କଳାପଥର ଡାକ୍ତରଖାନାରେ କେନ୍ଦ୍ରୀୟ ଟିମ୍‍ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଲୋକଙ୍କ ଅଭିଯୋଗ

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଠାରେ ଥିବା ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସାଧାରଣ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉ ନଥିବା ଅଭିଯୋଗ ହେଉଛି। ପଶ୍ଚିମ ବାଙ୍କୀ ସମେତ ବୋଲଗଡ,ବେଗୁନିଆଁ ଓ ଭାପୁର ଅଞ୍ଚଳର ଲକ୍ଷାଧିକ ଲୋକ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଏଠାରୁ ସେଭଳି ଚିକିତ୍ସା ସେବା ମିଳିପାରୁ ନାହିଁ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଲୋକଙ୍କ ପକ୍ଷରୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମେତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା।

 

 

 

 

 

 

ଏହି ଅଭିଯୋଗକୁ ଗ୍ରହଣ କରି ସୋମବାର ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟିମ୍‍ ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ କଳାପଥର ଆସିଥିଲେ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡଃ ଅବିଲ ଅହମଦ୍‍, ଡଃ ନିଶାନ୍ତ ଦାସ,ଡଃ ଶୁଶାନ୍ତ କୁମାର ସ୍ୱାଇଁ, ସିଡିଏମଓ ଡଃ ବିଭୁତି ଭୁଷଣ ନାୟକ,ଡିଏମଓ ଡଃ ସଂଧ୍ୟାରାଣୀ ପଣ୍ଡା, ଡଃ ଇତିଶ୍ରୀ ମିଶ୍ର ଆସି ଉପସ୍ଥିତ ଲୋକ ମାନଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗ ଶୁଣିବାପରେ ସେମାନେ ଏହାର ସମାଧାନ କରିଯିବାକୁ ପ୍ରତିଶୃତି ଦେଇଥିଲେ।
ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମ୍‍ ତଦନ୍ତରେ ଆସୁଥିବାର ଆଗୁଆ ଖବରପାଇ ଡାକ୍ତରଖାନା ପରିସରରେ ଜବରଦଖଲକରି ଔଷଧ ଦୋକାନ କରିଥିବା ସହିତ ନକଲି ଔଷଧ ବିକ୍ରି କରୁଥିବା ବ୍ୟକ୍ତି ମାନେ ଦୋକାନ ବନ୍ଦ କରି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା। ଉପସ୍ଥିତ ଶତାଧିକ ଲୋକ ତଦନ୍ତକାରୀ ଅଧିକାରୀଙ୍କୁ ବହୁ ଅଭିଯୋଗ କରିଥିଲେ। ସେହିପରି କେନ୍ଦ୍ରୀୟ ଟିମ ଆସୁଥିବାର ଖବରପାଇ ଆଜି ଡାକ୍ତରଖାନା ପରିସରକୁ ସଫାସୁତରା ରଖାଯାଇଥିଲା ଭଙ୍ଗା ଦଦରା ପଡିଥିବା ଖଟିଆକୁ ଦେଖିବାକୁ ମିଳିନଥିଲା। ବ୍ଳିଚିଂ ପାଉଡର, ବେଡସିଟ ସହ ଡୋର ସ୍କ୍ରିନ ଓ ଅନାନ୍ୟ ଔଷଧପତ୍ର ଡାକ୍ତରଖାନାରେ ଥିବା ଦେଖିବାକୁ ମିଳିଥିଲା। ଏହା କେବଳ ତଦନ୍ତକୁ ବାଟବଣା କରିବା ପାଇଁ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଲୋକମାନେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ।

Comments are closed.