ଆଦିମ ପରମ୍ପରାର ଲୋକବାଦ୍ୟ……ଭୂମିରୁ ଭୁମାକୁ ଛୁଇଁଲା ‘ଘୁଡୁକା’

ବଲାଙ୍ଗୀର:(ବିଭୁ କଲ୍ୟାଣ ଗଡ଼ତ୍ୟା): ମଣିଷର ସାମାଜିକ ଓ ସାଂସ୍କୃତିକ ପରମ୍ପରାରେ ଲୋକ ସଙ୍ଗୀତ ଓ ବାଦ୍ୟ ହେଉଛି ଜୀବନ। ଭିନ୍ନ ଭିନ୍ନ ଶଦ୍ଦ ଓ ଧ୍ୱନିରୁ ଏହା ସୃଷ୍ଟି। ଏହି ଧରା ପୃଷ୍ଠରେ ଅନେକ ଲୋକସଙ୍ଗୀତ ରହିଛି ଯାହା ଲୁପ୍ତ ହେବାକୁ ବସିଲାଣି। ଆଦିମ କାଳରୁ ପର୍ୟ୍ୟାୟକ୍ରମେ ଅନେକ ବାଧା ବିଘ୍ନ ଦେଇ ଆଦିମ ପରମ୍ପରା ରହି ଆସିଛି। କିନ୍ତୁ କାଳକ୍ରମେ ଏହା ପରମ୍ପରାଗତ ସଙ୍ଗୀତ ନଷ୍ଟ ଓ ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି। ଆଦିମ ଅଧିବାସୀମାନଙ୍କ ଏକ ଲୁପ୍ତପ୍ରାୟ ଲୋକବାଦ୍ୟ କହିଲେ ମୁହଁରେ ଆପେ ଆପେ ନା ଆସେ ‘ଘୁଡୁକା’। ହେଲେ ଏହି ଲୋକବାଦ୍ୟ ବର୍ତ୍ତମାନ ଭୂମିରୁ ଭୁମାକୁ ପହଞ୍ଚି ପାରିଛି। ଏହାକୁ ନେଇ ସମାଜର ସ୍ୱତନ୍ତ୍ର ପ୍ରତିବେଦନ……

 ଘୁଡୁକାର ଐତିହାସିକ ଓ ଲୋକ ତତ୍ତ୍ୱ-ସତ୍ୟ ଯୁଗରେ ଦୈତ୍ୟପାଳ(ବିଧାତା-ବ୍ରହ୍ମା) ବ୍ରାହ୍ମଣ, କ୍ଷେତ୍ରିଅ,ବୈଶ୍ୟ ଓ ଶୁଦ୍ର ଏହି ଚାରି ଜାତିକୁ ୨୪ଟି ଜାତିରେ ବିଭକ୍ତ କରିଥିଲେ। ପୁଣି ପ୍ରତ୍ୟେକ ଜାତିକୁ ପୁଣି ୮ ଭାଗରେ ବିଭକ୍ତ କଲେ। ଜାତୁଧାମ କେଳା ବିଧାତାଙ୍କ ସୃଷ୍ଟି। ତାଙ୍କୁ ବିଧାତା ୭ ଖଣ୍ଡ ନଳ ଦେଳେ। ପ୍ରତ୍ୟେକ ନଳର ଳମ୍ବ ୭ ହାତ। ବିଧାତାଙ୍କ ଠାରୁ ଜାତୁଧାମ କେଳା ଅଚ୍ୟୁତ କମାର(କେଳା ମାନଙ୍କର ଗୁରୁ)ଙ୍କ ନିକଟକୁ ଗେଲେ। ଅନ୍ତନ୍ତ ପୌଖରୀ ପାଣି ଏବଂ ଅପୋଡା ଅଙ୍ଗାର ସାହାର୍ୟ୍ୟରେ ଅଲେଖ ଶାଳରେ ଏକ କଣ୍ଟା ତିଆରି କଲେ। ଏବଂ ଜାତୁଧାମ କେଳାକୁ ଦେଲେ। ଅଚ୍ୟୂତ କମାର ଦେଲେ। କଣ୍ଟାକୁ ନଳରେ ଲଗାଇ ଚଢେଇ ଧରିବାକୁ ତାଙ୍କୁ ଆଦେଶ ଦେଲେ। ନଳକୁ ହାତରେ ଧରି ଜାତୁଧେମ କେଳା ଇଶ୍ୱରଙ୍କ ନିକଟରେ ପହଞ୍ଚିଲା। ଶିବ କେଳାଙ୍କୁ ଦେଖି ଯନ୍ତ୍ର,ମନ୍ତ୍ର ଏବଂ ଢୁଡୁକୀ ଘୁଡକା ଦେଇଥିଲେ। ଦିନ ବେଳା ଭିକ୍ଷା ମାଗିବା ସହ ସନ୍ଧ୍ୟାରେ କିସମି ନାଚ। ଶିବ ଓ କୃଷ୍ଣଙ୍କ ନାମ ଯପ କରି ରାତ୍ରିରେ ଲୋକମାନଙ୍କ ମନୋରଂଜନ କରିଥିବା ପାରମ୍ପାରିକ ଗାଥାରୁ ଅଖ୍ୟାୟିକା