ସରକାରୀ ଶିକ୍ଷାର ବିକଳ ଚିତ୍ର : ‘ଗରିମା’ ଖୋଲିଲା ଗୁମର

-ସପ୍ତମ-ଅଷ୍ଟମ ଶ୍ରେଣୀର ୭୫ଭାଗ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି
-‘ଉଜ୍ବଳ’ ଏବଂ ‘ଉତ୍ଥାନ’ରେ ଶତାଧିକ କୋଟି ଖର୍ଚ୍ଚ ସତ୍ତ୍ବେ ୧୭ହଜାର ବିଦ୍ୟାଳୟ ଫେଲ୍‌
-ଗଣଶିକ୍ଷା ବିଭାଗ ଖୁସ୍; ସୁରଭିରେ ବାଣ୍ଟିବେ ବ୍ରୋଞ୍ଜ ପଦକ

ଭୁବନେଶ୍ୱର : ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଛୁଆ (ଗଧଡା) ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ବୌଦ୍ଧିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଦୁଇରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାଭିତ୍ତିକ ଯୋଜନା ‘ଉଜ୍ବଳ’ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଉତ୍ଥାନ’ ଯୋଜନା ପ୍ରଣୟନ ହୋଇଛି। ଏହି ଦୁଇ ଯୋଜନାରେ ରାଜକୋଷରୁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସରକାରଙ୍କ ଆଭିମୁଖ୍ୟ ପୂରଣ ହେଉନାହିଁ କି ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ମିଳୁନାହିଁ। ଏମିତିକି ଶିକ୍ଷକମାନେ କଳାପଟ୍ଟା ଓ ସିଲଟରେ ବତେଇଲା ପରେ ବି ପରିସ୍ଥିତିରେ ସୁଧାର ଆସିବା ପରି ଜଣାପଡୁନାହିଁ।
ଚଳିତବର୍ଷ ‘ଗରିମା’ ପରୀକ୍ଷାବେଳେ ରାଜ୍ୟର ୭୫ଭାଗ ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି। ଏହିସବୁ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାପାଇଁ ଓପେପା ମଙ୍ଗ ଧରିଥିଲେ ବି ରାଜ୍ୟରେ ୭୫ଭାଗ ଛାତ୍ରଛାତ୍ରୀ ଅର୍ଥାତ ସିଂହଭାଗ ୪୦ଲକ୍ଷ ଛାତ୍ରଛାତ୍ରୀ ଗଧଡା ରହିଛନ୍ତି।
ସରକାରଙ୍କ ‘ଗରିମା’ ସରକାରୀ ଶିକ୍ଷାର ବାସ୍ତବ ଚିତ୍ରର ଗୁମର ଖୋଲିଥିବାବେଳେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ପରେ ଯୋଜନାର ରୂପାୟନ କାହିଁକି ଫଳପ୍ରଦ ହେଉନାହିଁ ତାହା ଆକଳନ କରିବାକୁ କେହିନାହିଁ।
ସୂଚନାଯୋଗ୍ୟ ଯେ ‘ଆସର’ ସଂସ୍ଥା ପକ୍ଷରୁ ୨୦୧୫ରେ ରାଜ୍ୟରେ ସରକାରୀ ପ୍ରାଥମିକ ଶିକ୍ଷାର ଏକ ବାସ୍ତବ ଚିତ୍ର ପ୍ରଦାନ କରାଯାଇଥିଲା। ଏହାକୁ ନେଇ ସରକାରୀସ୍ତରରେ କେହି ଗୁରୁତ୍ବ ଦେଇ ନଥିଲେ। କାଳେ ଉକ୍ତ ରିପୋର୍ଟର ସତ୍ୟତା ଜଣାପଡିଯିବ ତେଣୁ ତାକୁ ଦୃଷ୍ଟି ଆଢ଼ୁଆଳ କରି ଗଧଡ଼ା ଛାତ୍ରଛାତ୍ରୀଙ୍କୁ ମେଧାବୀ କରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ବଳ ଓ ଉତ୍ଥାନ ଯୋଜନା କାର୍ଯ୍ୟକାରୀ କରାଗଲା; କିନ୍ତୁ ଫଳ କିଛି ହେଲା ନାହିଁ।
ଗୋଦରା ବାଡ଼ି କୋଡ଼ିବା ନ୍ୟାୟରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ପରେ ବି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ହୋଇପାରିନାହିଁ। ଚଳିତବର୍ଷ ୨୩ହଜାର ପ୍ରାଥମିକ ବିଦ୍ୟାଳୟ ‘ଗରିମା’ ପରୀକ୍ଷା ଦେଇ ସେଥିରୁ ୬ହଜାର ବିଦ୍ୟାଳୟ କୃତକାର୍ଯ୍ୟ ହୋଇଥିବାବେଳେ ୧୭ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀ ଫେଲ ମାରିଛନ୍ତି। ଏଥିରୁ ସରକାରଙ୍କ ସତ୍ୟ କେତେ ଓ ବାସ୍ତବତା କେତେ ତାହା ସ୍ପଷ୍ଟ ବାରି ହେଉଛି।

