ନିଷ୍ଠା-ଅଧ୍ୟବସାୟ

ଇଚ୍ଛାଥିଲେ ଉପାୟ ଆପେ ଆପେ ଆସିଥାଏ। ଦୃଢ଼ ଇଚ୍ଛାଶକ୍ତି ନିଷ୍ଠା, ଅଧ୍ୟବସାୟର ଜନକ। ଏହା ମାଧ୍ୟମରେ ଅସାଧ୍ୟ ମନେ ହେଉଥିବା କାର୍ଯ୍ୟ ସହଜ, ସରଳ, ସୁଗମ ହୋଇଥାଏ। ନାନା ପ୍ରତିକୂଳ ପରିସ୍ଥିତି ଭିତରେ ଗତିକରି, ଅହରହ ଦୁଃସ୍ଥିତି ସହ ଯୁଝି ଏମିତି ଅନେ​‌େ​‌କ ନିଜ ଅନ୍ତର୍ନହିତ ପ୍ରତିଭାର ପରିସ୍ଫୁଟନ କରିଛନ୍ତି। ବଣମଲ୍ଲୀ ହୋଇ ନିଜର ସୁବାସ ବଣରେ ବିତରଣ କରିନାହାନ୍ତି, ବିଶ୍ବରେ ବିତରଣ କରି ଯୁଗଯୁଗକୁ ମହାମନୀଷୀ ଭାବରେ ନିଜ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି। ସେମାନଙ୍କ ଜୀବନୀ ଅନ୍ୟମାନଙ୍କ ପାଇଁ ଆଲୋକବର୍ତ୍ତିକା, ପ୍ରେରଣାର ଉତ୍ସ ହୋଇ ରହିଆସିଛି। ଏହିଭଳି ଜଣେ ମହାମନୀଷୀ ଥିଲେ ପ୍ରଖ୍ୟାତ ଲେଖକ ମାକସିମ୍‌ ଗର୍କି।
ଗର୍କିଙ୍କ ପିତା ଅତ୍ୟନ୍ତ କ୍ରୂର ସ୍ବଭାବର ଥିଲେ। ପିତା ହିସାବରେ ସାମାନ୍ୟତମ ସୁବିଧା ସନ୍ତାନଙ୍କୁ ଯୋଗାଇ ଦେବାକୁ ମଧ୍ୟ ସେ ନିଜ କର୍ତ୍ତବ୍ୟ ବୋଲି ଭାବୁ ନଥିଲେ। ଏହା ବାଦ ତାଙ୍କ ଚରିତ୍ରର ସବୁଠାରୁ କୁତ୍ସିତ ଦିଗ ଥିଲା ସାଧାରଣ ଘଟଣାରେ ନିର୍ଦୟ ଭାବରେ ବାଡ଼େଇବା। ଏପରିକି ପତ୍ନୀ (‌ଗର୍କିଙ୍କ ମା’) କିଛି କହିଲେ ବା ପ୍ରତିବାଦ କଲେ ତାଙ୍କୁୁ ମଧ୍ୟ ପିଟିବାକୁ ପଶ୍ଚାତପଦ ହେଉନଥିଲେ। ଗର୍କିଙ୍କର ବହୁତ ଇଚ୍ଛାଥିଲା ପାଠ ପଢ଼ିବାକୁ,କିନ୍ତୁ ପିତା ତାଙ୍କୁ ଅନ୍ୟ କାମରେ ମୁକରିର କରିଥିଲେ। ପ୍ରତିବାଦ କରିବାର ଜୁ’ ନଥିଲା। କାମରେ ନିୟୋଜିତ କରିବାର ପ୍ରଧାନ ଉଦ୍ଦେଶ୍ୟ ଥିଲା ସେ ଯେପରି ପାଠପଢ଼ିବା କଥା ତୁଣ୍ଡରେ ଧରିବନି। ଦିନରାତି କାମରେ ଲଗାଉଥିବା ନିଷ୍ଠୁର ପିତାଙ୍କୁ କେବେ ବି ପଢ଼ିବା କଥା କହିଲେ ନିର୍ଦୟ ଭାବେ ପିଟୁଥିଲେ। ଏ ସବୁ ସତ୍ତ୍ବେ ପିଲାଟିର ମନରେ ଅହରହ ପାଠ ପଢ଼ିବାର ଦୁର୍ବାର ବାସନା ଜାଗି ଉଠୁଥିଲା। ଯଦିଚ ଏହା କାମର ଚାପରେ ପରମୁହୂର୍ତ୍ତରେ ମିଳାଇ ଯାଉଥିଲା, ତଥାପି ଦମିତହୋଇ ରହୁ ନଥିଲା।
