ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୪ ଗୁରୁତର

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତ ନିକଟସ୍ଥ ତୁମାଙ୍ଗପଦର ଘାଟିରେ ଏକ ମାଲ ବୋଝେଇ ଗାଡ଼ି ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ଦୀନ ମାଝି(୨୩)। ଉଭୟ ମୃତକ ଓ ୧୪ଜଣ ତୁମାଙ୍ଗପଦର ଗାଁର ହୋଇଥିବା ଜଣାପଡିଛି।  ଆହତ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଉଲ୍ଲାସ ରାଉତ କହିଛନ୍ତି। ଆହାତଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡିିଛି। ଖବର ପାଇ ଅଡ଼ବା ଓ ମୋହନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ମୁତାବକ, ଶୁକ୍ରବାର ଚୁଡଙ୍ଗପୁରରେ ସାପ୍ତାହିକ ହାଟ ଥିବା ବେଳେ ତୁମାଙ୍ଗପଦର ଗାଁର ଲୋକେ ଏକ ମାଲ୍ ବୋଝେଇଗାଡ଼ିରେ ହାଟ ସାରି ଗ୍ରାମକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୬ଟାରେ ତୁମାଙ୍ଗପଦର ଘାଟିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ଦୀନ ମାଝିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ପାଇଁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଭର ଲୋଡିଙ୍ଗ ଦ୍ୱାରା ଏପରି ଘଟିଥିବା ଜଣାପଡିଛି।

Comments are closed.