ଇସ୍ରୋ ଅଧ୍ୟକ୍ଷ ଡଃ କେ ଶିବନଙ୍କୁ ସାକ୍ଷାତ କଲେ ବୁର୍ଲା ଭିସୁଟ ଛାତ୍ର

ବୁର୍ଲା: ଭୁବନେଶ୍ୱର ଗସ୍ତରେ ଆସିଥିବା ଇସ୍ରୋର ଅଧ୍ୟକ୍ଷ ଡଃ କେ ଶିବନଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟର) ଛାତ୍ରମାନେ ସାକ୍ଷାତ କରିଛନ୍ତି। ଭିସୁଟର ଆଇଡ଼ିଆ ଓ ଇନୋଭେସନ ସେଲର ଏହି ଛାତ୍ରଛାତ୍ରୀମାନେ ହେଲେ ଅପୂର୍ବା ମାସୋକ, ଯଶସ୍ୱୀ ସାହୁ, ମାର୍କଂଣ୍ଡେୟ ମହାପାତ୍ର, ବିଭୁ ପଣ୍ଡା ଏବଂ ସୁଦର୍ଶନ ସାମଲ ପ୍ରମୁଖ ରହିଥିଲେ। ଇସ୍ରୋ ଅଧ୍ୟକ୍ଷ ଡଃ ଶିବନଙ୍କୁ ଏକ ସ୍ମାରୀକା ପ୍ରଦାନକରି ଅଭିନନ୍ଦନ ଜ୍ଞାପନ କରିଥିଲେ। ପୂର୍ବ ଘୋଷଣା ଅନୁଯାୟୀ ଖୁବ ଶୀଘ୍ର ବିଶ୍ୱବିଦ୍ୟାଳୟରେ ଏକ ଇନୋଭେସନ ବା ଉଦ୍ଭାବନ କେନ୍ଦ୍ର ପ୍ରତିଷ୍ଠା ସକାଶେ ଭିସୁଟ ଏବଂ ଇସ୍ରୋ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଛାତ୍ର ପ୍ରତିନିଧି ମାନେ ସୁଚନା ଦେଇଛନ୍ତି। ଡଃ ଶିବନ ଏହି ଛାତ୍ର ପ୍ରତିନିଧିମାନଙ୍କ ଗବେଷଣା ପ୍ରତି ରହିଥିବା ଉତ୍ସାହକୁ ପ୍ରଶଂସା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ଭିସୁଟର ପ୍ରଫେସର ହରିଶ ସାହୁ ଉପସ୍ତିତ ଥିଲେ। ପୂର୍ବରୁ ଆଇଆଇଟି, ଭୂବନେଶ୍ୱରଠାରେ ଅନୁଷ୍ଟିତ ପ୍ରଶ୍ନୋତ୍ତରୀ କାର୍ୟ୍ୟକ୍ରମରେ ଛାତ୍ର ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶିବନ କହିଥିଲେ ଇସ୍ରୋ ତାର ଅନ୍ୟ ସସ୍ଥାନ ମାନଙ୍କରେ ରକେଟ ବାବଦରେ ଗବେଷଣା ପାଇଁ ଯଥା ସମ୍ଭବ ଗନ୍ସେଡ଼ନ୍ସ ଓ ସହାୟତା ପ୍ରଦାନ କରିଆସୁଛି । ଉପଗ୍ରହ ଓ ରକେଟ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ମହାକାଶ ଗବେଷଣାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ଼ ଗଠନ କରାଯାଇଛି। ଉପଗ୍ରହ ପ୍ରୋପେଲେଟ ଗବେଷଣା ପାଇଁ ଇସ୍ରୋ ନୂତନ ଓ ଅଭିନବ ଉଦ୍ଭାବନ ସକାଶେ ଏକାଡ଼େମିସିଆନଙ୍କ ପାଇଁ କାର୍ୟ୍ୟକ୍ରମ ରଖିଛି। ତେବେ ସେମାନେ ଏଥି ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ। ଅନ୍ୟ ଦେଶରେ ବିଭିନ୍ନ କିସମର ନେଭିକ ଚିପ୍ସ ଉପଲବ୍ଦତା ବାବଦରେ ଛାତ୍ର ପ୍ରତିନିଧିମାନଙ୍କ ପ୍ରଶ୍ନ ଉପରେ ସେ କହିଲେ ଯେ ଇସ୍ରୋର ମଧ୍ୟ ଏହିଭଳି ପ୍ରୋଗ୍ରାମ ରହିଛି। ତେବେ ଏହାରି ଉପରେ ଗବେଷଣା ଦ୍ୱାରା ନୂଆ ପ୍ରୟୋଗ କରିବାର ଆଭିମୁଖ୍ୟ ରହିବା ଦରକାର। ନେଭିକକୁ ମୋବାଇଲର ଅଂଶ କରିବା ପାଇଁ ଆଲୋଚନା ଚାଲିଛି ବୋଲି ସେ କହିଥିଲେ। ସୂଚନା ଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟର ଏହି ସେଲ ପକ୍ଷରୁ ବିଭିନ୍ନ ଉଚ୍ଚତାକୁ ଯାଇପାରୁଥିବା ରକେଟ ନିର୍ମାଣ ଓ ଉତକ୍ଷେପଣର ସଫଳତା ହାସଲ କରାଯାଇଛି। ଏପରିକି ଛାତ୍ରଙ୍କ ଦ୍ୱାରା ନିର୍ମିତ ଏହି ରକେଟ ପୁରସ୍କାର ସହିତ ବୁକ ଅଫ୍‍ ରେକର୍ଡସରେ ସ୍ଥାନ ପାଇଥିଲା। ଉଦ୍ଭାବନ କ୍ଷେତ୍ରରେ ଭିସୁଟର ଆଇଡ଼ିଆ ଏବଂ ଇନୋଭେସନ ସେଣ୍ଟରର ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମତା ତଥା ଉଚ୍ଚମାନର ନୁତନ ଗବେଷଣା ନିଶ୍ଚିତ ଭାବରେ ଅନୁଷ୍ଠାନକୁ ବିଶ୍ୱଦରବାରରେ ସୁଖ୍ୟାତି ଆଣିବାରେ ସହାୟକ ହେବ ବୋଲି ଭିସୁଟ ପକ୍ଷରୁ କୁଳପତି ପ୍ରଫେସର ଅଟଳ ଚୌଧିôରୀ ଆଜି ପ୍ଲାନେଟୋରିୟମର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ମତପ୍ରକାଶ କରିଥିଲେ। ଏହା ସହିତ ତାରାମଣ୍ଡଳରେ ଉପସ୍ଥିତ ଜିଜ୍ଞାସୁ ଛାତ୍ରଛାତ୍ରୀ ମାନଙ୍କୁ ଭିସୁଟକୁ ଆସି ଆଇଡ଼ିଆ ଏବଂ ଇନୋଭେସନ ସେଣ୍ଟରର ଗବେଷକ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ପାଇଁ ଖୋଲା ଆମନ୍ତ୍ରଣ କରିଥିଲେ।

Comments are closed.