ରାଜପଥରେ ଡାକ୍ତରଙ୍କ କାର୍‍କୁ ଗୁଳି: ଲୁଟିନେଲେ ୫୦ଲକ୍ଷ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାଜୀୟ ରାଜପଥର କପୁରସିଂ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ନିକଟରୁ ଦୁର୍ବୃତ୍ତମାନେ ଏକ କାର ଉପରକୁ ଗୁଳି ଚଳାଇ ଚାଳକକୁ ଭୟଭୀତ କରି ୫୦ଲକ୍ଷ ଟଙ୍କା ଲୁଟିନେବାକୁ ସକ୍ଷମ ହୋଇଛନ୍ତି। ଏନେଇ ଗୁରୁଡିଝାଟିଆ ଥାନାରେ ଏତଲା ହୋଇଛି। ଘଟଣାସ୍ଥଳରେ ଜିଲା ଉଚ୍ଚ ପୁଲିସ ଅଧିକାରୀଙ୍କ ସହିତ ଗୁରୁଡିଝାଟିଆ ଥାନା ଅଧିକାରୀ ସାଇଣ୍ଟିଫିିକ୍‍ ଦଳ ସହ ଉପସ୍ଥିତ ରହି ତଦନ୍ତ ଜୋରଦାର କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଢେଙ୍କାନାଳ ସହରର ଡାକ୍ତର ବିନୟକୁମାର ମହାପାତ୍ର ଭୁବନେଶ୍ୱରସ୍ଥିତ ନିଜ ବନ୍ଧୁଙ୍କଠାରୁ ଜମି କିଣିବା ପାଇଁ ୫୦ଲକ୍ଷ ଟଙ୍କା ନେଇ ଢେଙ୍କାନାଳ ଅଭିମୁଖେ ନିଜର ଏକ କାର୍‍ରେ ଯାଉଥିଲେ। କାରର ଚାଳକ ନିରାକାର ପୃଷ୍ଟି ଗାଡି ଚଳାଉଥିବା ବେଳେ ଡାକ୍ତର ମହାପାତ୍ର ଆଗ ସିଟରେ ବସିଥିଲେ।
ଟଙ୍କା ବ୍ୟାଗଟି ମଝି ସିଟରେ ଥୁଆ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ୨୦ମିନିଟ ସମୟରେ ୫୫ନମ୍ବର ଜାତୀୟ ରାଜପଥର କପୁରସିଂ ନକଟସ୍ଥ ଇସାର ପେଟ୍ରୋଲପମ୍ପ ନିକଟରେ ୩ ଦୁର୍ବୃତ୍ତ ଏକ ବାଇକରେ ଆସି ହଠାତ କାରର ସମ୍ମୁଖଭାଗକୁ ଗୁଳି ଚଳାଇଥିଲେ। ଏଥିରେ କାର ଚାଳକ ଓ ସମ୍ମୁଖରେ ବସିଥିବା ଡାକ୍ତର ମହାପାତ୍ର ଭୟଭୀତ ହୋଇପଡିଥିଲେ। ଦୁର୍ବୃତ୍ତମାନେ ମଝିସିଟରେ ଥୁଆ ହୋଇଥିବା ଟଙ୍କା ବ୍ୟାଗକୁ ନେଇ ଆଖିପିଛୁଳାକେ ପଳାଇ ଯାଇଥିଲେ। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏଭଳି ନିର୍ଭୟରେ ଗାଡିର ଚାଳକ ଓ ଡାକ୍ତର ମହାପାତ୍ରଙ୍କୁ ଭୟଭୀତ କରାଇ ୫୦ଲକ୍ଷ ଟଙ୍କା ଲୁଟିନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଓ ଭୟର ବାତାବରଣ ସୃଷ୍ଟି କରିଛି। ଗୁରୁଡିଝାଟିଆ ଥାନା ଅଞ୍ଚଳରେ ୫୦ଲକ୍ଷ ଟଙ୍କା ଲୁଟ ହେବା ପ୍ରଥମ ଘଟଣା। ପୂର୍ବରୁ ଯଦିଓ ରାଜପଥରେ ଲୁଟ ହୋଇଛି କିନ୍ତୁ ଏତେ ପରିମାଣର ଟଙ୍କା କେବେ ଲୁଟ ହୋଇ ନଥିଲା। ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଉଦ୍ୟମ ଜାରି ରଖିଛି।

Comments are closed.