ଟି୨୦ରେ ଗୌତମଙ୍କ ୧୩୪ ରନ୍ ଓ ୮ ୱିକେଟ

ବେଙ୍ଗାଲୁରୁ : ଏଠାରେ ଖେଳା ଯାଉଥିବା କର୍ଣ୍ଣାଟକ ପ୍ରିମିୟର ଲିଗ୍‌ (କେପିଏଲ୍‌)ରେ ଶୁକ୍ରବାର ଏପରି ପ୍ରଦର୍ଶନ ଦେଖିବାକୁ ମିଳିଛି; ଯାହା ଟ୍ବେଣ୍ଟି୨୦ କ୍ରିକେଟରେ ବିରଳ। କର୍ଣ୍ଣାଟକର ଯୁବ ଅଲରାଉଣ୍ଡର କୃଷ୍ଣାପ୍ପା ଗୌତମ ଗୋଟିଏ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂକରି ୧୩୪ ରନ୍ କରିବା ପରେ ୮ଟି ୱିକେଟ ନେଇଛନ୍ତି।

କେପିଏଲ୍‌ରେ ବେଲାରି ଟସ୍କର୍ସ ତରଫରୁ ଖେଳୁଥିବା ଗୌତମ ଶୁକ୍ରବାର ସିମୋଗା ଲାୟନ୍‌ସ ବିପକ୍ଷ ମ୍ୟାଚ୍‌ରେ ଏହି ବିରଳ ଅଲ୍‌ରାଉଣ୍ଡର ସଫଳତା ହାସଲ କରିଛନ୍ତି। ଗୌତମ ୩ୟ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଇନିଂସ ଶେଷ ବେଳକୁ ୧୩୪ ରନ୍‌କରି ଅପରାଜିତ ରହିଥିଲେ। ଗୌତମ ୫୬ ବଲ୍‌ ଖେଳି ୧୩ଟି ଛକା ଓ ୭ଟି ଚୌକା ସହ ୧୩୪ ରନ୍‌କରି ଅପରାଜିତ ରହିଥିଲେ। ତାଙ୍କର ଏହି ଇନିଂସ ବଳରେ ବେଲାରି ଟସ୍କର୍ସ ୨୦ ଓଭରରେ ୩ ୱିକେଟରେ ୨୦୩ ରନ୍‌ କରି ପାରିଥିଲା। ପରେ ଗୌତମ ଅଫ୍‌ସ୍ପିନ୍ ବୋଲିଂ କରିଥିଲେ। ସେ ୪ ଓଭରରୁ ମାତ୍ର ୧୫ ରନ୍‌ଦେଇ ୮ଟି ୱିକେଟ ନେଇଥିଲେ। ଗୌତମଙ୍କ ଏହି ପ୍ରଭାବଶାଳୀ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ବେଲାରି ଟସ୍କର୍ସ ୭୦ ରନ୍‌ରେ ବିଜୟୀ ହୋଇଥିଲା। ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୮ ୱିକେଟ ହେଉଛି ବିଶ୍ବରେକର୍ଡ। ଅଲ୍‌ରାଉଣ୍ଡର କୃଷ୍ଣପ୍ପା ଗୌତମ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ପାଇଁ ଖେଳିଥାଆନ୍ତି।

Comments are closed.