ପ୍ରଧାନମନ୍ତ୍ରୀଙ୍କୁ ଅନୀତାଙ୍କ ନିବେଦନ; ଜାପାନରେ ଥିବା ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା କରାଯାଉ

କଲକାତା : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ। ଏହି ପରିପ୍ରେକ୍ଷୀରେ ଜାପାନର ରେଙ୍କୋଜି ମନ୍ଦିରରେ ରହିଥିବା ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା କରିବା ଲାଗି ତାଙ୍କ ଅନୀତା ବୋଷ ଦାବି କରିଛନ୍ତି। ଗୁରୁବାର ଅନୀତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି।

ଅନୀତା ଲେଖିଛନ୍ତି ଯେ ନେତାଜୀଙ୍କ ମୃତ୍ୟୁକୁ ନେଇ ରହସ୍ୟର ଉନ୍ମୋଚନ କରାଯାଉ। ସେ କହିଛନ୍ତି ଯେ ନେତାଜୀଙ୍କ ମୃତ୍ୟୁର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ପୂର୍ବତନ ସରକାରଗୁଡିକ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି। ୧୯୪୫ ଅଗଷ୍ଟ ୧୮ରେ ତାଙ୍କ ପିତା ନେତାଜୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏହା ପ୍ରମାଣିତ ନ ହେବା ଯାଏ ଏହାକୁ ସେ ଗ୍ରହଣ କରିପାରିବେ ନାହିଁ। ଡିଏନଏ ପରୀକ୍ଷା ଦ୍ବାରା ଏହି ଚିତାଭସ୍ମ ନେତାଜୀଙ୍କର ନା’ ଅନ୍ୟ କାହାର ତାହା ଜଣାପଡିବ। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ଓ ଜାପାନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିବାକୁ ଚାହାନ୍ତି ବୋଲି ଅନୀତା କହିଛନ୍ତି। ଅନ୍ୟପଟେ ନେତାଜୀଙ୍କ ସମ୍ପର୍କରେ ଜାପାନ ସରକାରଙ୍କ ପାଖରେ ଯଦି କିଛି ଦସ୍ତାବିଜ ଥାଏ ତେବେ ଏହାକୁ ସାର୍ବାଜନୀନ କରାଯାଉ। ଗତ ଅଗଷ୍ଟ ୧୮ରେ କେନ୍ଦ୍ର ସରକାର ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ନେତାଜୀଙ୍କ ମୃତ୍ୟୁ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ଏହି ଶ୍ରଦ୍ଧାଞ୍ଜଳିକୁ ନେଇ ବିବାଦ ଦେଖାଯାଇଥିଲା। ନେତାଜୀଙ୍କ ପରିବାର ଏହାକୁ ବିରୋଧ କରିବା ପରେ ପିଆଇବି ଏହାର ଶ୍ରଦ୍ଧାଞ୍ଜଳିକୁ ପ୍ରତ୍ୟାହାର କରିନେଇଥିଲା। କାରଣ ଭାରତ ସରକାର କିମ୍ବା ଅନ୍ୟ କୌଣସି ସଂଗଠନ ପକ୍ଷରୁ ନେତାଜୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ନଥାଏ। ଜର୍ମାନୀରେ ରହୁଥିବା ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଅନୀତା କହିଛନ୍ତି ଯେ ଅତୀତର କଂଗ୍ରେସ ସରକାର ଏହି ପ୍ରସଙ୍ଗକୁ ଅବହେଳା କରିଥିବା ନେଇ ତାଙ୍କ ପାଖରେ ପ୍ରମାଣ ନାହିଁ। ତଥାପି ସରକାରଙ୍କ କିଛି ଲୋକ ଏହି ରହସ୍ୟର ସମାଧାନ କରିବାକୁ ଚେଷ୍ଟା କରିନାହାନ୍ତି।

Comments are closed.