ଗୋପରେ ଠିକାଦାରଙ୍କୁ ଗୁଳିମାଡ଼; ୨ ଅଭିଯୁକ୍ତଙ୍କୁ ଧରି ଛେଚିଲେ ଗ୍ରାମବାସୀ, ବାଇକ ଜାଳିଦେଲେ

ଗୋପ: ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁରଠାରେ ଜଣେ ଠିକାଦାରଙ୍କୁ ବୁଧବାର ଗୁଳି କରାଯାଇଛି। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଠିକାଦାର ଉମା ସାହୁଙ୍କୁ ତାଙ୍କୁ ଘରୁ ଡାକି ଗୁଳି କରିଛନ୍ତି। ତେବେ ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଉଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ନିର୍ଧୂମ ଛେଚା ଖାଇଛନ୍ତି। ଅନ୍ୟପଟେ ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା କରିଥିବା ସୂଚନା ମିଳିଛି। ଆହତ ଠିକାଦାରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ସୂଚନା​‌ ଅନୁସାରେ, ଠିକାଦାର ଉମା ସାହୁଙ୍କ ଘର ସୁବର୍ଣ୍ଣପୁରରେ। ସକାଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ଉମାଙ୍କୁ ସେମାନେ ଡକାଇଥିଲେ। ଉମା ବାହାରକୁ ଆସିବା ପରେ ଦୁର୍ବୃତ୍ତ ବନ୍ଧୁକ କାଢ଼ି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ଅଭିଯୁକ୍ତଦ୍ବୟଙ୍କୁ କାବୁ କରିନେଇଥିଲେ। ପରେ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏହା ସହିତ ଅଭିଯୁକ୍ତମାନେ ଆସିଥିବା ବାଇକକୁ ପୋଡ଼ି ଦେଇଥିଲେ। ଅନ୍ୟପଟେ ପୁଲିସ ବିଳମ୍ବରେ ପହଞ୍ଚିବାରୁ ଉତ୍ୟକ୍ତ ଲୋକମାନେ ପୁଲିସ କର୍ମଚାରୀଙ୍କୁ ଠେଲାପେଲା କରିଥିବା ସୂଚନା ମିଳିଛି।

Comments are closed.