ୟୁନିଫର୍ମ ପିନ୍ଧି କ୍ଷେତରେ ଧାନ ରୋଇଲେ ଛାତ୍ରୀ, କଲେଜରେ ଦିଆଯାଉଛି ସ୍ବତନ୍ତ୍ର ଶିକ୍ଷା

ଗୁଆହାଟୀ: ସ୍କୁଲ ୟୁନିଫର୍ମ ପିନ୍ଧି କାଦୁଅ କ୍ଷେତରେ ଛାତ୍ରୀ ଧାନ ରୋଇବାର ଫଟୋ ଏବେ ଦେଶବ୍ୟାପୀ କୌତୁହଳର ବିଷୟ ପାଲଟିଛି। ଏହି ଛାତ୍ରୀମାନେ ଆସାମର ଉଦଲଗୁଡ଼ୀ ଜିଲା ଅନ୍ତର୍ଗତ ଏକ ଜୁନିୟର କଲେଜର। ଏଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଗ୍ରାମୀଣ ଜୀବନ, ବିଶେଷକରି କୃଷି ସହିତ ଜଡ଼ିତ କାର୍ଯ୍ୟ ବିଷୟରେ ଅନୁଭୂତି ହାସଲ ପାଇଁ ଏଭଳି ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ୨୦୧୮ ଶିକ୍ଷାବର୍ଷରୁ ପାଠ୍ୟକ୍ରମରେ ‘ଫସଲ ରୋଇବା’ ବିଷୟ ସାମିଲ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଏ ନେଇ ଶିକ୍ଷାଦାନ କରାଯିବା ସହିତ କାର୍ଯ୍ୟପ୍ରଣାଳୀ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଉଛି।

ଫାର୍ମିଂ ପ୍ରାକ୍ଟିକାଲ କ୍ଲାସ ଅଧୀନରେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ଜ୍ଞାନ ଦିଆଯିବା ସହିତ କ୍ଷେତରେ ମଧ୍ୟ ଫସଲ ରୋପଣ କରିବାକୁ ପଡୁଛି। ଏସ୍ପାୟର ଜୁନିୟର କଲେଜର ଅଧ୍ୟକ୍ଷ ମାଇହୁର୍ସା ବୋରୋ କୁହନ୍ତି, ଛାତ୍ରଛାତ୍ରୀଙ୍କୁ ଗ୍ରାମୀଣ ଜୀବନଶୈଳୀରେ ନିଜକୁ ଖାପ ଖୁଆଇ ଚଳିବା ପାଇଁ ଏହି ଶିକ୍ଷା ଦିଆଯାଉଛି। ଏହା ଦ୍ବାରା ସେମାନେ କୃଷକମାନଙ୍କ ପରିଶ୍ରମକୁ ବୁଝିପାରିବେ।

ପ୍ରାକ୍ଟିକାଲ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଧାନ କ୍ଷେତକୁ ନିଆଯାଉଛି। ସେମାନେ କ୍ଷେତରେ ଧାନ ରୋଉଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଅନେକେ ପ୍ରଶଂସା କରିବା ସହିତ ସମସ୍ତ ସ୍କୁଲରେ ଏଭଳି ଉଦ୍ୟମ କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

Comments are closed.