ଅଗଷ୍ଟ ୧୦ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଗାନ୍ଧୀ ପରିବାର ବାହାରୁ ଆଉ ଜଣେ ହେବେ ଦଳର ଅଧ୍ୟକ୍ଷ !

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଦେଖା ଦେଇଥିବା ନେତୃତ୍ବ ସଙ୍କଟ ପରିପ୍ରେକ୍ଷୀରେ ଅଗଷ୍ଟ ୧୦ ତାରିଖରେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବ। ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଦଳର ମହାସଚିବ କେ.ସି ବେଣୁଗୋପାଳ ଟ୍ବିଟ କରି କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହେବ । ସଂସଦର ପ୍ରଥମ ତଥା ବଜେଟ ଅଧିବେଶନ ଶେଷ ହେବା ପରେ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ବିଧିବଦ୍ଧ ଭାବେ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଗ୍ରହଣ କରାଯିବ। ରାହୁଲ ଗାନ୍ଧୀଙ୍କ ଇସ୍ତଫା ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ନିଶ୍ଚୟ ଗାନ୍ଧୀ ପରିବାର ବାହାରୁ ଆଉ ଜଣଙ୍କୁ ଦଳର ଅଧ୍ୟକ୍ଷ କରାଯିବ। ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଥିବା ମିଲିନ୍ଦ ଦେଓରା, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଯୁବନେତା ନଚେତ ବରିଷ୍ଠ ନେତା ଅଶୋକ ଗେହେଲଟଙ୍କୁ ଦଳର ଅଧ୍ୟକ୍ଷ କରାଯିବା ନେଇ ଆଲୋଚନା ହେଉଛି।

Comments are closed.