ଭାରତ-ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ ; ବର୍ଷା ସାଜିପାରେ ବାଧକ

ବିଜୟ ପାଇଁ ଉଭୟ ଦଳ ଆଶାବାଦୀ

ରାଜକୋଟ୍‌ : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଗୁରୁବାର ଏଠାରେ ଖେଳାଯିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ବାଂଲାଦେଶ ଦଳ ୭ ୱିକେଟ୍‌ରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜ୍‌ ବିଜୟୀ ହେବା ଲକ୍ଷ୍ୟରେ ରହିିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଦ୍ବିତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ଫେରିବାକୁ ନିଶ୍ଚିତ ଭାବେ ପ୍ରୟାସ କରିବ। କିଛିଦିନ ତଳେ ବିଭିନ୍ନ ଦାବି ପୂରଣ ନେଇ ବାଂଲାଦେଶ କ୍ରିକେଟର୍‌ମାନେ ଆନ୍ଦୋଳନ କରିଥିଲେ। ନାନା ବିବାଦ ସତ୍ତ୍ବେ ବାଂଲାଦେଶ ଖେଳାଳିମାନେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଯେପରି ପ୍ରଦର୍ଶନ କରି ବିଜୟୀ ହେଲେ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ସେହିପରି ବାଂଲାଦେଶ ଦଳର ବରିଷ୍ଠ ଖେଳାଳି ସାକିିବ୍‌ ଅଲ୍‌ ହସନ୍‌ଙ୍କୁ ଆଇସିସି କ୍ରିକେଟ୍‌ରୁ ବାସନ୍ଦ କରିଥିବା ସତ୍ତ୍ବେ ଦଳର ଅନ୍ୟ ଖେଳାଳିମାନେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ। ଦ୍ବିତୀୟ ଟ୍ବେଣ୍ଟି୨୦ରେ ଯଦି ବାଂଲାଦେଶ କ୍ରିକେଟର୍‌ମାନେ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତକୁ ତା’ରି ମାଟିରେ ଟ୍ବେଣ୍ଟି୨୦ ସିରିଜ୍‌ରେ ପରାସ୍ତ କରିବେ।
ଅନ୍ୟପକ୍ଷରେ ବାତ୍ୟା ମାହା ପ୍ରଭାବରେ ଗୁଜରାଟରେ ବୁଧବାର ଓ ଗୁରୁବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିିବା ସମ୍ଭବପର ହୋଇପାରୁଛି କି ନାହିଁ ତା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି। ଗୁରୁବାର ଅପରାହ୍ଣରେ ବର୍ଷା ନ ହେଲେ ରାଜକୋଟ୍‌ ଷ୍ଟାଡ଼ିୟମରେ ମ୍ୟାଚ୍‌ ଖେଳାଯିବା ସମ୍ଭବପର ବୋଲି ସୌରାଷ୍ଟ୍ର କ୍ରିକେଟ୍‌ ଏକାଡେମୀ ସମ୍ପାଦକ ହିଂମାଶୁ ଶାହା କହିନ୍ତି। ଯଦି ପ୍ରବଳ ବର୍ଷା ପରେ ମ୍ୟାଚ୍‌ ଖେଳାଯାଏ ତେବେ ଆଉଟ୍‌ ଫିଲଡ୍‌ ଧୀମା ରହିବ ଏବଂ ଚୌକା ମାରିବା କଷ୍ଟକର ହେବ ବୋଲି କୁହାଯାଉଛି। ସେହିପରି ମ୍ୟାଚ ପାଇଁ ପ୍ରସ୍ତୁତ ପିଚ୍‌ରେ ବ୍ୟାଟସମ୍ୟାନ୍‌ଙ୍କୁ ସହାୟକ ହେବ ବୋଲି ଗ୍ରାଉଣ୍ଡସମ୍ୟାନ୍‌ ସୂଚନା ଦେଇଛନ୍ତି।
ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ଭାରତୀୟ ଦଳ ଯେତିକି ସଫଳତା ପାଇଛି ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ଦଳର ସଫଳତା ତାହା ଠାରୁ ବହୁତ କମ୍‌। ଚଳିତବର୍ଷ ପ୍ରାରମ୍ଭରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ଟ୍ବେଣ୍ଟି୨୦ ସିରିଜ୍‌ ହାରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ଡ୍ର ରଖିଥିଲା। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି ରୋହିତ ଶର୍ମା। ଦ୍ବିତୀୟ ଟ୍ବେଣ୍ଟି୨୦ରେ ଭାରତୀୟ ଦଳରେ ଥିବା ଯୁବ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଏହାକୁ ସେମାନେ କିପରି ଭାବେ ବିନିଯୋଗ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହେବା ପରେ ଅଧିନାୟକ ରୋହିତ ଶର୍ମା ନିଜ ପ୍ରତିକ୍ରିୟାରେ କହିଥିଲେ ଦଳ ଫିଲଡିଂରେ ଭଲ ପ୍ରଦର୍ଶନ ନ କରିବା ତଥା କେତେକ ଭୁଲ୍‌ ଡିଆରଏସ୍‌ ନେବାରୁ ପରାଜିତ ହୋଇଥିଲା। ସେହିପରି ଓପନର୍‌ ଶିଖର ଧାୱନ୍‌ ପ୍ରଥମ ଟ୍ବେଣ୍ଟି୨୦ରେ ଧୀମା ବ୍ୟାଟିଂ କରିଥିବା ବେଳେ ଦ୍ବିତୀୟ ଟ୍ବେଣ୍ଟି୨୦ରେ ତାଙ୍କୁ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ୍‌ ହାରିଲେ ଭାରତୀୟ ଦଳର ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ।
ପ୍ରଥମ ଟ୍ବେଣ୍ଟି୨୦ରେ ଭାରତୀୟ ଦଳ ମାତ୍ର ୧୪୮ ରନ୍‌ ସଂଗ୍ରହ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦଳକୁ ଦ୍ବିତୀୟ ମ୍ୟାଚ୍‌ରେ ନିଜ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ। ଅଧିନାୟକ ରୋହିତ ଶର୍ମା ସହଳ ଆଉଟ୍ ହୋଇଥିବା ବେଳେ ଶିଖର ଧାୱନ୍‌ ଧୀମା ବ୍ୟାଟିଂ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ଋଷଭ ପନ୍ତ୍‌, କ୍ରୁନାଲ ପାଣ୍ଡ୍ୟା ଓ ଶିବମ୍‌ ଦୁବେଙ୍କୁ ଦ୍ବିତୀୟ ଟ୍ବେଣ୍ଟି୨୦ରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଦ୍ବିତୀୟ ମ୍ୟାଚ୍‌ରେ ଦୁବେଙ୍କୁ ସୁଯୋଗ ମିଳିବ ନା ସଞ୍ଜୁ ସାମନ୍‌ସଙ୍କୁ ଦଳରେ ସାମିଲ କରାଯିବ ତାହା ଦେଖିବାକୁ ବାକି ରହିଛି। ସେହିପରି ଭାରତୀୟ ଦଳର ଦ୍ରୁତ ବୋଲରମାନେ ପ୍ରଥମ ମ୍ୟାଚ୍‌ରେ ଆଶାନୁରୁପ ପ୍ରଦର୍ଶନ କରି ନାହାନ୍ତି। ଖଲିଲ୍‌ ଅହମ୍ମଦ ୪ ଓଭରରେ ୩୭ ରନ୍‌ ପ୍ରଦାନ କରିଥିବାରୁ ଦ୍ବିତୀୟ ମ୍ୟାଚ୍‌ରେ ଖଲିଲ୍‌ଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିପାରେ। ସ୍ପିନର ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍‌ ଓ କ୍ରୁନାଲ ପାଣ୍ଡ୍ୟା ନିଜ ସ୍ଥାନ ବଜାୟ ରଖିବା ନିଶ୍ଚିତ।

Comments are closed.