ଜଣାଯାଏ। ସେହିପରି ଦ୍ୱାରପ ଯୁଗର କଥା କୌଶିକ ଅରଣ୍ୟର ରାଜା କିରାସସେନଙ୍କର ପୁତ୍ର ଓ ପୁତ୍ର ବଧୂ ଜାରାଶବର ଓ ଶବରୁଣି ଦିନେ ଜଙ୍ଗଲ ଭ୍ରମଣ କରୁଥିଲେ। ହାତାଠ ତାଙ୍କୁ ବୀଣା ଧ୍ୱନି ଶୁଣିଛନ୍ତି। କ୍ରମେ ନାରଦଙ୍କୁ ପାଇଥିଲେ। ଏବାଂ ତାଙ୍କ ଠାରୁ ଆର୍ଶିବାଦ ଭିକ୍ଷା ମାଗିଛନ୍ତି। ପୂର୍ବେ ଗର୍ନ୍ଧବସେନଙ୍କୁ ଯେଉଁ ଶିକ୍ଷା ଦିଆଯାଇଥିଲା,ସେହି ବାଦ୍ୟର ନିର୍ମାଣ ବିଧି ଜାରା ଶବରଙ୍କୁ ଦେଇଥିଲେ। ବାଦ୍ୟର ନାମ ଘୋଡକୀ/ଘୁଡକା ନାମରେ ନାମିତ କଲେ ବୋଲି ଲୋକଗାଥା ରହିଛି। ଏହି ଭଳି ୪ ଯୁଗର ଗାଥା ରହିଥିବା ଜଣାଯାଏ।

 ଶବର ସମ୍ପ୍ରଦାୟ ଓ ଘୁଡୁକା– ଏହାର ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଏହା ଆଦିମ କାଳରୁ ଆଦିବାସୀ ଶବର ସମ୍ପ୍ରଦାୟର ପାରମ୍ପରିକ ବାଦ୍ୟ ହୋଇ ରହିଛି। ଶବର ସମ୍ପ୍ରଦାୟର ଲୋକେ ପଶୁ,ପକ୍ଷୀ ଶିକାର କରିବାରେ ଯେତିକି ସିଦ୍ଧହସ୍ତ ସେତିକି ଏହି ବାଦ୍ୟରେ ମଧ୍ୟ। ପ୍ରତି ସନ୍ଧ୍ୟାରେ ହେଉକି ବିଭିନ୍ନ ପର୍ବପର୍ବାଣୀରେ ଏହି ବାଦ୍ୟକୁ ବେଶ ସଉକରେ ପରିବେଶଣ କରୁଥିଲେ। ରାଜା ରାଜୁଡା ସମୟରେ ଏହି ବାଦ୍ୟକୁ ଶୁଣିବା ପାଇଁ ଦରବାରରେ ସ୍ୱତନ୍ତ୍ର ଭାବେ ଏହାକୁ ବିଭିନ୍ନ ରୂପରେ ପରିବେଷଣ କରୁଥିଲେ। ଯାହା ଫଳରେ ଏକ ରୋଜଗାର ପନ୍ଥା ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସମୟକ୍ରମେ ସମାଜରେ ଧୀରେ ଧୀରେ ସାମାଜିକ ପରିବର୍ତ୍ତନରେ ସାମିଲ ହୋଇ ଏମାନଙ୍କ ବଂଶଜମାନେ ଏହାକୁ ଆଉ ଆପଣେଇଲେ ନାହିଁ। ଯେଉଁ ଶବର ସମ୍ପ୍ରଦାୟର ଦିନେ ଏହା କୌଳିକ ବାଦ୍ୟ ଥିଲା ଏହା ଲୁପ୍ତପ୍ରାୟ ହେବାର ମୁଖ୍ୟ ସମସ୍ୟା ହେଲା ପେଟପାଟଣା। ଏହାକୁ ପରିବେଶଷଣ କରିବା ବେଶ କଷ୍ଟ ସାଧ୍ୟ। ପରବର୍ତ୍ତୀ ପିଢୀ ଏହାକୁ ଆପଣେଇ ପାରିନଥିଲେ। ଗାଁରେ ପୂର୍ବରୁ ଏହାକୁ ନେଇ ଖାତିର ଥିଲା। ହେଲେ ଅସ୍ପୃଶ୍ୟତା ଯୋଗୁଁ ସେମାନେ ଆଗକୁ ଆସିପାରିନଥିଲେ। ସେ ସମୟରେ ଏହି କଳାକୁ ପୃଷ୍ଠ ପୋଷକତାର ଅଭାବ ପରେ ଏହା ଦୀର୍ଘ ଦିନ ଧରି ଅବହେଲିତ ହୋଇ ପଡି ରହିଲା। ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକ ତେଲନପାଲି,କୁମିଆପାଲି,ଦେଓଗାଁ ବ୍ଲକର ଚନ୍ଦରପୁର ଗାଁ,ବରଗଡ ଜିଲାର କେମେଲସିଂହା ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଜଣାଯାଏ।

