ରାଜନୀତିରେ ନୂଆଧାରା

ଭାରତୀୟ ରାଜନୀତିରେ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗପତିମାନେ ସିଧାସଳଖ ସଂପୃକ୍ତ ନ’ହେବାର ଏକ ପରମ୍ପରା ରହିଆସିଛି। ସେମାନେ ରାଜନୈତିକ ବିବୃତି ଓ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହି ଅନ୍ତରାଳରେ ନିଜ ମନପସନ୍ଦର ଦଳ ପାଇଁ କାର୍ଯ୍ୟ କରନ୍ତି ଏବଂ ସବୁ ପ୍ରମୁଖ ଦଳ ସହ ଉତ୍ତମ ଭିତିରି ସମ୍ପର୍କ ରଖନ୍ତି। ବିଭିନ୍ନ ଦଳକୁ ବିପୁଳ ରାଜନୈତିକ ଚାନ୍ଦା ଦେଉଥିବା ଏହି ଶିଳ୍ପପତିମାନେ କେଉଁ ଦଳ କ୍ଷମତାକୁ ଆସୁଛି ତାହାକୁ ସତର୍କତାର ସହ ଲକ୍ଷ୍ୟ କରିଥାନ୍ତି। ଉଦ୍ୟୋଗୀ ଓ ଶିଳ୍ପ ବ୍ୟବସାୟ ସଂଘ ସର୍ବଦା ନିଜର ବ୍ୟାବସାୟିକ ସ୍ବାର୍ଥ ପାଇଁ ସରକାର ସପକ୍ଷବାଦୀ ଆଭିମୁଖ୍ୟ ରଖିଥାନ୍ତି। ତେବେ ଏଥର ନିର୍ବାଚନରେ ଦେଶର ଦୁଇ ପ୍ରମୁଖ ଶିଳ୍ପପତି ରିଲାଏନ୍ସ ଶିଳ୍ପଗୋଷ୍ଠୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ କୋଟାକ ମହୀନ୍ଦ୍ର ବ୍ୟାଙ୍କର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଦୟ କୋଟାକ ଏହି ଦୀର୍ଘ ପରମ୍ପରା ଭାଙ୍ଗିଛନ୍ତି। ଉଭୟ ଦକ୍ଷିଣ ମୁମ୍ବଇ ଆସନର ଲୋକସଭା ପ୍ରାର୍ଥୀ କଂଗ୍ରେସର ମିଲିନ୍ଦ ଦେଓରାଙ୍କ ସପକ୍ଷରେ ସିଧାସଳଖ ପ୍ରଚାର ଆରମ୍ଭ କରିଛନ୍ତି। ମିଲିନ୍ଦ ପୂର୍ବତନ କଂଗ୍ରେସ ନେତା ମୁରଲୀ ଦେଓରାଙ୍କ ପୁତ୍ର ଏବଂ ଏହି ଆସନରୁ ସେ ଲୋକସଭାକୁ ପୂର୍ବରୁ ନିର୍ବାଚିତ ହୋଇଥିବାବେଳେ ଏଥର ଏନ୍‌ଡିଏର ଅଂଶୀଦାର ଶିବସେନାର ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଦେଶର ଦୁଇଜଣ ପ୍ରମୁଖ ଶିଳ୍ପପତି ବର୍ତ୍ତମାନର ଉତ୍ତେଜନାପ୍ରବଣ ରାଜନୈତିକ ପରିବେଶରେ ହଠାତ୍‌ ବିରୋଧୀଦଳର ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର ରହସ୍ୟ କ’ଣ?
