କଲମ୍ବୋ ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୨୧କୁ ବୃଦ୍ଧି ; ନିଜକୁ ଦାୟୀ କଲା ଆଇଏସ୍‌

କଲମ୍ବୋ : ପବିତ୍ର ଇଷ୍ଟର ପର୍ବ ଅବସରରେ ରବିବାର କଲମ୍ବୋରେ ଘଟିଥିବା କ୍ରମାଗତ ବିସ୍ଫୋରଣଜନିତ ମୃତ୍ୟୁ ସଂଖ୍ୟା ୩୨୧ରେ ପହଞ୍ଚିଥିଲାବେଳେ ମଙ୍ଗଳବାର ଏହି ନରସଂହାର ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ବା ଆଇଏସ୍‌ ନିଜକୁ ଦାୟୀ କରିଛି। ନିଜ ଦାବି ସପକ୍ଷରେ ଆଇଏସ୍‌ କୌଣସି ପ୍ରମାଣ ରଖି ନ ଥିଲେ ମଧ୍ୟ ଏହାର ନିଜସ୍ବ ଖବର ସରବରାହ ସଂସ୍ଥା ‘ଆମାକ୍‌’ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ କହିଛନ୍ତି ଯେ ଆଉ କିଛି ଆତଙ୍କବାଦୀ ବିସ୍ଫୋରକ ସହିତ ବୁଲୁଥିବାର ଖବର ଗୁଇନ୍ଦା ସୂତ୍ରରୁ ମିଳିଥିବାରୁ ଅଧିକ ଆକ୍ରମଣର ଆଶଙ୍କା ରହିଛି। ଆଇଏସ୍‌ରେ ସାମିଲ ହୋଇ ସ୍ବଦେଶ ଫେରିଥିବା କିଛି ଶ୍ରୀଲଙ୍କା ନାଗରିକ ଏହି ଷଡ଼ଯନ୍ତ୍ର ଚଳାଇଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇଏସ୍‌ର ଦାବି ଉପରେ ତର୍ଜମା ରାଯାଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଆହୂତ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ସକ୍ରିୟ ନ୍ୟାସନାଲ ତୋହ୍ବିତ୍‌ ଜମାତ (ଏନ୍‌ଟିଜେ) ବିସ୍ଫୋରଣ ପାଇଁ ଦାୟୀ। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରୁୱାନ୍‌ ବିଜେବର୍ଦନେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହି ଘଟଣା ନ୍ୟୁଜିଳାଣ୍ଡର ଖ୍ରିଷ୍ଟଚର୍ଚ୍ଚଠାରେ ମୁସଲମାନଙ୍କ ଉପରେ (ମସ୍‌ଜିଦ୍‌ରେ)ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା; ଯଦିଓ ଖ୍ରିଷ୍ଟଚର୍ଚ୍ଚ ଆକ୍ରମଣ ପାଇଁ ଆଇଏସ୍‌ ନିଜକୁ ଦାୟୀ କରି ନାହିଁ। କଲମ୍ବୋ ଘଟଣାରେ ଅଦ୍ୟାବଧି ୪୦ଜଣଙ୍କୁ ଗିରଫ କରାଯାଇଥିବା ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଚଢ଼ଉ ଜାରି ​ରହିଥିବା ସେ କହିଛନ୍ତି। ବିସ୍ଫୋରକ ଭର୍ତ୍ତି ଦୁଇଟି ଗାଡ଼ି କଲମ୍ବୋରେ ପହଞ୍ଚିଥିବା ସୂଚନା ମିଳିବା ପରେ ଏହାକୁ ଧରିବା ପାଇଁ ସୁରକ୍ଷାକର୍ମୀ ପ୍ରୟାସ ଚଳାଇଛନ୍ତି। ଅପରପକ୍ଷରେ ଭାରତ ପକ୍ଷରୁ ଏନ୍‌ଟିଜେ ପୁନଃ ଆକ୍ରମଣ କରିବା ଆଶଙ୍କା ନେଇ ଶ୍ରୀଲଙ୍କା ସରକାରଙ୍କୁ ସୂଚନା ଦିଆଯାଇଛି।
ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନାଙ୍କ ଘୋଷଣାକ୍ରମେ ମଙ୍ଗଳବାର ଶ୍ରୀଲଙ୍କାରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ଅପରପକ୍ଷରେ ଦେଶରେ ସୋମବାର ରାତିରୁ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି। କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ଯୁଦ୍ଧ ସମୟର କ୍ଷମତା ପ୍ରଦାନ କରାଯାଇଛି। ବି​ସ୍ଫୋରଣରେ ମୋଟ ୧୨ ବିଦେଶୀ ରାଷ୍ଟ୍ରର ନାଗରିକ ପ୍ରାଣ ହରାଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ବ୍ରିଟେନ୍‌ର ୧୦, ଆମେରିକାର ୪ ଓ ଭାରତର ୧୦ ନାଗରିକ ଅଛନ୍ତି। ସେହିଭଳି ଡେନମାର୍କ, ସ୍ବିଜରଲାଣ୍ଡ, ସ୍ପେନ୍‌, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ପର୍ତ୍ତୁଗାଲ, ଜାପାନ ଓ ଚୀନ୍‌ର ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କେବଳ ସେଣ୍ଟ ସେବାଷ୍ଟିଆନ୍‌ ଚର୍ଚ୍ଚରେ ୧୧୦ ଜଣ ପ୍ରାଣ ହରାଇଥିବା କହିଛନ୍ତି ବିଷପ୍‌ ମାଲକମ୍‌ ରଞ୍ଜିତ।

Comments are closed.