 ଘୁଡୁକାର ନିର୍ମାଣ ଓ ନିସୃତ ଧ୍ୱନି– ଘୁଡୁକା ତିଆରି ପାଇଁ ଆବଶ୍ୟକ ହୁଏ ଆମ୍ବ କାଠ ଓ ଗୋଧି ଚର୍ମ। ଆମ୍ବକାଠକୁ ଖୋଳ କରାଯାଇ ତାକୁ ଗୋଧି ଚର୍ମକୁ ଛାଉଣୀ କରାଯାଏ। ଏହାକୁ ସୂତା ସଂଯୋଗ କରାଯାଇ ବାଦ୍ୟ ପାଇଁ ପ୍ରସ୍ତୁତ କରାଯାଏ। ଶବର ସମ୍ପ୍ରଦାୟରେ ନିୟମ ରହିଛି ଯେ,କୌଣସି ଗୋଧି(ଗୁଏ)କୁ ହତ୍ୟା କରାଯାଇ ଏହାକୁ ସଂଗ୍ରହ କରାଯାଏ ନାହିଁ। ବରଂ ଏହି ଜୀବର ଆକସ୍ମିକ ମୃତ୍ୟୁ ଅଥବା ଏହା କୌଣସି ଜନ୍ତୁ ଦ୍ୱାରା ଶିକାର ହୋଇଥିଲେ ଯାଇ ବ୍ୟବହାର ଯୋଗ୍ୟ ହୁଏ। ଯାହା ଏହି ସମ୍ପ୍ରଦାୟର ପଶୁମାନଙ୍କ ପ୍ରତି ଥିବା ମାନବିକତାକୁ ସୂଚାଏ। ଏଥିରୁ ନିସୃତ ଧ୍ୱନୀ ବେଶ ମଧୁର। ଏହାକୁ ପରିବେଷଣ କରିବା ପାଇଁ ବାଦ୍ୟକାର/କଳାକାର ନିଜ ବାମ ହାତର କାଖରେ ଚାପି ଧରି ଘୁଡୁକାରୁ ଲମ୍ବିଥିବା ସୂତାକୁ ଧରେ। ଡାହାଣ ହାତ ସାହାର୍ୟ୍ୟରେ ହାତ ମାରିଲେ ଏଥିରେ ଘୁବ୍ ଘୁବ୍ ଧ୍ୱନି ବାହାରେ। କୌଣସି ସଭାସ୍ଥଳ,ମଞ୍ଚ ତଥା ଯେ କୌଣସି ସ୍ଥାନରେ ପରିବେଷଣ କରିବା ଏତେ ସହଜ ମଧ୍ୟ ନୁହେଁ। ଏଥି ପାଇଁ ମନରେ ଏକାଗ୍ରତା ଓ ହାତରେ ଦମ୍ଭ ରହିବା ଦରକାର। ମଣିଷ ଶରୀରରେ ଥିବା ହୃତପିଣ୍ଡର ଶଦ୍ଦ ସହ ଏହି ବାଦ୍ୟରୁ ନିସୃତ ହେଉଥିବା ଧ୍ୱନି ପ୍ରାୟତଃ ସମାନ। ଏଥି ପାଇଁ ବୈଜ୍ଞାନିକ କାରଣ ରହିଥିବା ଘୁଡୁକା ବାଦ୍ୟ ଗବେଷକ ମତ ଦିଅନ୍ତି।

 ବଲାଙ୍ଗିର ମାଟିରେ ପାଇଲା ଜୀବନ୍ୟାସ– ଘୁଡୁକା ବାଦ୍ୟ ବଲାଙ୍ଗିର ମାଟିରେ ହିଁ ଜୀବନନ୍ୟାସ ପାଇଲା। ଏହାରି ପ୍ରଚ୍ଛଦ ପଟରେ ଡ.ପବିତ୍ର କୁମାର ଦଣ୍ଡସେନା,କଳାକାର ତଥା ଗବେଷକ ଦିଲିପ ଦୀପ,ପବିତ୍ର କୁମ୍ଭାରଙ୍କ ଭଳି ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ ଏହାରି ପଛରେ ଲୁଚି ରହିଛି। ଡ.