ମହାରାଷ୍ଟ୍ର, ଗୁଜରାଟ ଓ କେନ୍ଦ୍ରରେ ବିଜେପି ନେତୃତ୍ବରେ ପରିଚାଳିତ ସରକାର ଥିବାବେଳେ ଏହି ଦୁଇ ଶିଳ୍ପପତିଙ୍କ ବ୍ୟବସାୟ ସାମ୍ରାଜ୍ୟ ସେସବୁ ଅଞ୍ଚଳରେ ରହିଛି। ଏହା ସତ୍ତ୍ବେ ସେମାନେ ବିଜେପି-ଶିବସେନାଙ୍କୁ କ୍ଷୁବ୍ଧ କରି ଏପରି ନିଷ୍ପତ୍ତି ନେବା ଘଟଣା ଉଦ୍ୟୋଗଜଗତ ଓ ଅନ୍ୟାନ୍ୟ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିବା ସ୍ବାଭାବିକ। ଏକଥା ସତ ଯେ ଗଣତନ୍ତ୍ରରେ ରାଜନୈତିକ ନିଷ୍ପତ୍ତି ଓ ବିଚାର ବ୍ୟକ୍ତିଗତ ଏବଂ ଏହା ଚାପ ବା ବାଧ୍ୟବାଧକତାରୁ ମୁକ୍ତ। ତେବେ କେଉଁ ସ୍ବାର୍ଥପାଇଁ ଏହି ଦୁଇନେତା କ୍ଷମତାସୀନ ଦଳଙ୍କୁ କ୍ଷୁବ୍ଧ କରି ଏଭଳି ନିଷ୍ପତ୍ତି ଖୋଲାଖୋଲି ନେଲେ? ଏହା ବ୍ୟକ୍ତିଗତ ସମ୍ପର୍କ ଓ ସମୀକରଣ ଆଧାରରେ ହୋଇପାରେ।
ଗୋଟିଏ ପଟରେ ମୁକେଶଙ୍କ ସାନଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ରାଫେଲ ମାମଲାରେ ଟାର୍ଗେଟ କରି ମୋଦୀଙ୍କ ଅନୁକମ୍ପାରୁ ସେ ବିପୁଳ ଲାଭ ପାଇଥିବା ପ୍ରକାଶ୍ୟରେ କହୁଛନ୍ତି। ଏଭଳି ଅବସ୍ଥାରେ ମୁକେଶ ତାଙ୍କ ଭାଇକୁ ସମାଲୋଚନା କରୁଥିବା ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଘଟଣା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ତେବେ ବାସ୍ତବତା ହେଉଛି କେବଳ ମୁକେଶ ବା ଉଦୟ ନୁହନ୍ତି ଉଦ୍ୟୋଗ ରାଜଧାନୀ ଦକ୍ଷିଣ ମୁମ୍ବଇର ସବୁ ଉଦ୍ୟୋଗୀ, ବ୍ୟବସାୟୀ ଓ ଶିଳ୍ପପତି ଏକ ଶାନ୍ତ, ଅନୁକୂଳ ଓ ସୁସ୍ଥ ରାଜନୈତିକ ବାତାବରଣ ଚାହାନ୍ତି ଯାହା ଉଦ୍ୟୋଗଜଗତ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ସେମାନେ ଶିବସେନାର ଗୁଣ୍ଡାଗିରି ରାଜନୀତି, ଉଦ୍ୟୋଗ ବିରୋଧୀ ଆଭିମୁଖ୍ୟ ଏବଂ ବାହାର ଲୋକଙ୍କୁ ମୁମ୍ବଇ ମନା ନୀତିର ବିରୋଧୀ। ତେଣୁ ଦକ୍ଷିଣ ମୁମ୍ବଇ, ଯାହା ଦେଶର ଆର୍ଥିକ ରାଜଧାନୀର ଉଦ୍ୟୋଗକେନ୍ଦ୍ର ସେଠାକୁ ଅଧିକ ଶିଳ୍ପ, ବ୍ୟବସାୟ ଆଣିବାକୁ ସେଠାକାର ଉଦ୍ୟୋଗଜଗତ ଏକଜୁଟ। ଏଥିପାଇଁ ଯେଉଁ ରାଜନୈତିକ ସ୍ଥିରତା ଓ ନେତୃତ୍ବ ଦରକାର ସେଥିପାଇଁ ସେମାନେ ମିଲିନ୍ଦ ଦେଓରାଙ୍କ ସପକ୍ଷରେ।
