ଲୋକସଭା ଉପାଧ୍ୟକ୍ଷ ପଦ ଦୌଡ଼ରେ ବିଜେଡି

ନୂଆଦିଲ୍ଲୀ : ସଂସଦର ଚଳିତ ଶୀତକାଳୀନ ଅଧିବେଶନ କାଳରେ ଲୋକସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସମ୍ଭାବନା ରହିଛି। ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ପ୍ରମୁଖ ଆଶାୟୀ ଶିବସେନାର ଦାବୀ ଦୁର୍ବଳ ହୋଇଯାଇଥିବାରୁ ବିଜୁ ଜନତା ଦଳକୁ ଲୋକସଭା ଉପାଧ୍ୟକ୍ଷ ପଦ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ କାଳରେ ବିଜେଡିକୁ ଲୋକସଭା ଉପାଧ୍ୟକ୍ଷ ପଦ ମିଳିବା ସମ୍ଭାବନା ନେଇ ଜାତୀୟ ଗଣମାଧ୍ୟମରେ ଜୋରରେ ଚର୍ଚ୍ଚା ହୋଇଥିଲା। ଦେଶର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ଏନଡିଏ ଓ ୟୁପିଏ ମେଣ୍ଟଭୁକ୍ତ ନଥିବା ରାଜନୈତିକ ଦଳକୁ ଲୋକସଭା ଉପାଧ୍ୟକ୍ଷ ପଦ ଦେବା ପାଇଁ କେନ୍ଦ୍ରର ମୋଦି ସରକାର ଉଚ୍ଛୁକ ଥିଲେ। ସେତେବେଳେ ଆନ୍ଧ୍ରର ୱାଇଏସଆର କଂଗ୍ରେସ, ଓଡ଼ିଶାର ବିଜୁ ଜନତା ଦଳ ଓ ତେଲେଙ୍ଗାନାର ଟିଆରଏସ ନାମ ଚର୍ଚ୍ଚାରେ ଆସିଥିଲା। ମାତ୍ର ୱାଇଏସଆର କଂଗ୍ରେସ ଓ ଟିଆରଏସର ଅନିଚ୍ଛା ପ୍ରକାଶ ପରେ ବିଜେଡିକୁ ଲୋକସଭା ଉପାଧ୍ୟକ୍ଷ ପଦ ମିଳିବା ପଥ ପରିଷ୍କାର ହୋଇଥିଲା। ଲୋକସଭା ଉପାଧ୍ୟକ୍ଷ ପଦ ପ୍ରସଙ୍ଗରେ ତତ୍କାଳୀନ ଏନଡିଏ ସହଯୋଗୀ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ସରକାର ଏବାବଦରେ କୌଣସି ନିଷ୍ପତି ନନେଇ ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ। ସେତେବେଳେ ବିଜେଡିର ବାଟ ଓଗାଳି କଣ୍ଟା ସାଜିଥିଲା ଶିବସେନା। କେନ୍ଦ୍ରରେ ଶିବସେନା କୋଟାରୁ ମନ୍ତ୍ରୀ ବନିଥିବା ଅରବିନ୍ଦ ସାୱନ୍ତଙ୍କ ଇସ୍ତଫା ପରେ ବିଜେଡି ପାଇଁ ରହିଥିବା ପ୍ରତିବନ୍ଧକ ଦୂର ହୋଇଛି। ଗତ ବର୍ଷ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଥିବା ଅନ୍ୟତମ ଏନଡିଏ ସହଯୋଗୀ ଜେଡିୟୁ ମଧ୍ୟ ଲୋକସଭା ଉପାଧ୍ୟକ୍ଷ ପଦ ଦୌଡ଼ରୁ ଓହରି ଯାଇଛି। ଜାତୀୟ ରାଜନୈତିକ ସମୀକରଣକୁ ଦେଖିବାକୁ ଗଲେ ବିଜୁ ଜନତା ଦଳ ଲେକସଭା ଉପାଧ୍ୟକ୍ଷ ପଦ ପାଇବାକୁ ଏନଡିଏ ସରକାରର ପ୍ରଥମ ପସନ୍ଦ ରହିଛି। ସୋମବାର ଦିନ ରାଜ୍ୟସଭା ୨୫୦ତମ ଅଧିବେଶନର ପ୍ରଥମ ଦିବସରେ ବିଜେଡି ସାଂସଦଙ୍କ ଠାରୁ ଶୃଙ୍ଖଳା ଶିଖିବାକୁ ବିଜେପି ସମେତ ଅନ୍ୟ ରାଜନୈତିକ ଦଳର ସାଂସଦଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଥିଲେ। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜୁ ଜନତା ଦଳ ଉପରେ କେନ୍ଦ୍ର ସରକାରଙ୍କ ଅଧିକ ଆସ୍ଥା ରହିବା ନେଇ ରାଜନୈତିକ ସଂକେତ ମିଳିଛି। ଜାତୀୟସ୍ତରରେ ଉଭୟ ଦଳ ପରସ୍ପରର ନିକଟବର୍ତ୍ତୀ ହେଉଥିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି। ସେହିପରି ଗତ ଅଗଷ୍ଟରେ ଜାମ୍ମୁ ଓ କାଶ୍ମୀର ପୁର୍ନଗଠନ ବିଧେୟକ ୨୦୧୯ ଓ ସଂବିଧାନର ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ସଂସଦରେ ବିଜୁ ଜନତା ଦଳର ସମର୍ଥନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦ ମଧ୍ୟରେ ପ୍ରଶଂସା କରିଥିଲେ।

