ଆଜି ସିଆଚେନ୍ ଯିବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଧୋନି

ଶ୍ରୀନଗର : ପ୍ରାଦେଶିକ ସେନା (ଟେରିଟୋରିଆଲ୍‌ ଆର୍ମି)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନା ସହ ଏବେ ଜାମ୍ମୁ-କାଶ୍ମୀରରେ ଅଛନ୍ତି। ଜୁଲାଇ ୩୧ରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଧୋନି ଆସି ୧୦୬ ପାରା ଟିଏ ବାଟାଲିଅନ୍‌ରେ ଯୋଗ ଦେଇଥିଲେ। ଶ୍ରୀନଗର ନିକଟସ୍ଥ ଖୁନ୍‌ମୁରେ ସେ ପହଞ୍ଚି ତାଙ୍କର ୧୬ ଦିନିଆ ତାଲିମ ଆରମ୍ଭ କରିଥିଲେ। ତାଙ୍କର ଏହି ତାଲିମର ଅନ୍ତିମଦିନରେ ଗୁରୁବାର ସ୍ବାଧୀନତା ଦିବସରେ ଧୋନି ସିଆଚେନ୍ ଯିବାର କାର୍ଯ୍ୟକ୍ରମ ରହିଛି। ସମୁଦ୍ର ପତନଠାରୁ ବହୁତ ଉଚ୍ଚତାରେ ଥିବା ସିଆଚେନ୍‌ରେ ଭାରତୀୟ ସୈନିକ କିପରି ତାଙ୍କ ଦାୟିତ୍ବ ନିର୍ବାହ କରୁଛନ୍ତି; ତାହା ଦେଖିବେ ଧୋନି। ଏହି ଗସ୍ତ ଅବସରରେ ଧୋନି ୱାର୍ ମେମୋରିଆଲ୍‌ରେ ସହିଦ୍‌ ଯବାନଙ୍କୁ ସମ୍ମାନ ପ୍ରଦର୍ଶନ କରିବେ।
ପୂର୍ବ କାରାକୋରମ୍‌ ପର୍ବତମାଳାରେ ଅବସ୍ଥିତ ସିଆଚେନ୍ ଭାରତ-ପାକିସ୍ତାନ ସୀମାର ଖୁବ୍ ନିକଟବର୍ତ୍ତୀ। ଏଠାରେ ଧୋନି ସିଆଚେନ୍ ବ୍ୟାଟ୍‌ଲ ସ୍କୁଲ୍‌ ମଧ୍ୟ ପରିଦର୍ଶନ କରିବେ। ସୂଚନା ଅନୁସାରେ; ଜୁଲାଇ ୩୧ରେ ଧୋନି ଖୁନ୍‌ମୁସ୍ଥିତ ୧୦୬ ପାରା ଟିଏ ବାଟାଲିଅନ୍‌ରେ ଯୋଗ ଦେଇଥିଲେ। ସେଠାରେ ସେ ଭାରତୀୟ ଯବାନଙ୍କ ସହ ତାଲିମ ନେଇଥିଲେ ଏବଂ ସେମାନଙ୍କ ସହ ଭଲିବଲ୍‌ ଖେଳିଥିଲେ। ସେଠାରେ ୬ ଦିନ ରହିବା ପରେ ଧୋନି ଭାରତୀୟ ସେନାର ୧୫ କୋର୍ ମୁଖ୍ୟାଳୟରେ ପହଞ୍ଚି ଯବାନଙ୍କ ସହ ଗୋଟିଏ ଦିନ ବିତାଇଥିଲେ। ଅଗଷ୍ଟ ୬ରେ ଧୋନି ବାରାମୂଳାରେ ରହି ଯବାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ। ୭ରେ ଧୋନି ଉରି ଯାଇଥିବା ବେଳେ ୮ରେ ଅନନ୍ତନାଗରେ କଟାଇଥିଲେ। ପରେ ସେ ୧୦୬ ପାରା ଟିଏ ବାଟାଲିଅନ୍‌ ଫେରି ଆସିଥିଲେ। ଅଗଷ୍ଟ ୧୨ରେ ଧୋନି ଲେହ୍‌ରେ ପହଞ୍ଚିଥିଲେ ଏବଂ ଅତ୍ୟନ୍ତ ଥଣ୍ଡା ବାତାବରଣ ସହ ନିଜକୁ ଖାପ୍ ଖୁଆଇବା ପାଇଁ ସେଠାରେ ୨ ଦିନ ରହିଥିଲେ। ୧୪ରେ ଧୋନି ଭୁଡ୍‌କୁତ୍‌ସ୍ଥିତ ସେନା ଶିବିରକୁ ଆସିଥିଲେ। ସେଠାରେ ଯବାନଙ୍କ ସହ ମିଶି ମହେନ୍ଦ୍ର ସିଂହ ଧୋନି ଆର୍ମି ଗୁଡ୍‌ୱିଲ୍‌ ସ୍କୁଲ୍‌ର ପିଲମାନଙ୍କ ସହ ବେଶ୍ କିଛି ସମୟ କାଟିଥିଲେ। ଏହି ୨ ସପ୍ତାହର ରହଣୀ ମଧ୍ୟରେ ଧୋନି ବିଭିନ୍ନ ପ୍ରକାର ବନ୍ଧୁକ ଚାଳନା ଶିଖିଥିଲେ ଏବଂ ସେନା କିପରି ସୀମାରେ ପହରା ଦେଉଛି; ତାହା ଶିଖିଥିଲେ। ଧୋନି ଅତ୍ୟନ୍ତ ଆଗ୍ରହର ସହ ସମସ୍ତ ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଜଣେ ପ୍ରକୃତ ସେନା ଯବାନଙ୍କ ପରି ଧୋନି ଶୃଙ୍ଖଳାକୁ ଗୁରୁତ୍ବ ଦେଇଥିଲେ। ସେ ଭୋର୍ ୫ଟାରୁ ଉଠି ଯବାନଙ୍କ ସହ ଶାରୀରିକ ଅଭ୍ୟାସ କରୁଥିଲେ ଏବଂ ପରେ ସେମାନଙ୍କ ସହ ଅଭ୍ୟାସରେ ସାମିଲ ହେଉଥିଲେ।

Comments are closed.