କଂଗ୍ରେସ ନେତାଙ୍କ ଠାରୁ ଏସ୍‍ପିଜି ସୁରକ୍ଷା ପ୍ରତ୍ୟାହାରରେ କୌଣସି ରାଜନୀତି ନାହିଁ : ଜେ.ପି. ନଡ୍ଡା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ କଂଗ୍ରେସ ନେତାଙ୍କ ଠାରୁ ଏସ୍‍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାରରେ କୌଣସି ରାଜନୀତି ନାହିଁ ବୋଲି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା କହିଛନ୍ତି। କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ମିଳୁଥିବା ଏସ୍‍ପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯିବା ପଛରେ ରାଜନୀତି ଥିବା ଅଭିଯୋଗକୁ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ପ୍ରତ୍ୟାଖ୍ୟାନ କରିଛନ୍ତି।

ବୁଧବାର ରାଜ୍ୟସଭାରେ ଶୂନ୍ୟକାଳରେ ଏ ସଂକ୍ରାନ୍ତୀୟ ବିତର୍କରେ ଅଂଶଗ୍ରହଣ କରି ଶ୍ରୀ ନଡ୍ଡା କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କିଛି ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରୁଛି ଓ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାପାଇଁ ସେହିଭଳି ନିୟମମାନ ରହିଛି। ସେ କହିଛନ୍ତି, କୌଣସି ନେତା କିମ୍ବା ରାଜନୀତିଜ୍ଞଙ୍କଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯିବା କିମ୍ବା ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ନିଷ୍ପତ୍ତି ସେମାନଙ୍କ ପ୍ରତି ଥିବା ବିପଦକୁ ଭିତ୍ତିକରି ନିଆଯାଇଥାଏ। ଏ ସଂକ୍ରାନ୍ତରେ କୌଣସି ରାଜନିତୀଜ୍ଞ
ନିଷ୍ପତ୍ତି ନେଇ ନ ଥା’ନ୍ତି । ପୂର୍ବରୁ କଂଗ୍ରେସ ନେତା ଆନନ୍ଦ ଶର୍ମା ଏ ପ୍ରସଙ୍ଗ ଉତ୍‍ଥାପନ କରିଥିଲେ। ସେ କହିଥିଲେ, ଗାନ୍ଧୀ ପରିବାର ଓ ଡକ୍ଟର ସିଂହଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏସ୍‍.ପି.ଜି. ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନିଆଯିବା ଦ୍ୱାରା ସେମାନେ ଅସୁରକ୍ଷିତ ହୋଇପଡ଼ିଥିଲେ। ଶ୍ରୀ ଶର୍ମା କହିଥିଲେ, ଏପରିକି ୟୁପିଏ ଶାସନକାଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମିଳୁଥିବା ଏସ୍‍.ପି.ଜି. ସୁରକ୍ଷା ବ୍ୟବସ୍ଥାକୁ ବଳବତ୍ତର ରଖାଯାଇଥିଲା। ସେ କହିଥିଲେ, ନେତାମାନଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥା ରାଜନୈତିକ ଦଳ ଭିତ୍ତିରେ ଦିଆଯାଇ ନ ଥାଏ। କଂଗ୍ରେସ ନେତାମାନଙ୍କୁ ମିଳୁଥିବା ଏସ୍‍ପିଜି ସୁରକ୍ଷା ବ୍ୟବସ୍ଥା ପୁନର୍ବାର ଯୋଗାଇ ଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ।

Comments are closed.