ଡନସେନାଙ୍କ ଦୃଢ ଇଚ୍ଛାଶକ୍ତି ଓ ପ୍ରୟାସରେ ବଲାଙ୍ଗିର ସହରର ପ୍ୟାଲେସ ଲାଇନ ଠାରେ ଉପକାର(ସାଙ୍ଗାମାପା) ଅନୁଷ୍ଠାନ ଜରିଆରେ ଲୋକବାଦ୍ୟ ଘୁଡୁକା କୁ ଆଜି ଜୀବନ୍ୟାସ ମିଳିପାରିଛି। ଏହା ଗାଁରେ ପ୍ରଚାର ପ୍ରସାର ହେବା ସହ ବିଶ୍ୱଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇ ସାରିଛି। ବଲାଙ୍ଗିର ଲୋକ ଉତ୍ସବରେ ଘୁଡୁକା ବାଦ୍ୟ ପରିବେଷଣ କରୁଥିବା କଳାକାରମାନଙ୍କ ମଧ୍ୟରେ ଏହି ମାନଙ୍କ ନା ଯୋଡି ହୋଇଯାଏ। ଯେଉଁ ସମୟରେ ଘୁଡୁକା ମରି ଯାଉଥିଲା ଏମାନେ ତାକୁ ବଞ୍ଚାଇ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ୧୯୯୯ ମସିହାରେ ଡ. ପବିତ୍ର ଦଣ୍ଡସେନା ଓ ଶ୍ରୀ ଦୀପ ତାଙ୍କ ସହକଳାକାରମାନଙ୍କ ସହ ଏହାକୁ ବେଶ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶେଷ କରି ବଲାଙ୍ଗିର ଲୋକ ମହୋତ୍ସବ ମଞ୍ଚରେ ପରିବେଷଣ ଦ୍ୱାରା ଏହା ଧୀରେ ଧୀରେ ଜନାଦୃତ ହେଲା। ଦୀର୍ଘ ୨୦ ବର୍ଷ ଯାତ୍ରା ମଧ୍ୟରେ ଘୁଡୁକାକୁ ନେଇ ଅନେକ ଗବେଷଣା ହୋଇଥିବା ବେଳେ ଉଚ୍ଚ ଗବେଷଣା ପାଇଁ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଅନ୍ତର୍ଗତ ଉଜ୍ଜ୍ୱଳ ଦଣ୍ଡସେନା ଓ ମା ଜାହ୍ନବୀ ଦଣ୍ଡସେନା ସୁପୁତ୍ର ଡ.ପବିତ୍ର କୁମାର ଦଣ୍ଡସେନାଙ୍କୁ ଡକ୍ଟରେଟ୍ ଉପାଧି ମିଳିଛି। ଏହା ସହ ୨୦୧୬ ମସିହାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ପାଠ୍ୟକ୍ରମରେ ସାମିଲ ହୋଇସାରିଛି। ତେବେ କଳାକାରମାନଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଏହାକୁ ପେସା ଭାବେ ଗ୍ରହଣ କରି ୨ ଶହ କଳାକାର ନିଜ ପେଟ ପୋଷୁଛନ୍ତି। ବଲାଙ୍ଗିର ସଦର ବ୍ଲକ ଝାଙ୍କର ପାଲି ଗାଁର ପବିତ୍ର କୁମ୍ଭାର ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ନିଜ ପରିଜନଙ୍କ ସହଯୋଗରେ ଟ୍ରେନରେ ଘୁଡୁକାକୁ ପରିବେଶଣ କରି ଏହି ଅଞ୍ଚଳରେ ଘୁଡୁକାକୁ ବଞ୍ଚେଇ ରଖିଛନ୍ତି। ସେହିପରି ଡ.ପବିତ୍ର ଓ ଦିଲିପଙ୍କ କଥା ପଡିଲେ ସେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ,ସେମିନାର ତଥା ବିଭିନ୍ନ ରାଜ୍ୟକୁ ଯାଇ ଏହି କଳାର ପ୍ରଚାର ପ୍ରସାର ଜାରି ରଖିଛନ୍ତି।

