ବୁଲ୍‌ବୁଲ୍‌ ପ୍ରଭାବରେ ରାଜକନିକାରେ ବ୍ୟାପକ କ୍ଷୟକ୍ଷତି, ଆଜବେଷ୍ଟସ ପଡି ଜଣେ ମୃତ

ରାଜକନିକା: ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ କେନ୍ଦ୍ରାପଡା ରାଜକନିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଶନିବାର ସକାଳ ୫ଟା ପରଠୁ ଏହା ଏତେ ଉଗ୍ରରୂପ ଧାରଣ କରିବ ତାହା କେହି ଭାବିନଥିଲେ। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୧୨୦ କିଲୋମିଟରରୁ ଊର୍ଦ୍ଧ୍ବ ବେଗରେ ପବନ ବହିବା ଆରମ୍ଭ କରିଦେଇଥିଲା। ପବନର ପ୍ରକୋପ ଦେଖି ଭୟଭିତ ହୋଇଯାଇଥିଲେ ରାଜକନିକା ବ୍ଲକର ସମସ୍ତ ପଞ୍ଚାୟତବାସୀ। ବାତ୍ୟା ବୁଲ୍‌ବୁଲ୍‌ ଭଦ୍ରକର ଚାନ୍ଦବାଲିଠାରୁ ୧୨୦ କିଲୋମିଟର ଦୂରରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲେ। ଯାହାଫଳରେ ଚାନ୍ଦବାଲିକୁ ଲାଗିରହିଥିବା ରାଜକନିକା ବ୍ଲକରେ ଏହାର ବ୍ୟାପକ ପ୍ରଭାବ ପଡିଥିଲା। ରାଜକନିକା ବ୍ଲକର ଜୟନଗର,କୋଇଲିପୁର,କାଟଣାବଣିଆ,ତ୍ରୟଲୋକପୁର, ଓଳାଭର ଆଦି ପଞ୍ଚାୟତର ବହୁ ଗ୍ରାମରେ ବଡବଡ ଗଛ ଉପୁଡି ପଡିବା ସହ କଚ୍ଚା ଘର ଭାଙ୍ଗିପଡିଛି। ବହୁ ସ୍ଥାନରେ ରାସ୍ଥାଉପରେ ବଡବଡ ଗଛ ସବୁ ଭାଙ୍ଗିପଡିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

ପ୍ରବଳ ବର୍ଷା ସାଙ୍ଗକୁ ପବନ ଫଳରେ ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତର ଗଜରାଜପୁର ଗ୍ରାମରେ ପବନରେ ଘରର ଆଜବେଷ୍ଟ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗଣେଶ୍ୱର ମଳିକ। ପ୍ରାୟ ୫ରୁ ୬ ଘଣ୍ଟା ଧରି ବୁଲ୍‌ବୁଲ୍‌ ତାର ତାଣ୍ଡବ ଲୀଳାରେ ସବୁକିଛି ଛାରକାର କରିଦେଇଛି। କୋଇଲିପୁର ପଞ୍ଚାୟତର ଘରଭଂଞ୍ଜାକୋହ୍ଲା ଗ୍ରାମରେ ଗଛ ପଡି ୩ ଟି ଘର ଭାଙ୍ଗିଯାଇଥିବା ସୂଚନାମିଳିଛି। ପ୍ରବଳ ବର୍ଷା ପବନ ଫଳରେ ରାଜକନିକା ଅଞ୍ଚଳର ବହୁତସ୍ଥାନରେ ୩୩ କେଭି ଏବଂ ୧୧ କେଭି ବିଦ୍ୟୁତ ତାର ଛିଡି ପଡିଥିବା କାରଣରୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ଥାରେ ପଡିଥିବା ଗଛ କଟାଯାଇ ଗମନାଗମନ ସୁବିଧା କରାଯାଉଛି। ରାଜକନିକା ଅଞ୍ଚଳର ଧାନ ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଛି। ଆଉମାତ୍ର କିଛିଦିନ ପରେ ଧାନ ଅମଳ ହୋଇଥାନ୍ତା । କିନ୍ତୁ ବୁଲ୍‌ବୁଲ୍‌ ମାଡରେ ଧାନଗଛ ସବୁ ବିଲରେ ଶୋଇ ପଡିଛି। ନିଜଧାନ ବିଲକୁ ଦେଖି ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀକୂଳ।

ରାଜକନିକା ତହସିଲଦାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଏବଂ ବାକି ରହିଥିବା ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରି ଜିଲା ପ୍ରଶାସନକୁ ସମ୍ପୁର୍ଣ୍ଣ ରିପୋର୍ଟ ଦିଆଯିବ ବୋଲି ତହସିଲଦାର ସୂଚନାଦେଇଛନ୍ତି।

Comments are closed.