ସୂଚନାଯୋଗ୍ୟ ଯେ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ନିର୍ଦ୍ଧାରଣ କରିବାପାଇଁ ଚଳିତବର୍ଷ ଗରିମା ପରୀକ୍ଷା ଆପଣାଯାଇଛି। ଏନେଇ ଗତ ଜୁଲାଇରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି ହୋଇଛି। ସେଥିରେ କେବେ ସୁଦ୍ଧା ପରୀକ୍ଷା ଶେଷ ହେବ ଏବଂ କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କେଉଁ ତଳିଆ ଶ୍ରେଣୀର ପ୍ରଶ୍ନର ଉତ୍ତର ଦେବେ ତାହା ସ୍ପଷ୍ଟ ଦର୍ଶାଯାଇଛି। ଯେଉଁ ବିଦ୍ୟାଳୟ ବା ବ୍ଲକ ଏବେ ବ୍ରୋଞ୍ଜ ପାଇଁ ମନୋନୟନ ହୋଇଛନ୍ତି ସେହିସବୁ ବିଦ୍ୟାଳୟ ରୌପ୍ୟ ପଦକ ପାଇଁ ପରୀକ୍ଷା ଦେବେ। ସେହିପରି ଯେଉଁସବୁ ବିଦ୍ୟାଳୟ ରହିଯାଇଛନ୍ତି ସେଗୁଡିକ ପୁଣିଥରେ ବ୍ରୋଞ୍ଜ ପଦକୁ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବ୍ଲକସ୍ତରର ସିଆରସିସି, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ନେଇ ଗରିମା ପୁରସ୍କାର ଦିଆଯାଇଥାଏ। ଏହାକୁ ନେଇ ରାଜ୍ୟର ସବୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଗରିମାରେ ଭାଗ ନେବାପାଇଁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୩ହଜାର ବିଦ୍ୟାଳୟ ସାମିଲ ହୋଇଥିଲେ। ସେଥିରୁ ୧୭ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବାବେଳେ ୬ହଜାର ବିଦ୍ୟାଳୟର ପିଲା ପାସ୍ ହୋଇଥିଲେ।
ସରକାରଙ୍କ ତଥ୍ୟ ଅନୁଯାୟୀ, ଯେଉଁସବୁ ବ୍ଲକର ବିଦ୍ୟାଳୟଗୁଡିକ ଗରିମା(୭୦ ପ୍ରତିଶତ)ପାଇଁ ବିବେଚିତ ହୋଇଛନ୍ତି ସେହି ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ କେବଳ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଗଣିତ, ଇଂରାଜୀ ଓ ସାହିତ୍ୟର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ କେବଳ ଦ୍ବିତୀୟ ଶ୍ରେଣୀର ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହୋଇଥିବାବେଳେ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ହସ୍ତାକ୍ଷର କରିବା ଓ ସଂଖ୍ୟା ଚିହ୍ନିବାରେ ପାସ୍ ହୋଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଉଜ୍ବଳ ଓ ଉତ୍ଥାନ ଯୋଜନାରେ ବର୍ଷକୁ ପ୍ରାୟ ୨୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି; ହେଲେ ଶିକ୍ଷାର ମାନଦଣ୍ଡ କାହିଁକି ଉନ୍ନତି ହେଉନାହିଁ। ରାଜ୍ୟରେ କାହିଁକି ୧୭ହଜାର ବିଦ୍ୟାଳୟର ଛାତ୍ରଛାତ୍ରୀ ଏହିସବୁ ତଳିଆ ଶ୍ରେଣୀ ପ୍ରଶ୍ନପତ୍ରର ଉତ୍ତର ଦେଇ ପାରିଲେ ନାହିଁ ତାହାକୁ ତର୍ଜମା କରିବାକୁ କେହି ନାହିଁ। ସେସବୁକୁ ଗଣଶିକ୍ଷା ବିଭାଗ ପଛରେ ପକାଇ ଏବେ ୬ହଜାର ବିଦ୍ୟାଳୟର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରୌପ୍ୟ ପଦକ ପାଇଁ ପରୀକ୍ଷା କରିବାକୁ ତାଗିଦ କରିଛି। ସରକାରୀ ଅର୍ଥ ଅଜର୍ସ ଖର୍ଚ୍ଚ ହେଉଛି। ହେଲେ ସରକାରୀ ଶିକ୍ଷା ବ୍ୟବସ୍ଥା ବାସ୍ତବରେ ତଳସ୍ତରରେ କିଭଳି ବିକଳ ଅବସ୍ଥାରେ ରହିଛି ତାକୁ ପରଖିବାକୁ କେହିନାହିଁ। ଅଭିଯୋଗ ଆସିଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଦିନେ ଓଳିଏ ତମ୍ବିତୋଫାନ କରି ପରେ ଭୁଲି ଯାଆନ୍ତି। ହେଲେ ରାଜ୍ୟରେ ସରକାରୀ ଶିକ୍ଷା କିଭଳି ଦିଗହରା ହେଉଛି ଏଥିପାଇଁ ଦାୟୀ କିଏ ସେଥିପାଇଁ ବ୍ୟବସ୍ଥା କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଏ ସମ୍ପର୍କରେ ଓପେପା ଯୁଗ୍ମ ନିର୍ଦେଶକ ସୂର୍ଯ୍ୟମଣି ମିଶ୍ର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଭିବୃଦ୍ଧି କରିବାପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଚଳିତବର୍ଷ ଗରିମା ପରୀକ୍ଷାରେ ୬ହଜାର ବିଦ୍ୟାଳୟ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟର ଭଣ୍ଡାରୀପୋଖରୀ ଏବଂ ସବଡେଗା ବ୍ଲକ ବ୍ରୋଞ୍ଚ ପଦକ ପାଇବାକୁ ବିବେଚିତ ହୋଇଛନ୍ତି। ଡିସେମ୍ବର ସୁଦ୍ଧା ରୌପ୍ୟ ଓ ସୁନା ପଦକ ପାଇଁ ପରୀକ୍ଷା କରାଯିବ। ତେବେ କାହିଁକି ଉତ୍ତୀର୍ଣ୍ଣ ହାର କମ୍ ରହିଛି ସେନେଇ ସରକାର ପ୍ରୟାସ କରୁଥିବା ଶ୍ରୀ ମିଶ୍ର କହିଥିଲେ।