 ପରଦାରେ ଘୁଡୁକା– ଘୁଡୁକା ସମ୍ପ୍ରଦାୟ ନିରପେକ୍ଷ ଲୋକବାଦ୍ୟ। ଲଘୁ ହାସ୍ୟ ସୃଷ୍ଟି ମାଧ୍ୟମରେ ଆଧ୍ୟାତ୍ମିକତା ଅପେକ୍ଷା ଲୋକ ମନୋରଂଜନ ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ। ସାମାଜିକ କୁସଂସ୍କାର ପ୍ରତି କଟାକ୍ଷପାତ,ଲୌକିକ ଆନନ୍ଦ,ଲୋକ ଶିକ୍ଷା,ସମାଜ ସଚେତନତା ଏହାର ଧର୍ମ। ଏହା ଲୋକଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି। ଘୁଡୁକା ପରଦାକୁ ପ୍ରଥମେ ଆଲବମ ଜରିଆରେ ପ୍ରବେଶ କରିଥିଲା। ବର୍ତ୍ତମାନ ଏହି ବାଦ୍ୟକୁ ବିଭିନ୍ନ ଚଳଚିତ୍ରର ଅଂଶ ବିଶେଷ ହୋଇସାରିଛି। ଏହାକୁ ନେଇ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ ମଧ୍ୟ ହୋଇ ସାରିଛି। ନଳ ଶବର ଗୋଷ୍ଠୀର,ପତ୍ର ସଉଁରାମାନେ ମୁଣ୍ଡ ପୋତୁଥିବା ଦୃଶ୍ୟ ସ୍ଥାନିତ କରାଯାଉଛି। ବଏଲା ରେ..,ଶଲାବୁଢା,ଘୁବୁକୁଡୁ,ଝରନରେ ଘୁଡୁକାର ଛାପ ରହିଛି। ଆକାଶବାଣୀ ଓ ଦୂରଦର୍ଶନ,ପ୍ରଥପ୍ରାନ୍ତ ନାଟକ,ରେଡିଓ କାର୍ୟ୍ୟକ୍ରମ ୧ ହଜାରୁ ଊର୍ଦ୍ଧ୍ବ କାର୍ୟ୍ୟକ୍ରମ ପ୍ରସ୍ତୁତି ହୋଇଥିବା ଜଣାଯାଏ। ଘୁଡୁକା କହେସି ଗୁହେର କଥା ନାଟକ ଅନେକ ପୁରସ୍କାର ପାଇଛି ପାଇଛି।

ସଂରକ୍ଷଣ– ଏହାକୁ ନେଇ ଆହୁରି ଗବେଷଣା ଜରୁରୀ। ବଲାଙ୍ଗିରରେ ଯେହେତୁ ଏହାକୁ ଜୀବନ୍ୟାସ ମିଳିଛି ଓ ଏହି ଠାରୁ ନୂତନ କଳାକାର ସୃଷ୍ଟି ହେଉଛନ୍ତି। ଏହାକୁ ବଞ୍ଚେଇ ରଖିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବ୍ୟାପର ଓ ସଂସ୍କୃତି ବିଭାଗ ଦ୍ୱାରା ଏକ ଗବେଷଣା କେନ୍ଦ୍ର ଖୋଲାଯିବାର ଆବଶ୍ୟକତା ରହିଛି। ଅନେକ ଆଦିବାସୀ ସମ୍ପ୍ରଦାୟ ବିଲୁପ୍ତ ହେବାକୁ ବସିଥିବା ବେଳେ ସେମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟୁ,ସଙ୍ଗୀତା ମଧ୍ୟ ସମୟକ୍ରମେ ହଜିଯିବାକୁ ବସିଲାଣି। ଆଦିବାସୀଙ୍କ ଏହି ପରମ୍ପରା,ସଂସ୍କୃତି,କଳାକୃତି ସବୁ ରାଷ୍ଟ୍ରୀୟ ସମ୍ପଦ ଭାବେ ବିଚାର କରାଯାଇ ଏହାକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଏ।

Comments are closed.