ମାନ୍ଦାବସ୍ଥା ସୁଧାରିବାକୁ ଯୋଜନା: ହଟିଲା ସର୍‌ଚାର୍ଜ, ବଢ଼ିବ ନିବେଶ

ନୂଆଦିଲ୍ଲୀ : ସଂପ୍ରତି ଦେଶ ସମ୍ମୁଖୀନ ହେଉଥିବା ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେୟାର, ବଣ୍ଡ ଓ ରିୟଲ ଇଷ୍ଟେଟ୍‌ର କ୍ୟାପିଟାଲ ଗେନ୍ସ ଉପରେ ସରଚାର୍ଜ ଲାଗୁ ଯୋଗୁଁ ଦୁର୍ବଳ ହୋଇପଡିଥିବା ପୁଞ୍ଜିବଜାରକୁ ସୁଧାରିବା ଲାଗି ଏହି ସରଚାର୍ଜକୁ ସରକାର ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛନ୍ତି।

ସେୟାର ବଜାର ଅଂଶଧନର କ୍ରୟମୂଲ୍ୟ ଓ ବିକ୍ରି ମୂଲ୍ୟ ମଧ୍ୟରେ ମିଳୁଥିବା ଲାଭ ଉପରେ ସରକାର ସରଚାର୍ଜ ଆଦାୟ କରିବାକୁ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଘୋଷଣା କରିବା ପରେ ପୁଞ୍ଜିନିବେଶ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥିଲା। ଏପରିକି ଫରେନ୍‌ ପୋର୍ଟଫୋଲିଓ ଇନ୍‌ଭେଷ୍ଟମେଣ୍ଟ (ଏଫପିଆଇ) ଉପରେ ସରଚାର୍ଜ ଲାଗୁ କରାଯିବା ପରେ ଅନେକ ବିଦେଶୀ ନିବେଶକ ସେମାନଙ୍କ ଅଂଶଧନ ପ୍ରତ୍ୟାହାର କରିନେଇଥିଲେ। ଏହାକୁ ସୁପର ରିଚ୍‌ଙ୍କ ଉପରେ ସରକାରଙ୍କ ଅତିରିକ୍ତ ଟିକସ ବୋଲି କୁହାଯାଉଥିଲା। ଫଳରେ ଭାରତୀୟ ଅର୍ଥନୀତିରେ ଏହାର ଗୁରୁତର ପ୍ରଭାବ ଦେଖାଯାଇଥିଲା। ଏହାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ସରଚାର୍ଜ ପ୍ରତ୍ୟାହାର କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ସେୟାର ବଜାରରେ କ୍ୟାପିଟାଲ ଗେନ୍ସ ଓ ଏଫପିଆଇ ଉପରେ ସରଚାର୍ଜ ନିଆଯିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ସରଚାର୍ଜ ଲାଗୁ ଫଳରେ କିଛିଦିନ ଧରି ସେୟାର ବଜାରରୁ ବିଦେଶୀ ନିବେଶକ ପ୍ରାୟ ୩ବିଲିୟନ ଡଲାର ପ୍ରତ୍ୟାହାର କରି ନେଇଥିଲେ। ଫଳରେ ଇକ୍ୟୁଟି ଓ ଭାରତୀୟ ପୁଞ୍ଜିବଜାର ଏଫପିଆଇ ବ୍ୟତୀତ ଜିଏସଟି ଓ ଅଟୋମୋବାଇଲ କ୍ଷେତ୍ର ଉପରେ ମଧ୍ୟ ସରକାର ମାନ୍ଦାବସ୍ଥାର ମୁକାବିଲା କରିବାକୁ କେତେକ ନିଷ୍ପତ୍ତି ସଂପର୍କରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି। ସୀତାରମଣ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି।
