ରେଟିଂ କମାଇଲା ମୁଡିସ୍‌ : ସରକାର କହିଲେ ଅର୍ଥନୀତିର ମୂଳଦୁଆ ସୁଦୃଢ଼

ନୂଆଦିଲ୍ଲୀ :  ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମୁଡିସ୍‌ ଭାରତର ରେଟିଂରେ ହ୍ରାସ ଘଟାଇଛି । ମୁଡିସ୍‌ ଦେଶର ଆର୍ଥିକ ଦୃଶ୍ୟପଟ୍ଟକୁ ସ୍ଥିରରୁ ନକାରାତ୍ମକକୁ ହ୍ରାସ କରିଛି। ଅନ୍ୟପକ୍ଷରେ ଦେଶର ଅର୍ଥନୀତିର ମୂଳଦୁଆ ସୁଦୃଢ ରହିଥିବା ସରକାର କହିଛନ୍ତି। ମୁଡିସ୍‌ ପକ୍ଷରୁ କରାଯାଇଥିବା ଏଭଳି ଆକଳନର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଘଟିଛି ।
ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାପେକ୍ଷା ନିମ୍ନଗାମୀ ହେବା ​‌େ​‌ନଇ ବିପଦ ରହିଥିବା ମୁଡିସ୍‌ ଆକଳନ କରିଛି। ଦୀର୍ଘଦିନ ହେବ ଦେଶର ଆର୍ଥିକ କ୍ଷେତ୍ର ସହ ସଂସ୍ଥାଗତ ସମସ୍ୟାର ସମାଧାନ କରିବାରେ ଉଭୟ ସରକାର ଏବଂ ପ୍ରଶାସନିକ ନୀତି ବିଫଳ ହୋଇଥିବା ଏଥିରେ କୁହାଯାଇଛି। ଏହାଫଳରେ ସରକାରଙ୍କ ଉପରେ ଋଣ ବୋଝ ବଢିବାରେ ଲାଗିଛି। ଆଗକୁ ସଂସ୍କାର ପଦକ୍ଷେପ ବ୍ୟବସାୟିକ ନିବେଶ ଏବଂ ଅଭିବୃଦ୍ଧିକୁ ଖୁବ୍‌ ଉଚ୍ଚ ସ୍ତରକୁ ନେବ ​​​‌ବୋଲି ସେ କହିଛନ୍ତି। ଅର୍ଥନୀତିକୁ ବଳ ଦେବାକୁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ମାନ୍ଦାବସ୍ଥାକୁ ​କେତେକାଂଶରେ କମାଇବ ​ବୋଲି ମୁଡିସ୍‌ ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ ଗ୍ରାମୀଣ ପରିବାରଗୁଡିକରେ ଦୀର୍ଘଦିନ ହେବ ଲାଗି ରହିଥିବା ଚାପ,ନିଯୁକ୍ତି ସ୍ଥିତି ଦୂର୍ବଳ ରହିବା ଏବଂ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡିକରେ ସମ୍ପ୍ରତି ଦେଖାଦେଇଥିବା ଋଣ ସଙ୍କଟ ଭାରତରେ ମାନ୍ଦାବସ୍ଥାକୁ ଅଧିକ ଘନାଇବ ​ବୋଲି ଏହି ରି​ପୋର୍ଟରେ ଦର୍ଶାଯାଇଛି। ତେବେ ମୁଡିସ୍‌ ‌ରି​ପୋର୍ଟ ଉପରେ ପ୍ରତିକ୍ରିୟା ରଖି ଅର୍ଥ ମନ୍ତ୍ରାଳୟ କହିଛି ଯେ, ଭାରତ କ୍ରମାଗତ ଭାବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିକାରୀ ଅର୍ଥନୀତି ରହିଛି। ଭାରତର ରେଟିଂ ଏବେ ବି ପ୍ରଭାବିତ ହୋଇନାହିଁ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ନିକଟରେ ଏହାର ସର୍ବଶେ​‌ଷ​‌ ରି​ପୋର୍ଟରେ ଭାରତର ଆର୍ଥିକ ଅଭିବୃଦ୍ଧି ୨୦୧୯ରେ ୬.୧% ଏବଂ ୨୦୨୦ରେ ୭% ରହିବ ବୋଲି ଦର୍ଶାଇଥିବା ମନ୍ତ୍ରାଳୟ କହିଛି।
ଅଭିବୃଦ୍ଧିକୁ ନେଇ ମୁଡିସ୍‌ର ଏହି ରି​ପୋର୍ଟ  ପ୍ରକାଶ ପାଇବା ପରେ ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୩୩୦(୩୩୦.୧୩) ପଏଣ୍ଟ ହ୍ରାସ ଘଟି ୪୦,୩୨୩.୬୧ ପଏଣ୍ଟରେ କାରବାର ଶେଷ ହୋଇଛି।
ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୦୬(୧୦୬.୩୫) ପଏଣ୍ଟ ହ୍ରାସ ଘଟି ୧୧,୯୦୫.୭୦ ପଏଣ୍ଟରେ କାରବାର ଶେଷ ହୋଇଥିଲା। ଏହାଛଡା ନକାରାତ୍ମକ ରେଟିଂର ପ୍ରଭାବରେ ଆଜି ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟିଛି। ଆନ୍ତଃବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୩୧ ପଇସା ହ୍ରାସ ଘଟି ୭୧ ଟଙ୍କା ୨୮ ପଇସାରେ କାରବାର ​ଶେଷ ହୋଇଥିଲା।

Comments are closed.