୩ ରାଜ୍ୟରେ ବଜ୍ରପାତରେ ୪୧ ମୃତ, ୫୦ରୁ ଊର୍ଦ୍ଧ୍ବ ଗୁରୁତର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସମେତ ୩ ରାଜ୍ୟରେ ରବିବାର ରାତିରେ ବଜ୍ରପାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲାରେ ବଜ୍ରପାତରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି।

କାନପୁର ଏବଂ ଫତେହପୁରରେ ସର୍ବାଧିକ ୭ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି ଓ ୧୩ ଜଣ ଗୁରୁତର ହୋଇଛନ୍ତି। ସେହିପରି ରାଜସ୍ଥାନର ଝାଲାୱାଡରେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ପାଲି ଜିଲାରେ ବଜ୍ରପାତରେ ୨୭ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ମଧ୍ୟପ୍ରଦେଶର ଭିଣ୍ଡ, ଶିବପୁରୀ ଜିଲାରେ ବଜ୍ରପାତରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୯ ଜଣ ଗୁରୁତର ଭାବେ ଜଳିଯାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରକୃତିକ ବିପର୍ଯ୍ୟୟ ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି। ସେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବଜ୍ରପାତରେ ଉତ୍ତରପ୍ରଦେଶର କାନପୁରରେ ୭, ଫତେହପୁରରେ ୭, ଝାନ୍ସୀରେ ୫, ଜାଲୌନରେ ୪, ହମୀରପୁରରେ ୩, ଗାଜିପୁରରେ ୨, ଜୌନପୁର, ପ୍ରତାପଗଡ଼, କାନପୁର ଦେହାତ ଏବଂ ଚିତ୍ରକୁଟରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।

Comments are closed.