ମୁସଲମାନ ଯୁବକଙ୍କୁ ‘ଜୟ ଶ୍ରୀରାମ, ଭାରତ ମାତା କି ଜୟ’ କହିବାକୁ ବାଧ୍ୟ କରି ଆକ୍ରମଣ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସହରରେ ଜଣେ ମୁସଲମାନ ଯୁବକଙ୍କୁ ଆକ୍ରମଣ କରାଯାଇଛି। କେତେଜଣ ଯୁବକ ତାଙ୍କୁ ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ କହିବାକୁ ବାଧ୍ୟ କରି ଏଭଳି ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ମହମ୍ମଦ ବରକତ ଆଲମ। ସେ ୧୫ ଦିନ ତଳେ କୌଣସି କାମରେ ହରିୟାଣା ଆସିଥିଲେ। ଶନିବାର ରାତି ପ୍ରାୟ ୧ଟା ୧୫ରେ ସେ ଏକ ମସ୍‌ଜିଦରୁ ଫେରୁଥିବାବେଳେ ସଦର ବଜାର ଅଞ୍ଚଳରେ ତାଙ୍କୁ କେତେଜଣ ଯୁବକ ଅଟକାଇଥିଲେ। ଯୁବକମାନଙ୍କ ମଧ୍ୟରୁ ୪ ଜଣ ବାଇକରେ ଏବଂ ଅନ୍ୟ ୨ ଜଣ ଚାଲି ଚାଲି ଆସିଥିଲେ। ପରେ ସେମାନେ ତାଙ୍କୁ ଜୟ ଶ୍ରୀରାମ ଏବଂ ଭାରତ ମାତା କି ଜୟ କହିବାକୁ ବାଧ୍ୟ କରିଥିଲେ। ଆଲମ ମନା କରିବାରୁ ଯୁବକମାନେ ତାଙ୍କୁ ମାଡ଼ ମାରିଥିଲେ। ଏପରି କି ତାଙ୍କ ପୋଷାକ ଚିରି ଦେବା ସହ ତାଙ୍କୁ ଘୁଷୁରି ମାଂସ ଖୁଆଇବା ନେଇ ଧମକ ଦେଇଥିଲେ। ସ୍ଥାନୀୟ ଲୋକେ ଏସବୁ ଦେଖୁଥିଲେ ବି କେହି ପ୍ରତିବାଦ କରି ନ ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ସମର୍ଥକ ବୋଲି ଆକ୍ରମଣକାରୀମାନେ କହିଥିଲେ। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। କିନ୍ତୁ କାହାକୁ ଗିରଫ କରିନାହିଁ।

Comments are closed.