କ୍ରିପ୍ଟୋ କରେନ୍ସି ଉପରେ ଲାଗିବ ପ୍ରତିବନ୍ଧକ!

ନୂଆଦିଲ୍ଲୀ : କେନ୍ଦ୍ର ସରକାର କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। କ୍ରିପ୍ଟୋ କରେନ୍ସି ନେଇ ଏକ ମନ୍ତ୍ରିମଣ୍ଡଳସ୍ତରୀୟ କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ କମିଟି ସରକାରଙ୍କୁ ଘରୋଇ କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି। ଏପରିକି କ୍ରିପ୍ଟୋ କରେନ୍ସି ନେଣଦେଣରେ ଜଡିତ କୌଣସି ପ୍ରକାର ଗତିବିଧିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆର୍ଥିକ ଜୋରିମାନା ଲଗାଇବାକୁ କୁହାଯାଇଛି।

ସରକାର ୨୦୧୭ ନଭେମ୍ବର ୨ରେ କ୍ରିପ୍ଟୋ କରେନ୍ସିର ରୂପରେଖ ଏବଂ ଏହାର ପ୍ରଭାବ ଉପରେ ରିପୋର୍ଟ ଦେବା ପାଇଁ କେତେକ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଆରବିଆଇର ଡେପୁଟି ଗଭର୍ଣ୍ଣର, ସେବି ଅଧ୍ୟକ୍ଷ, ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରାଳୟ ଅଧିକାରୀ ସଦସ୍ୟ ରହିଥିଲେ। ସରକାରଙ୍କୁ ପ୍ରଦାନ କରିଥିବା ନିଜ ରିପୋର୍ଟରେ କମିଟି କହିଛନ୍ତି ଯେ ସରକାର ଅଧିକାରୀକ ଡିଜିଟାଲ କରେନ୍ସିକୁ ନେଇ ବିଚାର କରିପାରେ। ତେବେ ସରକାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଭାଗୀୟ ଅଧିକାରୀଙ୍କଠାରୁ ପରାମର୍ଶ ନେଇପାରେ।

ଏହା ପୂର୍ବରୁ ଶୁକ୍ରବାର ତେଲଙ୍ଗାନା ନିଜାମବାଦ ସାଂସଦ ଧର୍ମପୁରୀ ଶ୍ରୀନିବାସ ରାଜ୍ୟସଭାରେ କ୍ରିପ୍ଟୋ କରେନ୍ସି ନେଇ ପ୍ରଶ୍ନ କରିଥିଲେ। ଏହାର ଜବାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଭାରତରେ କ୍ରିପ୍ଟୋ କରେନ୍ସି ଉପରେ କୌଣସି ପ୍ରତିବନ୍ଧକ ନାହିଁ। କ୍ରିପ୍ଟୋ କରେନ୍ସି ସମ୍ପର୍କିତ ମାମଲା ପାଇଁ ଦେଶରେ କୌଣସି ଅଲଗା ଆଇନ ନାହିଁ। କିନ୍ତୁ ଏହି ସମ୍ପର୍କିତ କୌଣସି ମାମଲା ଉପରେ ଆରବିଆଇ, ଇଡି ଏବଂ ଆୟକର ବିଭାଗର ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ।

Comments are closed.