ଅନ୍ଧବିଶ୍ୱାସର କରୁଣ ପରିଣତି,ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ଭାଲିଆସାହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ହୋଇଛି ମରଣାତ୍ମକ ଆକ୍ରମଣ। ଘଟଣାରୁ ପ୍ରକାଶ ଉକ୍ତ ପଞ୍ଚାୟତର ଭାଲିଆସାହି ଗ୍ରାମର ଦାସୁ ମଳିକ (୬୫) ବହୁଦିନରୁ ଅଞ୍ଚଳରେ ଚେରମୂଳି ଔଷଧ ଦେଇ ଲୋକମାନଙ୍କୁ ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରାଉଥିବା ଅଞ୍ଚଳବାସୀ କହିଛନ୍ତି। କିଛି ଦିନ ତଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଏହି କାର୍ୟ୍ୟରୁ ନିବୃତ ରହିବା ପାଇଁ ଧମକ ଚମକ ଦେଇଥିଲେ। ଏ ସମ୍ପର୍କରେ ସେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆପଷ ବୁଝାମଣାରେ ସମସ୍ୟାର ସମାଧାନ ହୋଇଥିଲା। କିନ୍ତୁ ମଙ୍ଗଳବାର ଅପରାହ୍ନରେ ତାଙ୍କର କୁଣ୍ଡିରାଇ ମକା କିଆରିକୁ ସେ କାମରେ ଯାଇଥିବା ବେଳେ ବେଣିପଦର ଗ୍ରାମର ସାନୁଜ ମଳିକ ଓ ମିଳିତଭାବେ ଦାସ ମଳିକଙ୍କୁ ଏକ ଅସ୍ତ୍ରରେ ହତ୍ୟା କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲେ। ପରେ ସେଠାରୁ ସମସ୍ତେ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ପରିବାର ଲୋକ ରାତିହେବାରୁ ଦାସୁ ମଳିକ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିବା ପରେ ମକା କିଆରିରୁ ଦାସୁ ମଳିକଙ୍କ ସ୍ତ୍ରୀ ମୁଣ୍ଡ ବିହୀନ ଶବ ପଡିଥିବା ଦେଖି ଘରେ ଖବର ଦେଇଥିଲେ। ଖବରପାଇ ଘର ଲୋକ ଶବ ଚିହ୍ନଟ କରିବା ସହିତ ଦାସୁଙ୍କ ପୁଅ ପ୍ରେମାନନ୍ଦ ମଳିକ ମୋହନା ଥାନାରେ ଏତଲା ଦାୟର କରିଥିଲେ। ଖବରପାଇ ଘଟଣାସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଡିପିଓ ଅଶୋକ କୁମାର ମହାନ୍ତି, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମକା ବାଡରୁ ମୁଣ୍ଡ ବିହୀନ ଶବକୁ ଜବତ କରିଥିଲେ। ସନ୍ଦେହରେ ୪ ଜଣ ଲୋକଙ୍କୁ ମୋହନା ଥାନାରେ ଅଟକ ରଖି ପଚାରା ଉଚରା କରୁଥିବା ଏସଡିପିଓ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଥାନାଧିକାରୀ ସୁଜିତ କୁମାର ନାୟକ କହିଛନ୍ତି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଜୋରଦାର ଉଦ୍ୟମ ଚଳାଇଥିବା ଜଣାପଡିଛି।

Comments are closed.