ସେମାନେ ବି ରାଜନୀତି କରୁଥିଲେ

ଆଦର୍ଶ ନେତାଙ୍କ ଜୀବନାଦର୍ଶ ଆମର ଧ୍ୟେୟ ହେଉ

0
97

ସିଦ୍ଧାର୍ଥ କାନୁନ୍‌ଗୋ

ଯୁଗେଯୁଗେ ରାଜନୀତି ଆଦର୍ଶ ଉପରେ ପ୍ରତିଷ୍ଠିତ ଥିଲା। ରାଜନୈତିକ ଲଢ଼େଇରେ ବ୍ୟକ୍ତିଗତ ଆକ୍ଷେପ ଓ କୁତ୍ସାରଟନା ନଥିଲା।
ଓଡ଼ିଶାରେ ବର୍ତ୍ତମାନ ରାଜନୀତି ଯେଭଳି ଭାବେ ଚାଲିଛି, ତାହା ଆମ ଭଳି ଅନେକ ସଚେତନ ନାଗରିକଙ୍କୁ ମ୍ରିୟମାଣ କରିଛି। ଆମ ରାଜ୍ୟର କିଛି ନେତାଙ୍କ ନୈତିକ ରାଜନୀତି ଏବେ ମଧ୍ୟ ସ୍ମରଣୀୟ। ସେମାନେ ଛାଡ଼ିଯାଇଥିବା ଅଲିଭା ସ୍ୱାକ୍ଷର ଏବେ ମଧ୍ୟ ଆମକୁ ପ୍ରେରଣା ଦିଏ। ସେଥିମଧ୍ୟରୁ ପ୍ରାୟ ସମସ୍ତେ ପରଲୋକଗତ। ଏହାର ଅର୍ଥ ନୁହେଁ ଯେ ବର୍ତ୍ତମାନ ରାଜନୀତିରେ ଆଦୌ ଭଲ ଲୋକ ନାହାନ୍ତି। ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜନୈତିକ ଦଳରେ କିଛିନା କିଛି ଭଲ ଲୋକ ଅଛନ୍ତି। ରାଜନୀତିରେ ବହୁ ଭଲଲୋକ ଥିଲେ ମଧ୍ୟ ସେମାନେ ଆଗଭଳି ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଆସୁନାହାନ୍ତି ବୋଲି ଆମର ମନେ ହୁଏ।
ସ୍ୱର୍ଗତ ନିତ୍ୟାନନ୍ଦ କାନୁନ୍‌ଗୋଙ୍କୁ ବର୍ତ୍ତମାନ ପିଢ଼ିର ବହୁ ଲୋକ ବୋଧହୁଏ ଜାଣିନଥିବେ। ସେ ଓଡ଼ିଶାରେ କିଛିଦିନ ମନ୍ତ୍ରିତ୍ୱଭାର ସମ୍ଭାଳିବା ପରେ ଗୁଜରାଟ ଓ ବିହାର ରାଜ୍ୟର ରାଜ୍ୟପାଳ ମଧ୍ୟ ଥିଲେ। ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ତାଙ୍କ କର୍ମୀମାନଙ୍କୁ କଡ଼ା ନି​‌େ​‌ର୍ଦଶ ଦେଇଥିଲେ ଯେ ତାଙ୍କ ବିରୋଧରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ସେମାନେ ଭୋଟରମାନଙ୍କୁ କିଛି କହିବେ ନାହିଁ। କର୍ମୀମାନଙ୍କର କାମ ହେଲା ନିତ୍ୟାନନ୍ଦ ବାବୁ କ୍ଷମତାକୁ ଆସିଲେ କ’ଣ କରିବେ? ଏପରି ପ୍ରଚାରରେ ସେ ଭୋଟରଙ୍କ ମନ ଜିଣି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସେଦିନ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଆସ୍ଥା ଭୋଟର ସମ୍ମୁଖୀନ ହେଲେ। ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କ ବିପକ୍ଷରେ କିଛି ବିଧାୟକ ଭୋଟ ଦେଇଥିଲେ। ନୀତିଗତ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବିଚାର କଲେ ଯେ ଯଦି ଜଣେ ବା ଦୁଇଜଣ ବିଧାୟକ ତାଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଅଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ଏହାପରେ ସେ କେବେହେଲେ ପ୍ରତ୍ୟକ୍ଷ ରାଜନୀତିକୁ ଆସିନାହାନ୍ତି।
