ଭାରତ ଓ ବାଂଲାଦେଶ ମଧ୍ୟରେ ବୃଦ୍ଧି ପାଇବ ଡିଜିଟାଲ ସମ୍ପର୍କ

ନୂଆଦିଲ୍ଲୀ: ବାଂଲାଦେଶରେ ଅବସ୍ଥାପିତ ଭାରତର ହାଇକମିଶନର ରିବା ଗାଙ୍ଗୁଲି ଦାସ କହିଛନ୍ତି ଉଭୟ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ମିଳୁଥିବା ପାରସ୍ପରିକ ସହଯୋଗ ଦ୍ୱାରା ଯୁଗାନ୍ତକାରୀ ପରିବର୍ତ୍ତନ କରାଯାଇପାରିବ। ଗ୍ଲୋବାଲ ଢାକା ଡାଇଲଗ୍‍ର ଦ୍ୱିତୀୟ ଦିନରେ ଗତକାଲି ସେ କହିଛନ୍ତି ଭାରତ ବାଂଲାଦେଶ ସରକାରଙ୍କୁ ୮ ବିଲିୟନ ଡଲାର ଋଣ ଦେଇଛି, ଯାହାର ୮୦ ପ୍ରତିଶତ ଦୁଇଦେଶ ମଧ୍ୟରେ ଯୋଗାଯୋଗ କ୍ଷେତ୍ର ବିକାଶ ପାଇଁ ଖର୍ଚ୍ଚ ହେବ। ସେ କହିଛନ୍ତି ଏଥିରେ ସଡ଼କ, ରେଳପଥ, ଆନ୍ତର୍ଜାତିକ ଜଳପଥ ଏବଂ ବନ୍ଦରଗୁଡ଼ିକର ବିକାଶ ଯୋଜନା ରହିଛି। ଭବିଷ୍ୟତରେ ଉଭୟ ଦେଶ ମଧ୍ୟରେ ଡିଜିଟାଲ ସଂପର୍କ ବୃଦ୍ଧି ନିମନ୍ତେ ସେ ଆଶାବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସୁରକ୍ଷା ଏବଂ ସ୍ଥିରତା ଚାହେଁ। ସମସ୍ତ ଦେଶର ସ୍ୱତନ୍ତ୍ରତାକୁ ଭାରତ ସମ୍ମାନ କରେ। ପୂର୍ବତନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ମନୀଷ ତିୱାରୀ ଏବଂ ବାଂଲାଦେଶର ବିଦେଶ ରାଜ୍ୟ ମନ୍ତ୍ରୀ ମହମ୍ମଦ ସହରିୟାର ଆଲାମ ଏଥିରେ ଯୋଗାଦେଓଥିଲେ।

Comments are closed.