏମ ପୁଲିସକୁ ସ୍ଥିତାବସ୍ଥା ସମ୍ବନ୍ଧରେ ରିପୋର୍ଟ ମାଗିବା ଲାଗି ଅନ୍ୟ ଏକ ଆବେଦନ କରାଯାଇଥିଲା। ମୁଖ୍ୟ ବିଚାରପତି ଡି. ଏମ ପଟେଲ ଏବଂ ଜଷ୍ଟିସ ସି. ହରି ଶଙ୍କରଙ୍କ ପୀଠ ଏହି ଆବେଦନ ଉପରେ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଆଡଭୋକେଟ ମୋହିତ ମାଥୁର ଓକିଲମାନଙ୍କ ପକ୍ଷ ଉପସ୍ଥାପନ କରି ଏହି ଆବେଦନଗୁଡିକୁ ବିରୋଧ କରିଥିଲେ। କୋର୍ଟଙ୍କ ସଦ୍ୟ ନିର୍ଦେଶ ଉପରେ ଓକିଲମାନଙ୍କ ସମନ୍ବୟ କମିଟି ନିଷ୍ପତ୍ତି ନେବ ବୋଲି କହିଛି। ଉଲ୍ଲେଖ ଯେ ନ‌େ‌ଭମ୍ବର ୨ରେ ତିସ ହଜାରୀ କୋର୍ଟ ପରିସରରେ ଦିଲ୍ଲୀ ପୁଲିସ କର୍ମଚାରୀ ଏବଂ ଓକିଲମାନଙ୍କ ମଧ୍ୟରେ ପାର୍କିଂ ପ୍ରସଙ୍ଗକୁ ନେଇ ସଂଘର୍ଷ ଘଟିଥିଲା। ଏଥିରେ ଉଭୟପକ୍ଷର କିଛି ଲୋକ ଆହତ ହୋଇଥିଲେ। ପୁଲିସ ଗୁଳିରେ ଜଣେ ଓକିଲ ଆହତ ହେବା ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା।

Comments are closed.