ବୋଧହୁଏ ୧୯୮୦ ମସିହାର କଥା । ସେତେବେଳେ ନବବାବୁ ବେଡ଼ିଂ କାଖେଇ ଭୁବନେଶ୍ୱରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଯାଉଥିବାର ଦେଖାଯାଇଥିଲା। ସେ ଛଅ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ନବବାବୁ ଏକ ହାୱାନି ଓ ଧୋତି ପିନ୍ଧିଥାନ୍ତି। ପାଦରେ ହାୱାଇ ଚପଲ ହଳେ ଥାଏ। ସେ ଚପଲ ଦୁଇଟି ମଧ୍ୟ ଘୋରି ହୋଇଯାଇଥାଏ। ତାଙ୍କ ବେଶଭୂଷା ଦେଖିଲେ କିଏ ଅବା କହିପାରିବ ଯେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ! ସେ ପୁଣି ହେଉଛନ୍ତି, ସେତେବେଳର କଟକ ଜିଲା ବା ବର୍ତ୍ତମାନର ଜଗତସିଂହପୁରଜିଲା ଖେରସ ଜମିଦାର ବଂଶର ଦାୟାଦ। ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତି ଯଥା ନବବାବୁଙ୍କ ସ୍ତ୍ରୀ ମାଳତି ଦେବୀ, ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ ଓ ଭାଉଜ ରମାଦେବୀ ଓ ନବବାବୁ ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ବିଷୟରେ କିଏ ଅବା ନଜାଣେ। ସେଦିନ ଏକ ସଭାରେ ଜଣେ ଖବରକାଗଜର ସମ୍ପାଦକ ତାଙ୍କ ଅଭିଭାଷଣ ପ୍ରସଙ୍ଗରେ କହିଥିଲେ, ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ବିରୋଧୀ ଦଳ ନେତା ଥିଲେ ବିଜୁ ପଟ୍ଟନାୟକ। ଦୁଇଜଣ ବିପରୀତ ଦିଗରୁ ଭଦ୍ରକର ଗୋଟିଏ ଜାଗାରୁ ଆସୁଥାନ୍ତି ଏବଂ ଯାଉଥାନ୍ତି। ବିରୋଧୀ ଦଳ ନେତାଙ୍କ ଗାଡ଼ିକୁ ପୁଲିସ ବାଲା ଅଟକାଇ ଦେଇ କହିଲେ, ସାର୍‌ ! ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଆପଣଙ୍କ ଗାଡ଼ିକୁ ପ୍ରୋଟୋକୋଲ ଦୃଷ୍ଟିରୁ ଏଠି ରଖିବାକୁ ପଡ଼ିବ। ରାସ୍ତାଟି ସଂକୀର୍ଣ୍ଣ ଅଛି। ବିଜୁବାବୁ ମଧ୍ୟ ଏକଥାରେ ପ୍ରତିବାଦ କଲେ ନାହିଁ, କିନ୍ତୁ ଗାଡ଼ି ଭିତରୁ ବିଜୁବାବୁଙ୍କୁ ଦେଖି ଜାନକୀବାବୁ ନିଜ ଗାଡ଼ିରୁ ଓହ୍ଲାଇ କହିଲେ ସାର୍‌! ଆପଣ ଆଗ ଯାଆନ୍ତୁ, ମୁଁ ପଛରେ ଯିବି। ବିଜୁବାବୁ ମଧ୍ୟ ହସିହସି ଜାନକୀବାବୁଙ୍କୁ କହିଲେ ତୁମେ ରାସ୍ତାକୁ ଆଉଟିକେ ଚଉଡ଼ା କରିଦିଅ, ଯେପରି ସାମ୍ନାସାମ୍ନି ଆସୁଥିବା ଦୁଇଟିଗାଡ଼ି ଏକାସାଙ୍ଗରେ ନିର୍ବିଘ୍ନରେ ଏ ରାସ୍ତାକୁ ଅତିକ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏହା କେତେ ସୌଜନ୍ୟମୂଳକ କଥାବାର୍ତ୍ତା !
