ଚାଇନା ଓପନ୍‌ : ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ

ଫୁଜଆଓ : ଏଠାରେ ଖେଳାଯାଉଥିବା ଚାଇନା ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍‌ସ ବିଭାଗ ସେମିଫାଇନାଲ୍‌ରେ ପରାସ୍ତ ହୋଇଛନ୍ତି ଭାରତୀୟ ଖେଳାଳି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡ଼ି ଓ ଚିରାଗ ସେଟ୍ଟି। ବିଶ୍ବ ମାନ୍ୟତାର ୯ମ ସ୍ଥାନରେ ଥିବା ସାତ୍ତ୍ବିକ-ଚିରାଗ ସେମିଫାଇନାଲରେ ବିଶ୍ବର ଏକନମ୍ବର ସ୍ଥାନରେ ଥିବା ଇଣ୍ଡୋନେସିଆର ମାର୍କସ୍‌ ଫର୍ଣ୍ଣାଲଡି ଓ କେଭିନ୍‌ ସଞ୍ଜୟ ସୁକାମୁଲଜୋଙ୍କ ଠାରୁ ୧୬-୨୧, ୨୦-୨୨ ଗେମ୍‌ରେ ପରାସ୍ତ ହୋଇଥିଲେ।
ପ୍ରଥମ ଗେମ୍‌ ମୂଳରୁ ସାତ୍ତ୍ବିକ-ଚିରାଗ ଭଲ ପ୍ରଦର୍ଶନ କରି ୭-୪ ପଏଣ୍ଟରେ ଆଗୁଆ ହୋଇପାରିଥିଲେ। ତେବେ ପରବର୍ତ୍ତୀ ସମୟରେ ମାର୍କସ ଓ କେଭିନ୍‌ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମଧ୍ୟାନ୍ତର ବେଳକୁ ୧୧-୯ ପଏଣ୍ଟରେ ଆଗୁଆ ହୋଇ ପାରିଥିଲେ। ମଧ୍ୟାନ୍ତର ପରେ ମାର୍କସ-କେଭିନ୍‌ ଚମତ୍କାର ପ୍ରଦର୍ଶନ କରି ଖୁବ୍‌ଶୀଘ୍ର ୧୪-୯ ପଏଣ୍ଟ​‌େ​‌ର ଆଗୁଆ ହୋଇଥିଲେ। ପରବର୍ତ୍ତୀ ସମୟରେ ସାତ୍ତ୍ବିକ-ଚିରାଗ କିଛିଟା ଲଢୁଆ ପ୍ରଦର୍ଶନ କରିଥିଲେ। ତେବେ ମାର୍କସ ଓ କେଭିନ୍‌ ଭଲ ପ୍ରଦର୍ଶନ ବଜାୟ ରଖିବା ସହ ପ୍ରଥମ ଗେମ୍‌କୁ ଜିତି ନେଇଥିଲେ।
ଦ୍ବିତୀୟ ଗେମ୍‌ରେ ସାତ୍ତ୍ବିକ-ଚିରାଗ ମୂଳରୁ ୩-୧ ପଏଣ୍ଟରେ ଆଗୁଆ ହୋଇପାରିଥିଲେ। ତେବେ ମାର୍କସ-କେଭିନ୍‌ ଭଲ ପ୍ରଦର୍ଶନ କରି ଗେମ୍‌କୁ ସମାନ ୬-୬ ପଏଣ୍ଟକୁ ଆଣିବାକୁ ସକ୍ଷମ ହୋଇଥିଲେ। ଗେମ୍‌ର ଶେଷ ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଶେଷ ବେଳକୁ ମାର୍କସ-କେଭିନ୍‌ ଟାଇବ୍ରେକର ମାଧ୍ୟମରେ ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ ୪୦ ମିନିଟ୍‌ ଧରି ଚାଲିଥିଲା। ସୂଚନାଥାଉକି ଗତ ଅଗଷ୍ଟରେ ସାତ୍ତ୍ବିକ-ଚିରାଗ ଥାଇଲାଣ୍ଡ ଓପନ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଫ୍ରେଞ୍ଚ୍‌ ଓପନ୍‌ର ଫାଇନାଲରେ ପ୍ରବେଶ କରିଥିଲେ।

Comments are closed.