ଅଟକିଲା ୯ ଜଣଙ୍କ ଫାଶୀଦଣ୍ଡ

ଗୁଣୁପୁର ଅତିରିକ୍ତ ଦୌରା ଜଜଙ୍କ ରାୟ ହାଇକୋର୍ଟରେ ରଦ୍ଦ , ମାମଲାର ପୁନଃ ଶୁଣାଣି ୬ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦେଶ

କଟକ : ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ତ ସଂପର୍କିତ ଗୁଣୁପୁର ଅତିରିକ୍ତ ଦୌରା ଜଜଙ୍କ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଦଣ୍ଡାଦେଶ ରଦ୍ଦ କରିବା ସହିତ ଏହି ମାମଲାର ପୁନଃ ଶୁଣାଣି ୬ ମାସ ମଧ୍ୟରେ ଶେଷ କରିବା ପାଇଁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାନି ଶୁଣାଣି ସମୟରେ ଅନ୍ୟ ଦଫା ସହିତ ଆଇପିସିର ୩୬୪ ଓ ୩୬୫ ଦଫାରେ ଚାର୍ଜଫ୍ରେମ୍ କରାଯିବ। ନିମ୍ନ ଅଦାଲତ ସିଆରପିସିରେ ଥିବା ବ୍ୟବସ୍ଥା ଅନୁସାରେ ତଥ୍ୟ ସଂଗ୍ରହ କରି ମାମଲାର ସାନି ଶୁଣାଣି କରି ରାୟ ପ୍ରକାଶ କରିବେ ବୋଲି ଜଷ୍ଟିସ ଏସ୍.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ‌ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା ସହିତ ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ଦାୟର ଅପିଲର ରାୟ ପ୍ରକାଶ କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ୨୦୧୯, ସେପ୍ଟେମ୍ବର ୧୧ରେ ଏ ସଂପର୍କିତ ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରୀ ଆଇନଜୀବୀ ରତିକାନ୍ତ ମହାପାତ୍ର ଏହି ମାମଲା ପରିଚାଳନା କରୁଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଗୁଣୁପୁର ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୧୮ ମସିହା ଏପ୍ରିଲ ମାସ ୧୩ତାରିଖରେ ପ୍ରକାଶିତ ରାୟ ଅନୁମୋଦନ ସଂପର୍କିତ ମାମଲା ହାଇକୋର୍ଟରେ ଦାୟର ହୋଇଥିବା ବେଳେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତଙ୍କ ପକ୍ଷରୁ ଅପିଲ ଦାୟର କରାଯାଇଥିଲା। ତେବେ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ନିମ୍ନ ଅଦାଲତ ରେକର୍ଡ ଦାଖଲ କରାଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ଗୁଣିଗାରେଡ଼ି ସନ୍ଦେହରେ ଅସୀମ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଆଶାମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍ ଭର୍ତ୍ତୀ କରି ମୃତ ପ୍ରାୟ କରି ଦେଇଥିଲେ। ଆସାମୀମାନେ ଜୀବନ ଥାଉ ଥାଉ ବାପା-ମା ଓ ଝିଅ ୩ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ଏହି ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ପୀଡିତ ପରିବାରର ସାନ ଝିଅ। ତାଙ୍କୁ ମଧ୍ୟ ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସି ଆସିବାରୁ ଘଟଣା ଲୋକଲୋଚନକୁ ଆସିଥିଲା। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତରେ ଏହି ଘଟଣା ଘଟିଥିଲା। ୨୦୧୬ ମସିହା ସେପ୍ଟେମ୍ବର ମାସ ୧୬ରେ ପୁଲିସ ତଦନ୍ତ ଆରମ୍ଭ କରି ଶ୍ମଶାନରୁ ହାଡ ଓ ପାଉଁଶ ଜବତ କରି ପରୀକ୍ଷା ପାଇଁ ପଠାଇଥିଲା। ସାଇଟିିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ପୁଲିସ ଏହି ମାମଲାରେ ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିଲା। ଚାର୍ଜସିଟ ଦାଖଲ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି ଗୁଣପୁର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଆରମ୍ଭ ହୋଇଥିଲା। ପ୍ରକାଶିତ ରାୟରେ ଅଦାଲତ ଡେଗୁନୁ ଶବର, ଅଜନ୍ତ ଶବର, ବୁଭୁନା ଶବର, ମାଲୁକୁ ଶବର, ପୋଡାନ୍ତୁ ଶବର,ଇରୁ ଶବର, ଲାକିଆ ଶବର, ଦଶନ୍ତ ଶବର ଓ ଦାଲସା ଶବରଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ସାଇଣ୍ଟିଫିକ୍ ରିପୋର୍ଟ ସହ ପ୍ରତ୍ୟକ୍ଷଦର୍ଶୀଙ୍କ ଓ ୧୧ଜଣଙ୍କ ବୟାନକୁ ଆଧାର କରି ଅଦାଲତ ଏହି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ।

Comments are closed.