ଅପେକ୍ଷାର ଅନ୍ତ : ବର୍ଷେ ପରେ କଲେଜ ଫେରାଇଲା ବନ୍ଧକ ରଖିଥିବା ଶିକ୍ଷାଗତ ପ୍ରମାଣ ପତ୍ର

ଦାରିଙ୍ଗବାଡ଼ି : ମାତ୍ର ୧୦ ହଜାର ଟଙ୍କା ପାଇଁ ଆଦିବାସୀ ଛାତ୍ରୀଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଘରୋଇ ମହାବିଦ୍ୟାଳୟ ପାଖରେ ଏକ ବର୍ଷ ହେଲା ବନ୍ଧା ପଡ଼ିଛି। ଏଭଳି ଏକ ଘଟଣା ସମ୍ପର୍କରେ ଗତ ୧୫ ତାରିଖରେ ସମାଜରେ ଖବର ପ୍ରକାଶ ପାଇଥିବା ବେଳେ ସମାଜର ମହାପ୍ରଭାଵ ଏବେ ଦେଖିବାକୁ ମିଳିଛି।

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଝିଅ ସହାୟତା ପ୍ରଧାନ ଗତ ୨୦୧୬ ରେ ପ୍ରମିଳା ଦେବୀ ଘରୋଇ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ଏହାସହିତ ପ୍ରଥମ ବର୍ଷରେ ୧୫ ହଜାର ଓ ଦ୍ୱିତୀୟ ବର୍ଷରେ ପୁଣି ୧୫ ହଜାର ଟଙ୍କା ଏଭଳି ଭାବେ ୩୦ ହଜାର ଟଙ୍କା ମହାବିଦ୍ୟାଳୟର ନିୟମ ଅନୁସାରେ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣକ ୨୦୧୮ରେ ଯୁକ୍ତ ଦୁଇ ପାସ୍ କରିବା ପରେ ସାର୍ଟିଫିକେଟ ଗୁଡ଼ିକ ତାଙ୍କୁ ପ୍ରଦାନ କରାନଯାଇ ଆହୁରି ୧୦ ହଜାର ଟଙ୍କା ଦେଲେ ଯାଇ ସମସ୍ତ ସାର୍ଟିଫିକେଟ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ। ପୂର୍ବରୁ ମହାବିଦ୍ୟାଳୟରେ ନାମ ଲେଖିବା ସମୟରେ ଛାତ୍ରୀଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟକୁ ଘରୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପାଖରେ ରଖିଦେଇଥିଲେ। ଛାତ୍ରୀଙ୍କ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଯୋଗ୍ୟତା ପ୍ରମାଣ ପତ୍ର ମହାବିଦ୍ୟାଳୟ ପାଖରେ ରହିଯାଇଥିବା ବେଳେ ଛାତ୍ରୀ ଜଣକ ଗରିବ ଆଦିବାସୀ ପରିବାରର ହୋଇଥିବା ଯୋଗୁଁ ୧୦ ହଜାର ଟଙ୍କା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେଇ ପାରୁନଥିଲେ। ଯାହା ଫଳରେ ଛାତ୍ରୀ ଜଣକ ଏକ ବର୍ଷ ହୋଇଗଲା ଯୁକ୍ତ ଦୁଇ ପାସ କରିଥିଲେ ମଧ୍ୟ ଭାଗ୍ୟକୁ ନିନ୍ଦି ଘରେ ପଡ଼ିରହିଛନ୍ତି। ଏନେଇ ଖବର ପ୍ରସାରଣ ହେବା ପରେ ବିଳମ୍ବରେ ହେଉ କିନ୍ତୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଘଟଣାଟିକୁ ଗୁରୁତ୍ୱ ଦେଇ ଦାରିଙ୍ଗବାଡ଼ି ଵିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବିଇଓ ବ୍ରହ୍ମାନନ୍ଦ ରାଉତ ମହାବିଦ୍ୟାଳୟକୁ ଯାଇ ସମସ୍ତ ରେକର୍ଡ ଯାଞ୍ଚ କରିଥିଲେ ଏବଂ ମହାବିଦ୍ୟାଳୟର ଫିସ୍ ଦୁଇ ବର୍ଷରେ ୩୦ ହଜାର ଟଙ୍କା ରହିଥିବା ବେଳେ ଛାତ୍ରୀ ଜଣକ ମଧ୍ୟ ୩୦ ହଜାର ଟଙ୍କା ଦେଇଥିବା ସତ୍ତ୍ୱେ କାହିଁକି ଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯାଉନାହିଁ ବୋଲି କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର କୌଣସି ଉତ୍ତର ନଦେଇ କହିଥିଲେ ଯେ ଛାତ୍ରୀଙ୍କୁ ଡାକିଦିଅନ୍ତୁ ତାଙ୍କୁ ସାର୍ଟିଫିକେଟ ଗୁଡ଼ିକ ଦେଇଦେବି। ବିଇଓ ଛାତ୍ରୀ ଓ ତାଙ୍କ ବାପାଙ୍କୁ ଡାକିଆଣିବା ପରେ ଘରୋଇ ମହାବିଦ୍ୟାଳୟ ପକ୍ଷରୁ ଛାତ୍ରୀ ସହାୟତାଙ୍କୁ ତାଙ୍କର ଦଶମ ଓ ଯୁକ୍ତ ଦୁଇର ସମସ୍ତ ପ୍ରମାଣ ପତ୍ର ବିନା ମୂଲ୍ୟରେ ପ୍ରଦାନ କରିଦିଆଯାଇଛି ବୋଲି ବିଇଓ କହିଛନ୍ତି। ସହାୟତା ଓ ତାଙ୍କ ପରିବାର ଲୋକେ ସମାଜ ପ୍ରତିନିଧି ଓ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.