ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ଯାଜପୁର : ଯୌତୁକ ପାଇଁ ଜଣେ  ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଗାଁରେ ଘଟିଛି। ଏରବାଙ୍କ ଗାଁର ମନୋଜ ନାୟକଙ୍କ ପତ୍ନି ମିନତୀଙ୍କ ମୃତଦେହ ତାଙ୍କ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମିନତୀଙ୍କୁ ଯୌତୁକ ପାଇଁ ପୂର୍ବରୁ ନିର୍ଯ୍ୟାତନା ଦିଆଯାଉଥିଲା। ଯୌତୁକ କାରଣରୁ ଶାଶୁ ଘର ଲୋକେ ମିନତୀଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ବାପ ଘର ତରଫରୁ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମର ଜ୍ଞାନେନ୍ଦ୍ର ଦାସଙ୍କ ଝିଅ ମିନତୀଙ୍କ ୩ ବର୍ଷ ତଳେ ଏରବାଙ୍କ ଗାଁର ମନୋଜ ନାୟକଙ୍କ ସହ ହୋଇଥିଲା। ବିବାହ ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ବାରମ୍ବାର ମିନତୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ବହୁବାର ଥାନା ମାଧ୍ୟମରେ ଆପୋଷ ମିଳାମିଶା ମଧ୍ୟ ହୋଇଥିଲା। ମିନତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Comments are closed.