ଗତ ଜୁନ ୨୦୧୮ରେ ବିଜେଡି ସାଂସଦଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଦେବା ପାଇଁ ସେତେବେଳେ କେନ୍ଦ୍ରର ଏନଡିଏ ସରକାର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସଙ୍ଗରେ ନିଜେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ କଥା ହୋଇଥିଲେ। ସାଧାରଣ ନିର୍ବାଚନ ୨୦୧୯ରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବା ଆଶଙ୍କାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରର ଏନଡିଏ ସରକାରର ପ୍ରସ୍ତାବକୁ ଗ୍ରହଣ କରିବାକୁ ସେତେବେଳେ ଅରାଜି ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପରେ ଜାତୀୟ ସ୍ତରରେ ରାଜନୈତିକ ସମୀକରଣ ବଦଳି ଯାଇଛି। ସଂସଦ ମଧ୍ୟରେ ଏବଂ ବାହାରେ ବିଜେଡି ସାଂସଦଙ୍କୁ ପୂର୍ବଭଳି କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ନେଇ ଆଉ ଦେଖିବାକୁ ମିଳୁନାହିଁ। ଏନଡିଏର ଅଂଶୀଦାର ଦଳ ହୋଇନଥିଲେ ମଧ୍ୟ ବିଜେଡି ସଂସଦରେ କ୍ରମାଗତ ଭାବେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଆସୁଛି। ସେହିପରି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିଥିବା କେନ୍ଦ୍ରୀୟ ସହାୟତା ତୁଳନାରେ ସାମୁଦ୍ରିକ ବାତ୍ୟା ଫଣି କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ରହିଥିବା ସୁସଂପର୍କ ସାର୍ବଜନୀନ ହୋଇଥିଲା। ତେବେ ଲୋକସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି କାହାକୁ ଚୟନ କରିବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନୁଭବୀ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶ୍ରମ ସଂସଦୀୟ କମିଟିର ଅଧ୍ୟକ୍ଷ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପଦରେ ଇତି ମଧ୍ୟରେ ବିଜେଡି ଥଇଥାନ କରିଛି। ସପ୍ତାଦଶ ଲୋକସଭାର ପ୍ରଥମ ଅଧିବେଶନ କାଳରେ ଲୋକସଭା ଉପାଧ୍ୟକ୍ଷ ପଦ ପାଇଁ ଭତ୍ତୃହରିଙ୍କ ନାମ ଚର୍ଚ୍ଚାରେ ସବୁଠାରୁ ଆଗରେ ରହିଥିଲା। ଆଗାମୀ ଦିନରେ କିଏ ଲୋକସଭା ଉପାଧ୍ୟକ୍ଷ ପ୍ରାର୍ଥୀ ବନିବେ ସେନେଇ ରାଜନୈତିକ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।

Comments are closed.