ବିଜୁବାବୁଙ୍କ ତିରୋଧାନରେ ଜାନକୀବାବୁ ସମସ୍ତ ତିକ୍ତତା ଭୁଲିଯାଇ ସ୍ୱୀକାର କରିଥିଲେ ଯେ ଏକ ସମୟରେ ଅସମ୍ଭବ ମନେହେଉଥିବା ତିନୋଟି କାମ, ଯଥା- ଏକ୍ସପ୍ରେସ୍‌ ହାଇୱେ, ପାରାଦ୍ବୀପ ବନ୍ଦର ଏବଂ ସୁନାବେଡ଼ାସ୍ଥିତ ମିଗ୍‌ ବିମାନ କାରଖାନା ବିଜୁବାବୁଙ୍କର ପ୍ରତ୍ୟକ୍ଷ ପ୍ରଚେଷ୍ଟାରୁ ଓଡ଼ିଶାରେ ସମ୍ଭବ ହୋଇଥିଲା। ଏହାଠାରୁ ବଳି କ’ଣ ବଡ଼ ଶ୍ରଦ୍ଧାଞ୍ଜଳି ଥାଇପାରେ।
ନନ୍ଦିନୀ ଶତପଥୀ ସେତେବେଳେ ବିରୋଧୀ ଦଳର ଥିଲେ। ସରକାରୀ ଦଳର ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ସଂଗିନ ଅଭିଯୋଗ ଆସିଲା। ମୁଖ୍ୟମନ୍ତ୍ରୀ ଭାବେ ବିଜୁ ପଟ୍ଟନାୟକ ବିରୋଧୀ ଦଳର ସଦସ୍ୟା ନନ୍ଦିନୀ ଶତପଥୀଙ୍କୁ ଉକ୍ତ ଅଭିଯୋଗର ତଦନ୍ତ ଭାର ଦେଲେ। ନନ୍ଦିନୀଦେବୀ ମଧ୍ୟ ଏହାକୁ ସାଦରରେ ଗ୍ରହଣ କରି ନିରପେକ୍ଷ ତଦନ୍ତ କରି ସରକାରରେ ଥିବା ମନ୍ତ୍ରୀଙ୍କୁ ନିର୍ଦୋଷ ପ୍ରମାଣିତ କରିଥିଲେ।
ସେହିପରି ‘ସମାଜ’ ସମ୍ପାଦକ ସ୍ୱର୍ଗତ ରାଧାନାଥ ରଥ ଏବଂ ସ୍ୱର୍ଗତ ଡ. ମହତାବଙ୍କ ମଧ୍ୟରେ କିଛି ମତପାର୍ଥକ୍ୟ ଥିଲେ ମଧ୍ୟ ସେଦିନ ରାଧାନାଥ ରଥ ଭାବେ ଡ. ହରେକୃଷ୍ଣ ମହତାବଙ୍କ ତିରୋଧାନରେ ଯେପରି ଭାବେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ତାହା ଆଜିମଧ୍ୟ ଆମକୁ ଅଭିଭୂତ କରେ। ରାଧାନାଥ ରଥ ତାଙ୍କ ଶୋକ ବାର୍ତ୍ତାରେ କହିଥିଲେ, ମହତାବ ବାବୁଙ୍କଠାରୁ ମୁଁ ବୟସରେ ବଡ଼, କିନ୍ତୁ ସାଧନା, ସିଦ୍ଧିରେ ସେ ମୋଠାରୁ ଯଥେଷ୍ଟ ଆଗରେ। ଏପରି ସକାରାତ୍ମକ ଚିନ୍ତାଧାରା କେତେ ରାଜନେତାଙ୍କ ପାଖରେ ଦେଖିବାକୁ ମିଳିବ? ଏପରି ବହୁତ ଉଦାହରଣ ଅଛି। ଆଲେଖ୍ୟର କଳେବର ବୃଦ୍ଧି ଆଶଙ୍କାରେ ଆଉ ଗୋଟିଏ କଥା କହି ଆମ ଲେଖନୀକୁ ବିରାମ ଦେବୁ।
ଉପସଂହାରରେ ଏତିକି ମାତ୍ର କହିପାରୁ ଯେ ଆଦର୍ଶସ୍ଥାନୀୟ ଜନନେତାଙ୍କ ଜୀବନାଦର୍ଶରୁ ଯଦି ବର୍ତ୍ତମାନ ପିଢ଼ିର ରାଜନେତା, ପ୍ରଶାସକ ଓ ସାଧାରଣ ଜନତା କିଛି ଶିକ୍ଷା ଲାଭ କରନ୍ତେ ତେବେ କେତେ ସୁନ୍ଦର ହୁଅନ୍ତା ଆମର ସାମାଜିକ ପରିବେଶ! ନିଷ୍ପତ୍ତି ଆମ ସମସ୍ତଙ୍କ ଉପରେ।
ଚୈତନ୍ୟଧାମ, ଶବର ସାହି,
ପ୍ଲଟ୍‌ ନଂ-୨୦୮୪, ଭୁବନେଶ୍ୱର