ଗର୍କି ଏକ ରଦ୍ଦି ଦ୍ରବ୍ୟ, ପୁରୁଣା ଚିରାଫଟା ବହିପତ୍ର, ଭଙ୍ଗାଲୁହା ଆଦି ଅବ୍ୟବହୃତ ଦ୍ରବ୍ୟ କିଣାବିକା କରୁଥିବା ଦୋକାନରେ କାମଟିଏ ପାଇଗଲେ। ସେଠାରେ ଥିଲା ଯଥେଷ୍ଟ ସଂଖ୍ୟକ ପୁରୁଣା ବହି। ଦୋକାନରେ କାମ କରିବା ଭିତରେ ଅବସର ମିଳିଲେ କିମ୍ବା ରାତିରେ ନଶୋଇ ସେ ଭଲଭଲ ବହି ପଢ଼ିବାକୁ ଲାଗିଲେ। ଏହା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା। ପଢ଼ାରେ ବେଳେବେଳେ ମଜ୍ଜିଯାଇଥିବା କାରଣରୁ ଦୋକାନର ମାଲିକ ଦୁର୍ବ୍ୟବହାର କରୁଥିଲେ, ହେଲେ ଏସବୁକୁ ସେ ନୀରବରେ ସହି ଯାଉଥିଲେ।
ପ୍ରଥମେ ପ୍ରଥମେ ପୁସ୍ତକ ଅଧ୍ୟୟନ ସମୟରେ କିଛି ବୁଝି ପାରୁନଥିଲେ,ହେଲେ ଅଭ୍ୟାସ କରି ବାରମ୍ବାର ପଢ଼ିବାରେ ଏହା ବୁଝିବାରେ ସକ୍ଷମ ହୋଇଥିଲେ। ଏହିଠାରେ ସେ ଶତାଧିକ ପୁସ୍ତକ ଅଧ୍ୟୟନର ସୁଯୋଗ ପାଇଥିଲେ। ଦିନେ ଏକ କାହାଣୀ ଲେଖି ଖବର କାଗଜରେ ଛାପିବା ନିମନ୍ତେ ପଠାଇ ଦେଲେ। ଏହି କାହାଣୀଟି ପ୍ରକାଶିତ ହେବାପରେ ସେ ରାତାରାତି ନାମୀ ଲେଖକ ପାଲଟିଗଲେ। ମୂର୍ଦ୍ଧନ୍ୟ ବର୍ଗର ଲେଖକମାନେ ତାଙ୍କୁୁ ଉତ୍ସାହିତ କରି ପ୍ରଶଂସାପତ୍ର ପଠାଇବାରେ ଲାଗିଲେ। ଏହାହିଁ ତାଙ୍କୁ ଲେଖାଲେଖି ନିମନ୍ତେ ଉତ୍ସାହିତ କରିଥିଲା ଗଭୀର ଭାବରେ। ସମୟକ୍ରମେ ସେ ‘ମା’ ଶୀର୍ଷକ ଏକ ପୁୁସ୍ତକ ଲେଖିଥିଲେ। ଏହି ପୁସ୍ତକ କେବଳ ଦେଶର ନୁହେଁ, ସମଗ୍ର ବିଶ୍ବରେ ସର୍ବଶ୍ରେଷ୍ଠ ପୁସ୍ତକର ଖ୍ୟାତିଲାଭ କରିଥିଲା ଓ ସେ ଜଣେ ମାନ୍ୟଗଣ୍ୟ ଲେଖକ ଭାବରେ ପରିଗଣିତ ହୋଇଥିଲେ। ଅସମ୍ଭବକୁ ସମ୍ଭବ, ଅସାଧ୍ୟକୁ ସାଧ୍ୟ, ଅପହଞ୍ଚକୁ ପହଞ୍ଚ କରିବାର ଅକଳନୀୟ ସାମର୍ଥ୍ୟ ଯାହାର ରହିଛି ତାହା ହେଲା ନିଷ୍ଠା ଓ ଅଧ୍ୟବସାୟ।