ନବଜାତ କନ୍ୟାକୁ ଡ୍ରେନରେ ଫିଙ୍ଗିଲେ ମହିଳା, ବଞ୍ଚାଇଲେ ୨ କୁକୁର

ଚଣ୍ଡିଗଡ଼ : ହରିୟାଣାର କାଇଥାଲ ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଏକ ନବଜାତ ଶିଶୁକନ୍ୟାକୁ ପ୍ଲାଷ୍ଟିକ ବ୍ୟାଗରେ ପୂରାଇ ଡ୍ରେନରେ ଫିଙ୍ଗିଦେଇଥିଲାବେଳେ ୨ଟି କୁକୁର ନବଜାତକକୁ ଉଦ୍ଧାର କରିଛନ୍ତି।
ସ୍ଥାନୀୟ ପୁଲିସ୍‍ ସୂଚନା ଦେଇଛି ଯେ ସିସିଟିଭି ଫୁଟେଜରେ ଶନିବାର ଭୋର ପ୍ରାୟ ୪ଟା ବେଳେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ମହିଳା ପ୍ଲାଷ୍ଟିକ ବ୍ୟାଗରେ ପୂରାଇ ଡ୍ରେନରେ ଫିଙ୍ଗି ଦେଉଥିବାର ଦେଖିବାକୁ ମିଳୁଛି। ଡ୍ରେନରେ ପ୍ଲାଷ୍ଟିକ୍‍ ବ୍ୟାଗ ପଡିବା ଓ ଶୁଶୁର କ୍ରନ୍ଦନ ସ୍ୱର ଶୁଣି ୨ଟି ସ୍ଥାନୀୟ କୁକୁର ଭୁକିବା ଆରମ୍ଭ କରିଥିଲେ। ପରେ ସେମାନେ ଡ୍ରେନ ସୁଅରେ ଭାସିଯାଉଥିବା ଶୁଶୁଟିର ପିଛା କରି ବ୍ୟାଗଟିକୁ ଡ୍ରେନ ଭିତରୁ କାଢି ଆଣିଥିଲେ। ପ୍ଲାଷ୍ଟିକ ବ୍ୟାଗ ଭିତରେ ଜଣେ ଶିଶୁ କନ୍ୟା ଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍‍ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଶିଶୁଟିକୁ ପରେ ପଞ୍ଚକୁଳା ଅନାଥାଶ୍ରମକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‍ ସୂଚନା ଦେଇଛି। ପୁଲିସ୍‍ ସିସିଟିଭି ଫୁଟେଜକୁ ଆଧାର କରି ଶିଶୁକୁ ଡ୍ରେନରେ ଫିଙ୍ଗିଥିବା ମହିଳା ବିରୋଧରେ ଏକ ମାମଲା ରୁଜୁ କରିଛି। ପାଖଆଖରେ ଥିବା ସିସିଟିଭି ଫୁଟେଜକୁ ଦେଖି ମହିଳା ଜଣକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ପୁଲିସ୍‍ କହିଛି।

Comments are closed.