ଆମେରିକା-ଚୀନ୍‌ ବାଣିଜ୍ୟ ଯୁଦ୍ଧ ଯୋଗୁଁ ବିଶ୍ବବ୍ୟାପୀ ଏଭଳି ସ୍ଥିତି ଉପୁଜିଛି। କେବଳ ଭାରତ ନୁହେଁ ବିଶ୍ବର ଅନ୍ୟାନ୍ୟ ସମୃଦ୍ଧ ରାଷ୍ଟ୍ର ଗୁଡିକ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ତେବେ ଭାରତ ସେ ଦୃଷ୍ଟିରୁ ଭଲ ସ୍ଥିତିରେ ରହିଛି। ଅର୍ଥନୀତିର ସୁଧାର ଲାଗି ନିରନ୍ତର ଭାରତ ତା’ର ନୀତିରେ ପରିବର୍ତ୍ତନ କରୁଛି। ତେଣୁ କୌଣସି ପ୍ରକାର ବିବ୍ରତ ନହେବାକୁ ନିର୍ମଳା ଦେଶର ବ୍ୟବସାୟୀ, ନିବେଶକଙ୍କୁ ଆଶ୍ବାସନା ଦେଇ କହିଛନ୍ତି।
ଅନ୍ୟପକ୍ଷରେ ସରକାରୀ ବ୍ୟାଙ୍କ ଗୁଡିକୁ ୭୦, ୦୦୦ କୋଟି ଟଙ୍କାର ସହାୟତା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ବ୍ୟାଙ୍କ ଗୁଡିକ ଲୋକମାନଙ୍କୁ ନୂତନ ଋଣ ପ୍ରଦାନରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହାର ସମାଧାନ ହୋଇପାରିବ। ଏପରିକି ରେପେ ରେଟ୍‌ ହ୍ରାସ ଯୋଗୁଁ ଏହାର ଫାଇଦା ସିଧାସଳଖ ଲୋକଙ୍କୁ ମିଳିବ। ଜନତାଙ୍କୁ ଗୃହ ଓ ଗାଡି ଋଣ କିସ୍ତି ଉପରେ ଆଶ୍ବସ୍ତି ମିଳିବ। ଗୃହ ଓ ଗାଡି ଋଣ ଉପରେ ସୁଧହାର ହ୍ରାସ ଯୋଗୁଁ ଏହାର ଫାଇଦା ବ୍ୟାଙ୍କ ଗୁଡିକ ସିଧାସଳଖ ଜନତାଙ୍କୁ ପ୍ରଦାନ କରିବେ। କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିଥିବାରୁ ବ୍ୟାଙ୍କ ଗୁଡିକ ସୁଧହାର ହ୍ରାସ କରିବା ଜରୁରୀ। ମାତ୍ର କେତେକ ବ୍ୟାଙ୍କ ଏହି ଫାଇଦା ଜନତାଙ୍କୁ ଦେଉ ନଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଏହାକୁ ସୁନିଶ୍ଚିତ କରିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦେଶ ଦେଇଛନ୍ତି। ସୁଧହାର କମିବା ଦ୍ବାରା ଇଏମଆଇ ମଧ୍ୟ କମିବ ଓ ଏହା ଜନତାଙ୍କୁ ଆଶ୍ବସ୍ତି କରିବ। ସଂପ୍ରତି ଅଟୋମୋବାଇଲ କ୍ଷେତ୍ରରେ ଜିଏସଟି ବୃଦ୍ଧି ଓ ଗାଡି ପଞ୍ଜିକରଣ ଦର ବୃଦ୍ଧି ଯୋଗୁଁ ଏହି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇପଡିଥିଲା। ବିଗତ ଦିନ ଗୁଡିକରେ ଗାଡି କିଣାବିକା ବେଶ୍‌ ହ୍ରାସ ପାଇଥିଲା। ଫଳରେ ଅନେକ ଅଟୋମୋବାଇଲ କମ୍ପାନୀ ମାନ୍ଦାବସ୍ଥା ଯୋଗୁଁ କର୍ମଚାରୀ ଛଟେଇ ମଧ୍ୟ ଆରମ୍ଭ କରିଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଯାନବାହାନ ବିକ୍ରିକୁ ପ୍ରୋତ୍ସାହିତ କରିବା ଲାଗି କେତେକ ଯୋଜନା ଉପରେ କାର୍ଯ୍ୟାରମ୍ଭ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ପ୍ରଦୂଷଣ ରୋକିବା ଲାଗି କେନ୍ଦ୍ର ସରକାର ସିଧାସଳଖ ବିଏସ-୬ ମାନ୍ୟତା ଯାନଗୁଡିକର ବିକ୍ରି ଲାଗି ପ୍ରୋତ୍ସାହନ ଦେବାକୁ ସ୍ଥିର କରିବା ସହ ପର୍ଯ୍ୟାୟକ୍ରମେ ବିଏସ-୪ ଯାନର ଅପସାରଣ ଲାଗି ଘୋଷଣା କରିଥିଲେ। ଫଳରେ ବିଏସ-୪ ଯାନଗୁଡିକର ବଜାର ଷ୍ଟକ୍‌କୁ ନେଇ ଅଟୋମୋବାଇଲ କମ୍ପାନୀମାନେ ଚିନ୍ତିତ ହୋଇପଡିଥିଲେ। ମାତ୍ର ବିଏସ-୪ ଯାନର କାରବାର ଉପରେ ସରକାର କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି। ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କିଣାଯାଉଥିବା ବିଏସ-୪ ଯାନବାହାନ ବୈଧ୍ୟ ରହିବ। ଏପରିକି ବିଏସ-୪ ଗାଡି ଉପରେ ଇଭି ଓ ପଞ୍ଜିକରଣ ମଧ୍ୟ ଜାରି ରହିବ। ଏପରିକି ଏକକାଳୀନ ପଞ୍ଜିକରଣ ମୂଲ୍ୟ ମଧ୍ୟ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ବଜେଟ୍‌ରେ ସରକାର ଗାଡି ରେଜିଷ୍ଟ୍ରେସନ୍‌ ଫି ବର୍ଦ୍ଧିତ ଘୋଷଣା କରିବା ଯୋଗୁଁ ଅଟୋମୋବାଇଲ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ମାତ୍ର ଏହି ବର୍ଦ୍ଧିତ ଫି’କୁ ଲାଗୁ କରିବା ପାଇଁ ସରକାର ଜୁନ୍ ୨୦୨୦ ପର୍ଯ୍ୟନ୍ତ ସମୟ ବଢାଇ ଦେଇଛନ୍ତି।
ଷ୍ଟାର୍ଟ ଅପ୍‌ କ୍ଷେତ୍ରରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ସରକାର ଷ୍ଟାର୍ଟଅପ୍ ଟିକସ ସମସ୍ୟା ତୁଟାଇବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଋଣ ଆବେଦନ ଉପରେ ଅନ୍‌ଲାଇନ୍ ଜରିଆରେ ସତର୍କ ଦୃଷ୍ଟି ରଖାଯାଉଥିବା କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଋଣ ପୈଠ ହେବାର ୧୫ ଦିନ ଭିତରେ ବ୍ୟାଙ୍କଗୁଡିକୁ ସିକ୍ୟୁରିଟି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଫେରାଇବାକୁ ପଡିବ। ଦେଶର ଆର୍ଥିକ ସୁଧାର ଲାଗି ସରକାର ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଟିକସ ଜନିତ ସମସ୍ୟାକୁ ନେଇ ଆୟକରଦାତା ଆଦୌ ବିବ୍ରତ ନହେବାକୁ ପରାମର୍ଶ ଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ। ସରକାର ଟିକସ ଓ ଶ୍ରମ ଆଇନରେ ନିରବଚ୍ଛିନ୍ନ ଭାବେ ସୁଧାର ଆଣୁଛନ୍ତି। ଟିକସ ସଂକ୍ରାନ୍ତ ନୋଟିସ ନେଇ ଏଣିକି ସିଧାସଳଖ କେନ୍ଦ୍ରୀୟ ବ୍ୟବସ୍ଥା କରାଯିବ। ଅକ୍ଟୋବର ପହିଲାରୁ କେନ୍ଦ୍ରୀୟ ସ୍ତରରୁ କରଦାତାଙ୍କ ନିକଟକୁ ସିଧାସଳଖ ନୋଟିସ ପଠାଯିବା ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଫଳରେ ଟିକସ ଉତ୍ପୀଡନ ଘଟଣାକୁ ରୋକାଯାଇପାରିବ ଓ କରଦାତାଙ୍କୁ ଆଶ୍ବସ୍ତି ମିଳିବ ବୋଲି ସୀତରମଣ ସୂଚନା ଦେଇଛନ୍ତି।

Comments are closed.