ପ୍ରଦୂଷଣ ମୁକାବିଲା ଲାଗି ଆହ୍ବାନ : ସାଇକଲରେ ସଂସଦକୁ ଆସିଲେ ସାଂସଦ

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ସମାଧାନ ଦିଗରେ ସାଧାରଣ ଲୋକଙ୍କୁ ସଚେତନ କରିବା ଲାଗି ସୋମବାର ସାଂସଦ ଓ ମନ୍ତ୍ରୀମାନେ ମୁହଁରେ ମାସ୍କ ଲଗାଇ ସାଇକଲ ଓ ବୈଦ୍ୟୁତିକ କାର ଚଳାଇ ସଂସଦରେ ପହଞ୍ଚିଥିବା ଦେଖିବାକୁ ମିଳିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଏକ ବୈଦ୍ୟୁତିକ କାର ଯୋଗେ ସଂସଦକୁ ଆସିଥିଲେ। ଦିଲ୍ଲୀରେ ପ୍ରଦୂଷଣମାତ୍ରା କମ୍‌ କରିବା ଲାଗି ଅଞ୍ଚଳବାସୀ ବୈଦ୍ୟୁତିକ କାର ବ୍ୟବହାର ଉପରେ ଗୁରୁତ୍ବାରୋପ କରିବା ଆବଶ୍ୟକ ବୋଲି ସେ ଏହି ଅବସରରେ ଆହ୍ବାନ ଦେଇଛନ୍ତି। ସରକାର ମଧ୍ୟ ପ୍ରଦୂଷଣ ରହିତ ବୈଦ୍ୟୁତିକ କାର ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ଦିଗରେ ଧ୍ୟାନ ଦେଉଛନ୍ତି ବୋଲି ​‌େ​‌ସ କହିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗଇ ମୁହଁରେ ମାସ୍କ ପିନ୍ଧି ସଂସଦ ପରିସରସ୍ଥ ମହାତ୍ମା ଗାନ୍ଧୀ ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ସାଂସଦ ମନସୁଖ ମଣ୍ଡଭିୟ, ହଂସ ରାଜ ହଂସ, ରବି କିଷନ ଓ ମନୋଜ ତିୱାରୀ ପ୍ରମୁଖ ସାଇକଲ ଚଳାଇ ସଂସଦକୁ ଆସିଥିଲେ। ଦିଲ୍ଲୀ ପ୍ରଦୂଷଣ ସମ୍ବନ୍ଧରେ ମଙ୍ଗଳବାର ସଂସଦରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ସୋମବାରଠାରୁ ସହରରେ ପ୍ରଦୂଷଣ ଧୀରେଧୀରେ କମୁଥିବା ଜଣାପଡିଛି। ଆଗାମୀ ଦିନରେ ଯୁଗ୍ମ-ଅଯୁଗ୍ମ ନିୟମ ଆଉ ବୃଦ୍ଧି କରିବାର ଆଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି।

Comments are closed.