ମିଲିନ୍ଦ କେବଳ ଜଣେ ଶିଳ୍ପ ଅନୁରାଗୀ ନେତା ନୁହନ୍ତି; ନିଜର ଉତ୍ତମ ବ୍ୟବହାର ପାଇଁ ସେ ସବୁଶ୍ରେଣୀର ଗ୍ରହଣୀୟ ମଧ୍ୟ। ଜଣେ ବର୍ଗନେତା ଓ ଗଣନେତା (କ୍ଲାସ ଓ ମାସ୍‌ ଲିଡର) ଭାବେ ତାଙ୍କର ସୁଖ୍ୟାତି ଅଛି। ସେ ଶ୍ରମିକ ଶ୍ରେଣୀ, ଚାକିରିଆ ବର୍ଗ, ସାଧାରଣ ଜନତା ଓ ଉଦ୍ୟୋଗଜଗତର ଗ୍ରହଣୀୟ ହୋଇଥିବାରୁ ମୁକେଶ ଏବଂ ଉଦୟଙ୍କ ଭଳି ନେତା ତାଙ୍କୁ ସମର୍ଥନ କରୁଥିବା ସ୍ପଷ୍ଟ। ଏହି ଦୁଇ ଶିଳ୍ପପତିଙ୍କ ପ୍ରକାଶ୍ୟ ସମର୍ଥନର ଅର୍ଥ ସେମାନେ ଉଦ୍ୟୋଗ-ଅନୁକୂଳ ଲୋକପ୍ରତିନିଧି ଚାହାନ୍ତି। କହିବା ବାହୁଲ୍ୟ ଯେ ଏକ ସ୍ଥିର ଓ ସୁସ୍ଥ ରାଜ‌ନୈତିକ ବାତାବରଣ ଉଦ୍ୟୋଗ ବିକାଶର ପ୍ରଥମ ଆବଶ୍ୟକତା। ୨୦୧୨ରେ ୟୁୁପିଏ ସରକାରଙ୍କ ନୀତିନିର୍ଦ୍ଧାରଣଗତ ଦୌର୍ବଲ୍ୟ (ପଲିସି ପାରାଲିସିସ)କୁ ସେତେବେଳେ ଅନେକ ପ୍ରମୁଖ ଶିଳ୍ପପତି ବିରୋଧ କରିଥିଲେ। ୨୦୦୨ ଗୁଜରାଟ ଦଙ୍ଗାବେଳେ ମଧ୍ୟ ବହୁ ଉଦ୍ୟୋଗପତି ସରକାରଙ୍କ ବିରୋଧରେ କଟୁ ମନ୍ତବ୍ୟମାନ ଦେଇଥିଲେ। ଦୀପକ ପାରେଖ, ରାହୁଲ ବଜାଜ, ଅନୁ ଆଗା, ସାଇରସ୍‌ ଗୁଜଦରଙ୍କ ଭଳି ଉଦ୍ୟୋଗପତି ତ ସେତେବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସମାଲୋଚକ ଥିଲେ।
ବିମୁଦ୍ରାୟନ ପରଠାରୁ ଭାରତୀୟ ଉଦ୍ୟୋଗଜଗତ ଗୁରୁତର ସଂକଟ ଦେଇ ଗତି କରୁଛି। ଇତି ମଧ୍ୟରେ ନିଯୁକ୍ତି ସୁଯୋଗ ନଷ୍ଟ ଓ ରୋଜଗାରହାନି ଜନିତ ସମସ୍ୟା ମୋଦୀ ସରକାରଙ୍କୁ ଘାଇଲା କରୁଛି। ସେ ଶିଳ୍ପ ଓ ଉଦ୍ୟୋଗ ବିରୋଧୀ ନୁହନ୍ତି। ମେକ୍‌ ଇନ୍‌ ଇଣ୍ଡିଆଠାରୁ ଆରମ୍ଭକରି ଯେତେସବୁ ଯୋଜନା ମୋଦୀ କରିଛନ୍ତି ତାହା ନିଯୁକ୍ତି ସୃଷ୍ଟି ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ସେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉଦ୍ୟୋଗପତି ଯଦି ଉପଯୁକ୍ତ ରାଜନୈତିକ ନେତୃତ୍ବକୁ ସ୍ଥାନୀୟ ଭାବେ ପ୍ରୋତ୍ସାହିତ କରୁଥାନ୍ତି ସେଥିରେ ମୋଦୀ ଓ ତାଙ୍କ ସହଯୋଗୀମାନଙ୍କର ବିଶେଷ ଆପତ୍ତି ରହିବ ନାହିଁ ବୋଲି ଭାବିବା ଭୁଲ ନୁହେଁ। ତେବେ ମେଣ୍ଟ ଧର୍ମ ନୀତିରେ କୌଣସି ସହଯୋଗୀ ଦଳ ଯଦି କେଉଁଠୁ କେଉଁ ଉଦ୍ୟୋଗ ବିରୋଧୀଙ୍କୁ ପ୍ରାର୍ଥୀ କରେ ସେଥିରେ ମୋଦୀ ବା କ’ଣ କରିପାରିବେ ? ଦୁଇ ପ୍ରମୁୁଖ ଶିଳ୍ପପତିଙ୍କ ଏହି ଆଚରଣରୁ ଏନ୍‌ଡିଏ ସରକାରକୁ ଅବଶ୍ୟ ନିଜର ପ୍ରାର୍ଥୀ ମନୋନୟନ କ୍ଷେତ୍ରରେ କିଛି ଶିକ୍ଷା ମିଳିବ।