ଦଶ ବର୍ଷରେ ଅପରାଧୀ ସାଂସଦଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ବିଗତ ୩ଟି ଲୋକସଭା ନିର୍ବାଚନରେ କୋଟିପତି ଓ ଅପରାଧିକ ପୃଷ୍ଠଭୂମି ଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ, ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ (ଏଡିଆର) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ବିଗତ ୧୦ ବର୍ଷରେ ଅପରାଧିକ ମାମଲାରେ ସମ୍ପୃକ୍ତ ସାଂସଦଙ୍କ ସଂଖ୍ୟାରେ ୪୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କୋଟିପତି ସାଂସଦଙ୍କ ସଂଖ୍ୟାରେ ୮୮ ପ୍ରତିଶତ ବୃଦ୍ଧି ପାଇଛି।

ଏଡିଆର ରିପୋର୍ଟ ଅନୁଯାୟୀ ସପ୍ତଦଶ ଲୋକସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ ୪୩ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ବେଳେ ୧୫୯ ଜଣକ ବିରୁଦ୍ଧରେ ସଙ୍ଗୀନ ଅପରାଧିକ ମାମଲା ରହିଛି। ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡିକ ମଧ୍ୟରୁ ମାତ୍ର ୨୫ଟି ଦଳ ସେମାନଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲାର ବିବରଣୀ ଦେଇଛନ୍ତି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ବିହାରରୁ ନିର୍ବାଚିତ ୮୨ ପ୍ରତିଶତ ଏବଂ କେରଳରୁ ନିର୍ବାଚିତ ୯୦ ପ୍ରତିଶତ ସଦସ୍ୟଙ୍କ ବିରୁଦ୍ଧରେ କୋର୍ଟରେ ଅପରାଧିକ ମାମଲା ଚାଲିଥିବା ଜଣାପଡିଛି । ସେହିପରି ପଶ୍ଚିମ ବଙ୍ଗରେ ୫୫, ଉତ୍ତର ପ୍ରଦେଶରେ ୫୬ ଓ ମହାରାଷ୍ଟ୍ରରେ ୫୮ ପ୍ରତିଶତ ସାଂସଦଙ୍କ ବିରୁଦ୍ଧରେ ଅପରାଧିକ ମାମଲା ବୃଦ୍ଧି ପାଇଥିବା ବେଳେ ଛତିଶଗଡ଼ରେ ସର୍ବନିମ୍ନ ୯ ଓ ଗୁଜୁରାଟରେ ୧୫ ପ୍ରତିଶତ ବୃଦ୍ଧି ପାଇଛି। ସମ୍ପୃକ୍ତ ସାଂସଦମାନଙ୍କ ବିରୁଦ୍ଧରେ ହତ୍ୟା, ହତ୍ୟା ପାଇଁ ଯୋଜନାରେ ସମ୍ପୃକ୍ତି, ବଳାତ୍କାର ଏବଂ ଅପହରଣ ଭଳି ମାମଲା ରହିଛି।

Comments are closed.